ରାତି ଅଧରେ ବାଘ ସହିତ ଲଢ଼ିଲେ ଆଦିବାସୀ ଯୁବକ

ଗୁରୁତର ଦିଅର-ଭାଉଜ ଡାକ୍ତରଖାନାରେ ଭର୍ତ୍ତି

ରାଇରଙ୍ଗପୁର/ବିଶୋଇ: ଭାଉଜକୁ ବାଘ ମୁହଁରୁ ବଞ୍ଚାଇବାକୁ ଯାଇ ଦିଅର-ବାଘ ଲଢ଼େଇ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଦୁହେଁ ବାଘ ମୁହଁରୁ ଉଭୟ ରକ୍ଷା ପାଇଯାଇଥିଲେ ସୁଦ୍ଧା ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।

ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବ୍ଳକ ତାରଣା ଗାଁର ମାଇନ ହାଁସଦା (୪୭) ଗତକାଲି ରାତି ପ୍ରାୟ ୨ଟା ବେଳେ ପରିସ୍ରା ପାଇଁ ଘର ବାହାରକୁ ଆସିଥିଲେ। ଏହି ସମୟରେ ବୁଦାମୂଳରେ ଛକିଥିବା ଏକ କଲରାପତରିଆ ବାଘ ତାଙ୍କ ଉପରକୁ ଝାମ୍ପି ପଡ଼ିଥିଲା। ମାଇନଙ୍କ ଚିତ୍କାର ଶୁଣି ଦିଅର ସମାୟ ହାଁସଦା (୪୨) ନିଦରୁ ଉଠିପଡ଼ି ବାହାରକୁ ଧାଇଁ ଆସିଥିଲେ। ବାଘକୁ ଘଉଡ଼ାଇବା ପାଇଁ ପ୍ରୟାସ କରିବାବେଳେ ମାଇନଙ୍କୁ ଛାଡ଼ି ସମାୟଙ୍କୁ ଆକ୍ରମଣ କରିଥିଲା ବାଘ। ତାଙ୍କ ହାତ ଆଙ୍ଗୁଳିକୁ କାମୁଡ଼ି ଅଧା ଛିଣ୍ଡାଇ ଦେଇଥିଲା।

ତା‌ ସତ୍ତ୍ବେ ବାଘକୁ ଅଧିକ ଆକ୍ରମଣ କରିବାକୁ ସୁଯୋଗ ଦେଇନଥିଲେ ସମାୟ। ବଡ଼ପାଟିରେ ଗାଁ ଲୋକଙ୍କୁ ଡାକ ପକାଇବା ସହ ବାଘ ସହ ଲଢ଼ିଥିଲେ। ଉଭୟଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଓ ଗାଁ ଲୋକ ଦୌଡ଼ି ଆସିବାରୁ ବାଘ ଜଙ୍ଗଲକୁ ପଳାଇଥିଲା। ଗ୍ରାମବାସୀଙ୍କ ସହାୟତାରେ ଦିଅର ଭାଉଜଙ୍କୁ ୧୦୮ ଆମ୍ବୁଲାନ୍‌ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା।  ବୁଧବାର ସକାଳେ ବିଶୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀ ପହଞ୍ଚି ଦୁହିଁଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରିବା ସହ ଘଟଣା ସଂପର୍କରେ ପଚାରି ବୁଝିଥିଲେ।

ଏଥିସହିତ ବନ୍ୟପ୍ରାଣୀ ବିଭାଗର ଏକ ଟିମ୍ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରକାଶଥାଉକି, ବିଶୋଇ ବନ୍ୟପ୍ରାଣୀ ଅନ୍ତର୍ଗତ ସରଗଡ଼ା, ରାଜାବସା, ନିଶ୍ଚିନ୍ତା, ମଣଦା, ଦେଓପଟା, ତାଳବନ୍ଧ ରେଞ୍ଜରେ ବାଘ ଚଲାବୁଲା କରୁଥିବାରୁ ସଂପୃକ୍ତ ଅଞ୍ଚଳରେ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ପାଇଁ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।

ସମ୍ବନ୍ଧିତ ଖବର