୨୦୨୦ ଓ ୨୦୨୧ ବର୍ଷ ପାଇଁ ମୋଟ ୧୬ ଓଡ଼ିଆ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ଓ ୯ ତାରିଖରେ ୨୦୨୦ ଓ ୨୦୨୧ବର୍ଷ ପାଇଁ ପଦ୍ମ ପୁରସ୍କାର ବିତରଣ କରାଯିବ। ଏ ନେଇ ‘ସମ୍ବାଦ’କୁ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ସୂଚନା ଅନୁସାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରପତି ଭବନର ଦରବାର ହଲରେ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିମାନଙ୍କୁ ପଦକ ସହ ସମ୍ମାନିତ କରିବେ। ପୁରସ୍କାର ବିତରଣର ଦିନକ ପୁର୍ବରୁ ପଦ୍ମ ପୁରସ୍କାର ପାଇଁ ମନୋନୀତ ବ୍ୟକ୍ତିମାନେ ଦିଲ୍ଲୀର ଅଶୋକ ହୋଟେଲରେ ଅବସ୍ଥାନ କରିବେ।

ସୂଚନା ମୁତାବକ, କରୋନ ମହାମାରୀ କାରଣରୁ ୨୦୨୦ ଓ ୨୦୨୧ର ପଦ୍ମ ପୁରସ୍କାର ବିତରଣ କରାଯାଇନଥିଲା।୨୦୨୦ ପଦ୍ମ ପୁରସ୍କାର ବିତରଣ ପାଇଁ ଦୁଇଟି ପର୍ଯ୍ୟାୟରେ ମାର୍ଚ୍ଚ ୨୬ ଓ ଏପ୍ରିଲ ୩ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ କରୋନା କାରଣରୁ ମାର୍ଚ୍ଚ ୧୪,୨୦୨୦ରେ କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା ।ଏହାପରେ ଚଳିତ ବର୍ଷ ଜାନୁଆରି ୨୫ରେ ୨୦୨୧ର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଏବେ ସଂକ୍ରମଣ କମ ହେବା ପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ୨୦୨୦ ଓ ୨୦୨୧ର ପଦ୍କ ପରୁସ୍କାର ବିତରଣ ପାଇଁ ନଭେମ୍ବର ୮ ଓ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶର ଅନ୍ୟତମ ସର୍ବୋଚ୍ଚ ବେସାମରିକ ପଦ୍ମ ବିଭୂଷଣ, ପଦ୍କ ଭୂଷଣ ଓ ପଦ୍କଶ୍ରୀ ସମ୍ମାନ ଲାଗି ମନୋନୀତ ବ୍ୟକ୍ତିମାନଙ୍କ ନାମ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଇଥାଏ। ରାଷ୍ଟ୍ରପତି ଦୁଇଟି ପର୍ଯ୍ୟାୟରେ ମନୋନୀତ ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରିଥାନ୍ତି। ୨୦୨୦ ରେ ୧୦ ଜଣ ଓଡ଼ିଆ ତଥା ୨୦୨୧ରେ ୬ ଜଣ ଓଡ଼ିଆଙ୍କୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର