ଜଣକା ତିନି ତିନିଟା ପାଇଖାନା ବାଣ୍ଟିନେଲେ

ମୃତବ୍ୟକ୍ତିଙ୍କ ନାମରେ ଟଙ୍କା ହଡ଼ପ

ଦଶରଥପୁର : ଯାଜପୁରର ଦଶରଥପୁର ବ୍ଲକ୍‌ ଶୌଚାଳୟ ଦୁର୍ନୀତି ଘଟଣାର ନୂଆ ନୂଆ ତଥ୍ୟ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ପାଇଖାନା ନ ଥାଇ ନିର୍ମଳ ଗ୍ରାମପଞ୍ଚାୟତ ପୁରସ୍କାର ଘଟଣା ପରେ ଏବେ ଆଉ ଏକ ପଞ୍ଚାୟତରେ ଦୁର୍ନୀତିର ଛିଟା ଲାଗିଛି। ଏହି ପଞ୍ଚାୟତ ହେଉଛି ମଲ୍ଲିକାପୁର। ଏଠି ଗୋଟିଏ ଗୋଟିଏ ପରିବାରକୁ ତିନିଟି ଲେଖାଏଁ ପାଇଖାନା ଦିଆଯାଇଥିବାବେଳେ ମୃତ ବ୍ୟକ୍ତିଙ୍କ ନାଁରେ ବି ଟଙ୍କା ହଡ଼ପ କରାଯାଇଛି। ଏଭଳି ଏକ ସାଂଘାତିକ ଠକେଇ ଘଟଣା ଏବେ ‘ସମ୍ବାଦ’ ନଜରକୁ ଆସିଛି।

ତଥ୍ୟ ଅନୁଯାୟୀ, ମଲ୍ଲିକାପୁର ପଞ୍ଚାୟତ ବୈଷପାନ ଗ୍ରାମର ଧ୍ରୁବ ଦାସଙ୍କ ପୁଅ ହୃଦାନନ୍ଦ ଦାସଙ୍କ ପରିବାରକୁ ପ୍ରଦାନ କରାଯାଇଛି ତିନି ତିନିଟି ଶୌଚାଳୟ। ପ୍ରଥମଟି ହୃଦାନନ୍ଦ ଦାସଙ୍କୁ ୧୩୨୬ କ୍ରମିକ ନମ୍ବରରେ ଦିଆଯାଇଥିବା ବେଳେ ବେସଲାଇନ ନଂ ୧୦୩୮୬୭୨୭୫ରେ ଗୋଟିଏ ଦିଆଯାଇଛି। ଦ୍ୱିତୀୟଟି ଦାଣ୍ଡିସାହି(ମୁଗୁପାଳ)ଗ୍ରାମର ସ୍ୱର୍ଗତ ସନାତନ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସଙ୍କ ନାମରେ ଥିବାବେଳେ ତାକୁ ହୃଦାନନ୍ଦ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସଙ୍କୁ ଦିଆଯାଇଛି। ପ୍ରକୃତ ଜୟନ୍ତୀ ଦାସଙ୍କ ସ୍ୱାମୀ ନାମକୁ ବଦଳା ଯାଇ ଦଶରଥପୁର ପଞ୍ଚାୟତ ସମିତି ଚିଠି ସଂଖ୍ୟା ୪୨୯ରେ ଗତ ୩/୩/୧୭ ରିଖ ଚେକ ନଂ ୦୧୨୨୧୪ରେ ବୈଷପାନ ଗ୍ରାମର ହୃଦାନନ୍ଦ ଦାସଙ୍କ ସ୍ତ୍ରୀ ଜୟନ୍ତୀ ଦାସଙ୍କ ନାମରେ ମଂଜୁର କରାଯାଇଛି। ଗତ ୨୪ ତାରିଖରେ ସିରିଅଲ ନଂ ୧୩୪୯ରେ ୟୁନିଅନ ବ୍ୟାଙ୍କ ଜରିଆରେ ୧୨ ହଜାର ଟଙ୍କା ଜୟନ୍ତୀଙ୍କ ଖାତାକୁ ଯାଇଛି।

ସେମିତି ତୃତୀୟଟି ବୈଷପାନ ଗ୍ରାମର ଧରଣୀଧର ନାୟକଙ୍କ ପୁଅ ପ୍ରଫୁଲ୍ଲ ନାୟକ ବେସ୍‌ଲାଇନ ନଂ ୧୫୪୨ରେ ବ୍ଲକ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଶୌଚାଳୟ ପ୍ରଦାନ ତାଲିକାରେ ନାମ ରହିଛି। ଅର୍ଥ ମଞ୍ଜୁର ସମୟରେ ପ୍ରଫୁଲ ନାୟକଙ୍କ ବ୍ୟାଙ୍କ ଖାତା ନମ୍ବର ପରିବର୍ତ୍ତନ କରାଯାଇ ହୃଦାନନ୍ଦ ଦାସଙ୍କ ବ୍ୟାଙ୍କ ଖାତା ଦିଆଯାଇଛି। ପ୍ରଫୁଲଙ୍କ ବଦଳରେ ମଞ୍ଜୁର ଟଙ୍କା ହୃଦାନନ୍ଦ ପାଇଛନ୍ତି। ୨୦୧୭ ଅପ୍ରେଲ ୧୨ ତାରିଖରେ ଦଶରଥପୁର ପଞ୍ଚାୟତ ସମିତି ଚିଠି ନଂ ୧୩୪୭ ଚେକ୍‌ ନଂ ୦୧୨୨୫୬ରେ ମଙ୍ଗଳପୁର ଷ୍ଟେଟବ୍ୟାଙ୍କ୍‌ ଖାତାରେ ଗତ ୨୪ ତାରିଖରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ୧୨ ହଜାର ଟଙ୍କା ପ୍ରଦାନ କରିଛି।

ଏବିଷୟରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଶୌଚାଳୟ ନିର୍ମାଣ ନେଇ ହୋଇଥିବା ଦୁର୍ନୀତି ସଂପର୍କରେ କୌଣସି ଅଭିଯୋଗ ତାଙ୍କ ନିକଟକୁ ଆସିନାହିଁ। ଅଭିଯୋଗ ଆସିଲେ ତଦନ୍ତ କରାଯାଇ କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର