ପୁରୀକୁ ଟ୍ରେନ୍‌ ଚଳାଚଳ ଗୁରୁତର ବାଧାପ୍ରାପ୍ତ

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ପୁରୀକୁ ଟ୍ରେନ୍‌ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ରେଳ କର୍ତ୍ତୃପକ୍ଷ ୪ଟି ଟ୍ରେନ୍‌କୁ ବାତିଲ କରିଥିବାବେଳେ ୧୧ଟି ଟ୍ରେନ୍‌କୁ ଆଂଶିକ ବାତିଲ, ୫ଟି ଟ୍ରେନ୍‌କୁ ପୁରୀ ପରିବର୍ତ୍ତେ ଅନ୍ୟ ଷ୍ଟେସନ୍‌ରୁ ଚଳାଚଳ କରିବା ସହିତ ୫ଟି ଟ୍ରେନ୍‌ର ଛାଡ଼ିବା ସମୟ ପୁନଃ ନିର୍ଧାରଣ କରିଛନ୍ତି। ବାତିଲ ହୋଇଥିବା ଟ୍ରେନ୍‌ଗୁଡ଼ିକ ମଧ୍ୟରେ ଖୋର୍ଧା ରୋଡ୍‌-ପୁରୀ ପାସେଞ୍ଜର୍‌, କଟକ-ପୁରୀ-କଟକ ପାସେଞ୍ଜର ଏବଂ ପୁରୀ-ଖୋର୍ଧା ରୋଡ୍‌ ପାସେଞ୍ଜର ରହିଛି। ତାଳଚେର ପୁରୀ ପାସେଞ୍ଜର ଟ୍ରେନ୍‌ଟି ମାଳତୀପାଟପୁରରୁ ପୁରୀ ପର୍ଯ୍ୟନ୍ତ, ଅନୁଗୁଳ-ପୁରୀ ପାସେଞ୍ଜର ସାକ୍ଷୀଗୋପାଳରୁ ପୁରୀ ପର୍ଯ୍ୟନ୍ତ, ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଖୋର୍ଧା ରୋଡ୍‌ରୁ ପୁରୀ ପର୍ଯ୍ୟନ୍ତ, ହାଓଡ଼ା ପୁରୀ ଏକ୍ସପ୍ରେସକୁ ସାକ୍ଷୀଗୋପାଳରୁ ପୁରୀ, ହାଓଡ଼ା-ପୁରୀ ସାପ୍ତାହିକ ଏକ୍ସପ୍ରେସ୍‌୍‌କୁ ମାଳତୀପାଟପୁରରୁ ପୁରୀ ପର୍ଯ୍ୟନ୍ତ ବାତିଲ କରାଯାଇଛି। କଟକ-ଭଦ୍ରକ-କଟକ ପାସେଞ୍ଜର ଏବଂ ପାରାଦୀପ-କଟକ-ପାରାଦୀପ ପାସେଞ୍ଜରକୁ ଆଜି ଉଭୟ ଦିଗରୁ ବାତିଲ କରାଯାଇଛି।  ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌କୁ ପୁରୀରୁ ବ୍ରହ୍ମପୁର ମଧ୍ୟରେ ବାତିଲ କରାଯାଇଛି। ସାନ୍ତ୍ରାଗାଚ୍ଛି-ପୁରୀ ପାସେଞ୍ଜର ଟ୍ରେନ୍‌କୁ ଖୋର୍ଦ୍ଧା ରୋଡ୍‌ରୁ ପୁରୀ ପର୍ଯ୍ୟନ୍ତ, ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସକୁ ସାକ୍ଷୀଗୋପାଳରୁ ପୁରୀ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଚେନ୍ନାଇ ପୁରୀ ଏକ୍ସପ୍ରେସ୍‌ ବୀରପୁରୁଷୋତ୍ତମପୁରରୁ ପୁରୀ ପର୍ଯ୍ୟନ୍ତ ବାତିଲ କରାଯାଇଛି।  ପୁରୀରୁ ବିଭିନ୍ନ ସ୍ଥାନକୁ ଯାତ୍ରା କରିବାକୁ ଥିବା ଟ୍ରେନ୍‌ଗୁଡ଼ିକୁ ପୁରୀ ଷ୍ଟେସନ୍‌ ପରିବର୍ତ୍ତେ ଅନ୍ୟାନ୍ୟ ଷ୍ଟେସନରୁ ଛାଡ଼ିବ। ପୁରୀ-ସାନ୍ତ୍ରାଗାଚ୍ଛି ପାସେଞ୍ଜର ଖୋର୍ଧା ରୋଡ୍‌ରୁ, ପୁରୀ-ତାଳଚେର ପାସେଞ୍ଜର ଖୋର୍ଧା ରୋଡ୍‌ରୁ, ପୁରୀ-ଅନୁଗୁଳ ପାସେଞ୍ଜର ସାକ୍ଷୀଗୋପାଳରୁ, ପୁରୀ-ସମ୍ବଲପୁର ଇଣ୍ଟରସିଟି ଖୋର୍ଧା ରୋଡ୍‌ରୁ, ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ ବ୍ରହ୍ମପୁର ଷ୍ଟେସନରୁ ଛାଡ଼ିବ। କେତେକ ଟ୍ରେନ୍‌ର ସମୟ ନିର୍ଘଣ୍ଟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହି ଟ୍ରେନ୍‌ ଗୁଡ଼ିକ ମଧ୍ୟରେ ପୁରୀ-ନୂଆଦିଲ୍ଲୀ ନୀଳାଚଳ ଏକ୍ସପ୍ରେସ, ପୁରୀ-ହାଓଡ଼ା ଧଉଳି ଏକ୍ସପ୍ରେସ୍‌, ପୁରୀ-ସାଲିମାର ଏକ୍ସପ୍ରେସ୍‌, ପୁରୀ-ମୁମ୍ବାଇ ଏଲଟିଟି ଏକ୍ସପ୍ରେସ୍‌ ଏବଂ ପୁରୀ-ଦୁର୍ଗ ଏକ୍ସପ୍ରେସ୍‌ ରହିଛି।

ସମ୍ବନ୍ଧିତ ଖବର