ମୋଟର ଦୁର୍ଘଟଣା ମାମଲା: ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଟ୍ରିବ୍ୟୁନାଲର ନିର୍ଦ୍ଦେଶ

ବାରିପଦା: ଏକ ସଡ଼କ ଦୁର୍ଘଟଣା ଘଟଣାରେ ମୟୂରଭଞ୍ଜ ଜିଲ୍ଲା ଜଜ୍ ତଥା ପ୍ରଥମ ମୋଟର ଦୁର୍ଘଟଣା ଟ୍ରିବ୍ୟୁନାଲ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ୟୁନାଇଟେଡ଼ ଇନ୍ସ୍ୟୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ୨୭ ଏପ୍ରିଲ, ୨୦୧୯ ସକାଳ ୯ଟା ସମୟରେ ଝାରପୋଖରିଆ ଝରଣସାହି ଟାୱାର ପାର୍ଶ୍ବ ଢ଼ାବା ନିକଟରେ ଓଡ଼ି ୧୧ ଏମ ୯୪୨୪ ନମ୍ବର ବିଶିଷ୍ଟ ଏକ ପିକ-ଅପ୍ ଭ୍ୟାନ ରାସ୍ତାରେ ଦ୍ରୁତ ଗତିରେ ଆସି ସମ୍ମୁଖରୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ଝାରପୋଖରୀଆ ଥାନା ଚାଉଳଘେରି ଗ୍ରାମର ତପନ ମହାନ୍ତଙ୍କର ମୃତ୍ୟୁ ହୋଇଥିଲା ।

ଏନେଇ ଝାରପୋଖରିଆ ଥାନାରେ ୫୦/୨୦୧୯ରେ ଏକ ମାମଲା ରୁଜୁ ହୋଇଥିଲା । ଏଥି ସହିତ ପୁଲିସ ପିକ୍‌ଅପ ଭ୍ୟାନର ଡ୍ରାଇଭର ସର୍ବେଶ୍ୱର ବେହେରାଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲେ । ଏହାପରେ ମୃତକ ତପନଙ୍କ ପରିବାର ପକ୍ଷରୁ ବାରିପଦାସ୍ଥିତ ମୟୂରଭଞ୍ଜ ଜିଲ୍ଲା ପ୍ରଥମ ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଟ୍ରିବ୍ୟୁନାଲରେ ଏକ ମାମଲା ଦାଖଲ କରିଥିଲେ । ଆଜି ପ୍ରଥମ ଏମଏସିଟି ଇଜଲାସରେ ଜିଲ୍ଲା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ମୃତକ ତପନର ବିଧବା ପତ୍ନୀ ଓ ତାଙ୍କର ଅନ୍ୟ ଦୁଇ ଜଣ ନାବାଳକ ପିଲାଙ୍କୁ କ୍ଷତିପୂରଣ ବାବଦରେ ୨୦ ଲକ୍ଷ ଟଙ୍କାରୁ ଅଧିକ ପ୍ରଦାନ କରିବାକୁ ରାୟରେ ଉଲ୍ଲେଖ କରାଇଛନ୍ତି । ଏଥି ସହିତ ଆସନ୍ତା ୨ ମାସ ମଧ୍ୟରେ ସମସ୍ତ ଟଙ୍କା ବାରିପଦା ଟ୍ରିବ୍ୟୁନାଲରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୋକଦ୍ଦମାକୁ ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା ଏବଂ ୟୁନାଇଟେଡ୍‌ ଇନ୍ସ୍ୟୁରାନ୍ସ କମ୍ପାନୀ ପକ୍ଷରୁ ଆଇନଜୀବୀ ବିଜନ ଦାସ ପରିଚାଳନା କରିଥିଲେ ।

ସମ୍ବନ୍ଧିତ ଖବର