ଅନ୍ଧାରରେ ରୋଗୀ ସେବା, ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିକଳ ଚିତ୍ର

ବୈପାରିଗୁଡ଼ା: ଅନ୍ଧାରରେ ରୋଗୀ ସେବା ଚାଲିଛି। ଆଲୋକର ଅଭାବରୁ ଚିକିତ୍ସା ସେବାରେ ବ୍ୟାପକ ବାଧା ପହଂଚିଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଭଳି ଅପ୍ରିତିକର ପରିସ୍ଥିତି ଦେଖାଯାଇଛି। ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୈନିକ ଶତାଧିକ ସଂଖ୍ୟାରେ ବ୍ଲକର ବିଭିନ୍ନ ସ୍ଥାନରୁ ଚିକିତ୍ସା ପାଇଁ ରୋଗୀ ଆସିଥାନ୍ତି। ଗୁରୁତର ଭାବେ ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା ପାଇଁ ଇନଡୋର ରହିବାକୁ ପଡ଼ିଥାଏ।

ତେବେ ସଂଜ ଗଡିଲେ ସମସ୍ତଙ୍କ ମନ ଭିତରେ ଆଶଂକା ସୃଷ୍ଟି ହୁଏ। କାରଣ ଥରେ ବିଜୁଳି କଟିଗଲେ ସାରା ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ଅନ୍ଧାର ଭିତରେ ବୁଡିଯାଏ। ସେହି ସମୟରେ ରୋଗୀ ଏବଂ ସେମାନଙ୍କ ସହାୟତାଙ୍କ ଯନ୍ତ୍ରଣା ନକହିଲେ ଭଲ। ଇନଭେଟର ଏବଂ ଜେନେରେଟର ଥାଇ ମଧ୍ୟ କାମରେ ଲାଗୁନଥିବାରୁ ଘଣ୍ଟା ଘଣ୍ଟା ଧରି ଅନ୍ଧାର ଭିତରେ ସମସ୍ତଙ୍କୁ ଅଣନିଃଶ୍ୱାସୀ ଜୀବନ ବିତାଇବାକୁ ପଡ଼ିଥାଏ। ଏହାକୁ ନେଇ ସାଧାରଣରେ ଦିନକୁ ଦିନ ଅସନ୍ତୋଷ ବଢିବାରେ ଲାଗିଛି। ପୁଣି ଏଭଳି ଅବ୍ୟବସ୍ଥା ସଂପର୍କରେ ଗଣମାଧ୍ୟମରେ ମଧ୍ୟ ଖବର ପ୍ରକାଶ ପାଇଛି। କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ନିଦାବିଷ୍ଣୁ ସାଜି ବସିଛି। ରୋଗୀଙ୍କର ଅସହାୟତା ପ୍ରତି କାହାରି ଧ୍ୟାନ ନାହିଁ।

ଏକ ସଦ୍ୟତମ ଉଦାହରଣ ହେଉଛି ଜଣେ ବ୍ୟକ୍ତି ଗୋଡ଼ରେ ଟାଙ୍ଗିଆ ଚୋଟରେ ଆଘାତ ପାଇବା ପରେ ରକ୍ତାକ୍ତ ଅବସ୍ଥାରେ ଚିକିତ୍ସା ପାଇଁ ଆସିଥିଲେ। ବିଡ଼ମ୍ବନାର ବିଷୟ, ଲୋକଟିର କଟି ଯାଇଥିବା ସ୍ଥାନକୁ ସିଲେଇ କରାଯିବା ପାଇଁ ଟର୍ଚ୍ଚ ଲାଇଟ୍‌ ଏବଂ ମୋବାଇଲର ଲାଇଟ୍‌ ସାହାରା ନିଆଯାଇଥିଲା। ସେହିପରି ଝାଡ଼ାବାନ୍ତିରେ ଆକ୍ରାନ୍ତ ଜଣେ ମହିଳାଙ୍କୁ ସାଲାଇନ ଦେବା ପାଇଁ ଆଲୁଅ ଅଭାବରୁ ବାରଂବାର ଛୁଞ୍ଚି ଫୋଡିବାକୁ ପଡ଼ିଥିଲା।

ସବୁଠାରୁ ଦୁଃଖଦ ହେଲା ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଅଣାଯାଇଥିବା ବେଳେ ଲାଇନ୍‌ କଟି ଯାଇଥିବାରୁ ପଖାଂ ବୁଲୁନଥିବା ଯୋଗୁ ସମ୍ପର୍କୀୟ ମାନେ କାଗଜ ଧରି ବିଞ୍ଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଗୁଲାବର ପ୍ରଭାବରୁ ରକ୍ଷା କରିବା ପାଇଁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ବହୁ ଆସନ୍ନ ପ୍ରସବା ମହିଳାଙ୍କୁ ମା’ ଗୃହରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କର ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରସବ କରାଯାଇଥିଲା।

ତେବେ ମହିଳା ଜଣକ ନିଜର ନବଜାତ ଶିଶୁକୁ କୋଳରେ ପୁରେଇ ଅନ୍ଧାର ଭିତରେ ପଡ଼ି ରହିଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ, ଏତେ ଅବ୍ୟବସ୍ଥା ସତ୍ତ୍ୱେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୁରୁତର ସହ ନେଉନାହାନ୍ତି କାହିଁକି? ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏସଂପର୍କରେ ଅବଗତ ଅଛନ୍ତି କି ନାହିଁ, ଯଦି ଅଛନ୍ତି ତେବେ ଏହାର ପ୍ରତିକାର ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଉନାହାନ୍ତି କାହିଁକି? ସମଗ୍ର ବ୍ଲକ ପାଇଁ ରହିଥିବା ଗୋଟିଏ ମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ରୋଗୀଙ୍କୁ ସମସ୍ତ ପ୍ରକାର ସୁବିଧା ଏବଂ ସ୍ୱାସ୍ଥ୍ୟ ସେବା କେବେ ମିଳିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର