ଆସିଲା ୭ ସଂକ୍ରମିତଙ୍କ ଯାତ୍ରା ଇତିହାସ, ଘରେ ରହି ବି ୨ ବୃଦ୍ଧ କରୋନା ସଂକ୍ରମିତ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ୭ଜଣ କରୋନା ସଂକ୍ରମିତଙ୍କ ଯାତ୍ରା ଇତିହାସ ସଂପର୍କରେ ସୂଚନା ଦିଆଯାଇଛି। ଏହି ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ କରୋନା ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଏପରିକି ଯାଜପୁର ଜିଲ୍ଲାର ୭୦ ଓ ୮୦ ବର୍ଷର ବୃଦ୍ଧ ଘରେ ରହି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି।

ରାଜ୍ୟର ୮୪ନଂ ରୁ ୮୭ ନଂ ସଂକ୍ରମିତ ବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲାର। ଯାଜପୁର ଦଶରଥପୁର କୋଡ଼େଇବାଟିର ୭୦ ବର୍ଷର ବୃଦ୍ଧା ପୂର୍ବରୁ ଚିହ୍ନଟ ହୋଇଥିବା ୭୪ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିଲେ ହେଁ ନମୁନା ରିପୋର୍ଟ ପଜିଟିଭ୍ ରହିଥିଲା। ୮୫ନଂ ବାସୁଦେବପୁର, ଯାହାନପୁରର ୨୧ ବର୍ଷର ଏହି ଆକ୍ରାନ୍ତ କୋଲକାତାରୁ ଅନ୍ୟ ଯାତ୍ରୀଙ୍କ ସହ ଘରକୁ ଫେରିଥିଲେ। ତାଙ୍କର କୌଣସି ଲକ୍ଷଣ ନ ଥିବା ସତ୍ତ୍ବେ କୋଭିଡ୍‌ ପରୀକ୍ଷାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ୮୬ନଂ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ୭୩ନଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ୮୭ନଂ ସଂକ୍ରମିତ ଜଣେ ୮୦ବର୍ଷର ବୃଦ୍ଧ। ସେ ଘରେ ରହିଥିଲେ ହେଁ ପୂର୍ବରୁ ଚିହ୍ନଟ ହୋଇଥିବା ୭୩ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ କରୋନା ପଜିଟିଭ୍ ହୋଇଛନ୍ତି। ଏହି ଆକ୍ରାନ୍ତମାନେ ଏବେ କଳିଙ୍ଗନଗର ଟାଟା କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସେହିପରି ୮୮ ଓ ୮୯ନଂ ସଂକ୍ରମିତ ପୂର୍ବରୁ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୬୧ନଂ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି। ଦୁହିଁଙ୍କ ବୟସ ୫୧ ଓ ୩୬ ବର୍ଷ। ଦୁହିଁଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ରାଜ୍ୟର ୯୦ନଂ କରୋନା ସଂକ୍ରମିତ ବ୍ୟକ୍ତି ଭଦ୍ରକ ବାସୁଦେବପୁର ବ୍ରାହ୍ମଣଶାସନର ଜଣେ ୪୩ ବର୍ଷର ପୁରୁଷ। ଚଳିତ ମାସ ୧୬ତାରିଖରେ କୋଲାକାତାରୁ ଫେରିଥିଲେ। ବାହାର ରାଜ୍ୟରୁ ଫେରିଥିବା କାରଣରୁ ତାଙ୍କ ନମୁନା ପରୀକ୍ଷା ହୋଇଥିଲା ଓ ପଜିଟିଭ୍ ଚିହ୍ନଟ ପରେ ତାଙ୍କୁ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର