ଟିଟିଲାଗଡ଼ ବିଧାନସଭା: ବିଜେପିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ

୨୦୨୪ରେ ନୂଆ ଚେହେରାଙ୍କୁ ମିଳିପାରେ ସୁଯୋଗ

ସଇନ୍ତଳା : ଆସନ୍ତା ସାଧାରଣ ନିର୍ବାଚନରେ ଟିଟିଲାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେପିରୁ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ କସରତ ଆରମ୍ଭ କରିଦେଲେଣି। ଏହି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୨୫ ହଜାର ୭ଶହ ଭୋଟର ଥିବାବେଳେ ଗତ ଦୁଇଟି ନିର୍ବାଚନରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ୨୦୧୪ରେ ବିଜେପିର ମହେନ୍ଦ୍ର ଠାକୁର ୨୫, ୬୧୭ ଖଣ୍ଡ ଭୋଟ ପାଇଥିବାବେଳେ ୨୦୧୯ରେ ଆଶୋକ ଦୋରା ୪୭,୪୭୬ ଖଣ୍ଡ ଭୋଟ ପାଇଥିଲେ। ମହେନ୍ଦ୍ର ଠାକୁରଙ୍କ ଘର ସଇନ୍ତଳା ବ୍ଲକ ଧରବଗଡ଼ ପଞ୍ଚାୟତ ଗୋଏଲଭାଡ଼ି ଗ୍ରାମରେ। ଶ୍ରୀ ଠାକୁରଙ୍କୁ ୨୦୧୯ ମସିହା ନିର୍ବାଚନରେ ଦଳ ପକ୍ଷରୁ ଟିକଟ ମିଳିନଥିଲା। ଫଳରେ ସେ ଗତ ୪ ବର୍ଷ ଚୁପ ରହି କେବଳ ସୋସିଆଲ ମିଡ଼ିଆରେ ନିଜର ସ୍ଥିତି ଜାହିର କରୁଥିଲେ। ବର୍ତ୍ତମାନ ନିର୍ବାଚନ ପାଖେଇ ଆସୁଥିବାରୁ ଗତ କିଛିଦିନ ହେଲା ଦଳୀୟ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଦେଖିବାକୁ ମିଳୁଛି। ଟିଟିଲାଗଡ଼ ଆସନରୁ ସେ ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ସାଧାରଣରେ ପ୍ରକାଶ କରୁଛନ୍ତି।

୨୦୧୯ ମସିହାରେ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇଥିବା ଅଶୋକ ଦୋରାଙ୍କୁ ଦଳୀୟ ଟିକଟ ଦିଆଯାଇଥିଲା। ଶ୍ରୀ ଦୋରା ପରାଜିତ ହେବା ପରଠୁ ଟିଟିଲାଗଡ଼ କିମ୍ବା ସଇନ୍ତଳା ଅଂଚଳରେ ହେଉଥିବା ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ତଥା ଜନସମ୍ପର୍କରୁ ସଂପୂର୍ଣ୍ଣ ଦୂରେଇ ରହୁଛନ୍ତି। ବର୍ତମାନ ତାଙ୍କ ପତ୍ନୀ ବେବି ଦୋରା ବ୍ଲକ୍‌ ଅଧ୍ୟକ୍ଷ ଅଛନ୍ତି। ଟିଟିଲାଗଡ଼ ବ୍ଲକ୍‌ ଏବଂ ମ୍ୟୁନିସିପାଲିଟିର ଭୋଟର ସଂଖ୍ୟା ସଇନ୍ତଳା କିଂବା ଗୁଡ଼ଭେଲାଠାରୁ ଢେ଼ର ଅଧିକ। ଫଳରେ ଏହି ନିର୍ବାଚନମଣ୍ତଳୀରେ ଟିଟିଲାଗଡ଼ ଅଂଚଳର ଭୋଟର ହିଁ ମୁଖ୍ୟତଃ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଥାନ୍ତି।

ଟିଟିଲାଗଡ଼ ବ୍ଲକ କୁରସୁଡ଼ ଗ୍ରାମର ମୁକେଶ ଜୈନ ବର୍ତ୍ତମାନ ବିଜେପିର ଜିଲ୍ଲା ସାଧାରଣ ସମ୍ପାଦକ ଦାୟିତ୍ବରେ ଅଛନ୍ତି। ଗତ ୨୦୧୯ ନିର୍ବାଚନରେ ମଧ୍ୟ ଟିଟିଲାଗଡ଼ ବିଧାନସଭା ଆସନ ପାଇଁ ବିଜେପିର ଆଶାୟୀ ପ୍ରାର୍ଥୀ ତାଲିକାରେ ଥିଲେ। ଗତ କିଛି ବର୍ଷ ହେବ ଏହି ନିର୍ବାଚନମଣ୍ତଳୀର ଦଳୀୟ କାର୍ଯ୍ୟକ୍ରମରେ ଜଡ଼ିତ ରହୁଥିବା ବେଳେ ସଂଗଠନ ସୁଦୃଢ଼ କରିବା ପାଇଁ ସଦାସର୍ବଦା ଚେଷ୍ଟା ଚଳାଇଛନ୍ତି।

ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ନିଜ ସହର ଟିଟିଲାଗଡ଼। ଗତ ମ୍ୟୁନିସିପାଲିଟି ନିର୍ବାଚନରେ ଅଧ୍ୟକ୍ଷ ପଦବି ପାଇଁ ବିଜେଡିକୁ ହରାଇ ବିଜେପିର ପ୍ରାର୍ଥୀ ମମତା ଦେବୀ ଜୈନ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତାଙ୍କ ସ୍ବାମୀ ନବୀନ ଜୈନ ଗତ କିଛିମାସ ହେବ ଟିଟିଲାଗଡ଼, ଗୁଡ଼ଭେଲା, ସଇନ୍ତଳା ଓ ତୁଷୁରା ଅଂଚଳରେ ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ କରୁଛନ୍ତି। ସେ ମଧ୍ୟ ଏହି ଆସନରେ ପ୍ରାର୍ଥୀ ହେବା ପାଇଁ ଆଗ୍ରହୀ ଥିବା ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଆଗାମୀ ନିର୍ବାଚନରେ ଏହି ଆସନ ପାଇଁ ବିଜେପି ଏକ ନୂତନ ଚେହେରାଙ୍କୁ ସ‌ୁଯୋଗ ଦେଇପାରେ ବୋଲି ସାଧାରଣରେ ଜୋରଦାର ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର