ସୁନ୍ଦରଗଡ଼ ଜିଲ୍ଲାରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଦିଗହରା : ବଢୁଛି ଦୁର୍ଘଟଣା, ଘଟୁଛି ଧନଜୀବନହାନୀ

ରାଉରକେଲା : ସଡ଼କ ଦୁର୍ଘଟଣା ଓ ତଦ୍‌ଜନିତ ଧନଜୀବନହାନୀ ନିତିଦିନିଆ ହେଲାଣି। ରାଜ୍ୟରେ ‌ପ୍ରତିଦିନ ୨୮ଟି ଦୁର୍ଘଟଣା ଘଟୁଥିବାବେଳେ ହାରାହାରି ୧୨ ଜଣଙ୍କ ମୃତ୍ୟୁ ଓ ୩୮ ଜଣ ଗୁରୁତର ଆହତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ସ୍ଥିତିରେ। ଗାଡ଼ି ଚାଳକଙ୍କ ଅବହେଳା ତଥା ବିଭାଗୀୟ କର୍ତୃପକ୍ଷଙ୍କ ନିୟମ ଅନୁପାଳନରେ ଢ଼ିଲାପଣ, ଦୁର୍ଘଟଣା କ୍ରମଶଃ ବୃଦ୍ଧି ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା ପାଇଁ ସୁପ୍ରିମକୋର୍ଟ କମିଟି (ଏସ୍‌ସିସି) ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଅନୁସାରେ, ଯେଉଁ ଯେଉଁ ସ୍ଥାନରେ ଜଙ୍କସନ୍‌ ରହିଛି, ମାତ୍ରାଧିକ ଟ୍ରାଫିକ୍‌ ରହୁଛି, ରାସ୍ତା ମିଶ୍ରଣ ହୋଇଛି, ରାସ୍ତା ଭାଙ୍ଗିଛି ସେହି ସ୍ଥାନରେ ସତର୍କତାମୂଳକ ବୋର୍ଡ, ସାଇନଏଜ୍‌, ରାସ୍ତାରେ ବିଭିନ୍ନ ସୂଚନାପ୍ରଦାନକାରୀ ସାଙ୍କେତିକ ଚିହ୍ନ ଆଙ୍କିବା ଜରୁରୀ। ଜିଲ୍ଲାର ଉଭୟ ଆର୍‌ ଆଣ୍ଡ୍‌ ବି, ରାଉରକେଲା ଓ ସୁନ୍ଦରଗଡ଼ ଡିଭିଜନ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ମୋଟ୍‌ ୭୩ଟି ଟ୍ରାଫିକ୍‌ ଜଙ୍କସନ୍‌ ଚିହ୍ନଟ କରାଯାଇଛି। ମାତ୍ର ଏଠାରେ ଦୁର୍ଘଟଣା ନିୟନ୍ତ୍ରଣ ବ୍ୟବସ୍ଥା ନିଆଯାଇନି। ଏହି ଦାୟିତ୍ବରେ ଥିବା ପୂର୍ତ୍ତବିଭାଗ ଏ ଦିଗକୁ ଅଣଦେଖା କରିଚାଲିଛି।

ଦ୍ରୁତ ଗାଡ଼ି ଚାଳନା ରୋକିବାକୁ ଏହି ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା, ଯଥା ବାଇକ୍‌ ଆରୋହୀ, ଭାରୀଯାନ ତଥା ପାଦ ଚଳା ରାସ୍ତାରେ ଏହି ସାଙ୍କେତିକ ଚିହ୍ନ ଦିଆଯିବା କଥା। ଏହାସହ ରାସ୍ତାର ମିଶ୍ରଣ ସ୍ଥଳ ଓ ରାସ୍ତା ବିଭାଜନ ସ୍ଥାନରେ ମଧ୍ୟ ସତର୍କତାମୂଳକ ଚିହ୍ନ ଦିଆଯିବାର ନିୟମ ରହିଛି। ଏତଦ୍‌ବ୍ୟତିତ ସ୍ପିଡ୍‌ବ୍ରେକ୍‌ର, ହମ୍ପ୍‌ସ ମଧ୍ୟ ନିର୍ମାଣ କରିବାର ନିୟମ ରହିଛି। ଏହାଦ୍ବାରା ଟ୍ରାଫିକ୍‌ ସମସ୍ୟାର ସମାଧାନ କରାଯିବା ସହ ଦୁର୍ଘଟଣାକୁ ରୋକାଯାଇପାରିବ। ରାଉରକେଲା ଆର୍‌ ଆଣ୍ଡ ବି ଡିଭିଜନ୍‌ରେ ୩୬ଟି ଓ ସୁନ୍ଦରଗଡ଼ ଡିଭିଜନରେ ୩୭ଟି ଏଭଳି ହେଭି ଟ୍ରାଫିକ୍‌ ଜଙ୍କସନ୍‌ ଥିବା ସର୍ଭେରୁ ଜଣାପଡ଼ିଛି। ପ୍ରାୟ ବର୍ଷେରୁ ଉର୍ଦ୍ଧ୍ବ ସମୟ ହେଲା ଏହାକୁ ଚିହ୍ନଟ କରାସରିଛି। ଅବିଳମ୍ବେ ଏହି ଜଙ୍କସନ୍‌‌ରେ ସଡ଼କ ସୁରକ୍ଷା ସଂପର୍କୀତ ସାଙ୍କେତିକ ଚିହ୍ନ ଲଗାଯିବାକୁ ୨୦୧୮ ଜୁଲାଇରୁ ପୂର୍ତ୍ତବିଭାଗ ଉଚ୍ଚକର୍ତୃପକ୍ଷ ବାରମ୍ବାର ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ସ୍ଥାନୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହା ସମ୍ଭବ ହୋଇପାରୁନି। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ ବ୍ୟବସ୍ଥା ଜିଲ୍ଲାରେ ଦିଗହରା ହୋଇଯାଇଥିବା ସ୍ପଷ୍ଟ ଅନୁମେୟ।

ସମ୍ବନ୍ଧିତ ଖବର