ପ୍ରତ୍ୟାହାର ହେବ ୩୫ ସରକାରୀ ପଲିଟେକ୍‌ନିକ୍‌ ସ୍ୱୀକୃତି

ଏଆଇସିଟିିଇ ଗାଇଡ୍‌ଲାଇନ୍‌ ଉଲ୍ଲଙ୍ଘନ

ରେଙ୍ଗାଳି ସ୍ୱୀକୃତି ନବୀକରଣ ରଦ୍ଦ, ସଙ୍କଟରେ କଟକର ବୋସ୍‌

କଟକ : ଆସନ୍ତା ଶିକ୍ଷାବର୍ଷରୁ ସମସ୍ତ ସରକାରୀ ପଲିଟେକ୍‌ନିକ୍‌ରେ ନାମ ଲେଖା ବନ୍ଦ ହେବ। ଏଆଇସିଟିସି ଗାଇଡ୍‌ଲାଇନ୍‌ ମାନୁ ନଥିବାରୁ ଏସବୁ ଅନୁଷ୍ଠାନର ସ୍ୱୀକୃତି ପ୍ରତ୍ୟାହର ପାଇଁ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇଟିସିଇ) ଏପରି ନିଷ୍ପତ୍ତି ଗ୍ରହଣ କରିଥିବା ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ରେଙ୍ଗାଳି ସରକାରୀ ପଲିଟେକ୍‌ନିକରେ ଆସନ୍ତା ଶିକ୍ଷାବର୍ଷ (୨୦୧୮-୧୯)ପାଇଁ ନାମଲେଖା ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସ୍ୱୀକୃତି ନବୀକରଣ ରଦ୍ଦ କରାଯାଇଛି। ଏହି ତାଲିକାରେ କଟକର ବୋସ ଇଞ୍ଜନିୟରିଂ ସ୍କୁଲ ସମେତ ରାଜ୍ୟର ଅନ୍ୟ ୩୪ଟି ସରକାରୀ ପଲିଟେକନିକରେ ଆସନ୍ତାବର୍ଷ ନାମଲେଖା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିିଇ) ଦେଶର ବୈଷୟିକ ଶିକ୍ଷାର ସର୍ବୋଚ୍ଚ ଅନୁଷ୍ଠାନ। ଏହାର ଗାଇଡଲାଇନ ଅନୁଯାୟୀ ପ୍ରତି ପଲିଟେକନିକରେ ପିଏଚ୍‌ଡି ଡିଗ୍ରୀଥିବା ଅଧ୍ୟକ୍ଷ ସମେତ ସିଟ୍‌ ଅନୁସାରେ ଅଧ୍ୟାପକ ପୂରଣ ହେବା ଜରୁରୀ। ଅଧ୍ୟାପକମାନଙ୍କୁ ଏଆଇସିଟିଇ ନିର୍ଦ୍ଧାରିତ ହାରରେ ଦରମା ଦେଉଥିବେ। କିନ୍ତୁ ଏସବୁକୁ ନିିୟମକୁ ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ପାଳନ ହେଉଥିବା ନଥିବା ଅଭିଯୋଗ ହୋଇଛି। ଏଥି ପାଇଁ ଏଆଇସିଟିଇ ପରିଦର୍ଶନ କମିଟି (ଇଭିସି) ଅକ୍ଟୋବର ୧୩ ତାରିଖରେ ରେଙ୍ଗାଳି ଗସ୍ତ କରିଥିଲେ। କମିଟି କର୍ତ୍ତୃପକ୍ଷଙ୍କୁ ଗାଇଡଲାଇନ ବ୍ୟତିକ୍ରମ ସଂକ୍ରାନ୍ତରେ କାରଣ ପଚାରିଥିଲେ। କୈଣସି ସନ୍ତୋଷଜନକ ଉତ୍ତର ପାଇନଥିବାରୁ ଏ ନେଇ ନଭେମ୍ବର ୨ତାରିଖ ସୁଦ୍ଧା ଜବାବ ଦେବାକୁ ଏଆଇସିଟିଇ ନିର୍ଦ୍ଦେଶ ଦେଇଥିଲେ।

ଗାଇଡ୍‌ଲାଇଟ୍‌ ଭାଙ୍ଗିବା ଉତ୍ତର ନ ମିଳିବାରୁ ଏଆଇଟିସିଇ ଆସନ୍ତାଶିକ୍ଷା ବର୍ଷରେ ନାମଲେଖା ବନ୍ଦ ରଖିବାକୁ ରେଙ୍ଗାଳୀ ଅନୁଷ୍ଠାନକୁ ନିର୍ଦ୍ଦେଶ ଦେବା ସହ ସ୍ୱୀକୃତି ନବୀକରଣ ରଦ୍ଦ କରିଥିବା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ବିଭାଗ ଚିଠି ନଂ ୧୩୮୭/୮.୧୧.୨୦୧୭ରେ ଉଲ୍ଲେଖରହିଛି।

୨୦୧୩ରେ ଖୋଲିଥିଲା ରେଙ୍ଗାଳି ପଲିଟେକନିକରେ ସିଟ୍‌ ସଂଖ୍ୟା ୩୦୦ ଥିବାବେଳେ ତିନିବର୍ଷର ଛାତ୍ରଛାତ୍ରୀ ସଂଖ୍ୟା ୯୦୦। ଏଆଇଟିସିଇ ନିୟମ ଅନୁଯାୟୀ ୨୦ ଅନୁପାତ୧ ହୋଇଥିବା ଏଠାରେ ୪୫ଜଣ ଅଧ୍ୟାକ୍ଷକ ରହିବା କଥା। କିନ୍ତୁ ରେଙ୍ଗାଳୀରେ ମାତ୍ର ୧୪ ଜଣ ଅଧ୍ୟାପକ ଅଛନ୍ତି। ପୁଣି ଅନୁଷ୍ଠାନରେ କୌଣସି ପିଏଚ୍‌ଡି ଡିଗ୍ରୀଧାରୀ ଅଧ୍ୟକ୍ଷ ନାହାନ୍ତି। ଏଥି ପାଇଁ ଏଆଇସିଟିଇ ରେଙ୍ଗାଳିରୁ ସ୍ୱୀକୃତି ପ୍ରତ୍ୟାହର କରିଥିବା ଜଣାପଡିଛି। ଏସବୁ ଗାଇଡ୍‌ଲାଇନ୍‌ ପାଇଁ ରାଜ୍ୟର ଅନ୍ୟ ସରକାରୀ ପଲିଟେକନିକର ଭବିଷ୍ୟତ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏବେ ୩୫ଟି ସରକାରୀ ପଲିଟେକନିକ ଥିବାବେଳେ କୌଣସି ଗୋଟିକ ଗାଇଡ୍‌ଲାଇନକୁ ପାଳୁ ନଥିବା ଜଣାପଡ଼ିଛି। ସବୁ ପଲିଟେକନିକରେ ବରିଷ୍ଠ ଅଧ୍ୟାପକମାନେ ଅଧ୍ୟକ୍ଷ ଭାବେ କରୁଥିବା ବେଳେ ବହୁ ସଂଖ୍ୟାରେ ଅଧ୍ୟାପକ ପଦବି ଫାଙ୍କା ରହିଛି।

ଏଆଇଟିସିଇ ନିୟମ ଅନୁଯାୟୀ ଜଣେ କନିଷ୍ଠ ଅଧ୍ୟାପକଙ୍କ ସର୍ବନିମ୍‌ ଦରମା ୧୫,୬୦୦(ଗ୍ରେଡ ପେ ୫,୪୦୦) ଏବଂ ବରିଷ୍ଠ ଅଧ୍ୟାପକଙ୍କ ସର୍ବନିମ୍ନ ଦରମା ୩୭,୦୦୦(ଗ୍ରେଡ ପେ ୧୫,୬୦୦) ରହିବା କଥା। କିନ୍ତୁ ସରକାର ଯଥେଷ୍ଟ କମ ଦରମା ଦେଉଥିବା ଅଭିଯୋଗ ହୋଇଛି। ଏହି ଦୃଷ୍ଟିକୋଣରୁ ବିଚାର କଲେ ରାଜ୍ୟର ସର୍ବପୁରାତନ ବୈଷୟିକ ଶିକ୍ଷାନୁଷ୍ଠାନ କଟକର ବୋସ ଇଞ୍ଜିନିୟର ସ୍କୁଲର ଭବିଷ୍ୟତକୁ ସନ୍ଦେହ ଘନୀଭୂତ ହୋଇଛି। ବୋସ୍‌ରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୦୦ ଥିବା ବେଳେ ଏଠାରେ ୭ଟି ବ୍ରାଞ୍ଚରେ ଶହେରୁ ଉର୍ଦ୍ଧ୍ୱ ଅଧ୍ୟାପକ ରହିବା କଥା। କିନ୍ତୁ ବୋସ୍‌ରେ ୭୦ ପ୍ରତିଶତ ଅଧ୍ୟାପକ ପଦବି ଖାଲି। ପୁଣି ବୋସରେ ପିଏଚଡି ଡିଗ୍ରୀଧାରୀ ଅଧ୍ୟକ୍ଷ ନାହାନ୍ତି। ଏଠାରେ ଦୁଇଟି ସିଫ୍ଟରେ କ୍ଲାସ ଚାଲିଥିବାବେଳେ ଗାଇଡଲାଇନ ଅନୁସାରେ ଦୁଇଜଣ ଅଧ୍ୟକ୍ଷ ରହିବା କଥା। ତାହା ମଧ୍ୟ ନାହିଁ। ଏଥି ପାଇଁ ବାସ ସମେତ ଅନ୍ୟ ସରକାରୀ ପଲିଟେକନିକର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର