ରାଜଧାନୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି : ଜେଟ୍‌ଲୀ ଥିଲେ ଅଜାତଶତ୍ରୁ

ଭୁବନେଶ୍ବର : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‌ଲୀ ଥିଲେ ଅଜାତଶତ୍ରୁ। ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରିଥିବା ସ୍ବର୍ଗତ ଜେଟଲୀ ସ୍ବନାମଧନ୍ୟ ଆଇନ ବିଶାରଦ, ଦକ୍ଷ ରାଜନୈତିକ ସଙ୍ଗଠକ ଓ ବିଚକ୍ଷଣ ମନ୍ତ୍ରୀ ଭାବେ ‌ବେଶ ପରିଚିତ ଥିଲେ। ଏକ ସଫଳ କାହାଣୀର ନାୟକ ଥିଲେ ସେ। ଭବିଷ୍ୟତ ପିଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଆବଶ୍ୟକ। ଆଜି ସ୍ବର୍ଗତ ଜେଟଲୀଙ୍କ ସ୍ମୃତିରେ ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ବରସ୍ଥିତ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅୟୋଜିତ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ରାଜନେତାମ‌ାନେ ତା‌ଙ୍କର ସ୍ମୃତିଚାରଣ କରିବା ସହ ଏଭଳି ମତ ପ୍ରକାଶ କରିଛନ୍ତି।

ସ୍ମୃତିସଭାରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଲେ, ୧୯୭୪ ମସିହା‌ରୁ ଜେଟଲୀଙ୍କ ସହ ତାଙ୍କର ବନ୍ଧୁତ୍ବ ସମ୍ପର୍କରେ ଆଲୋକପାତ କରିବା ସହ ସ୍ବର୍ଗତ ‌ଜେଟଲୀ ରାଜନୀତିକୁ ରାଷ୍ଟ୍ରନୀତି ଭାବେ ଗ୍ରହଣ କରି ସାରା ଜୀବନ ଏଥିପାଇଁ ଉତ୍ସର୍ଗ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଠାଇଥିବା ନିଜ ଶୋକବାର୍ତ୍ତାରେ ସ୍ବର୍ଗତ ଜେଟଲୀଙ୍କୁ ଅର୍ଥନୀତିର ସଂସ୍କାରକ ଭାବେ ଅଭିହିତ କରିଥିଲେ। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଏହି ଶୋକବାର୍ତାକୁ ପାଠ କରିଥିଲେ। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେଇ କହିଲେ ସ୍ବର୍ଗତ ଜେଟଲୀ ଗଣତନ୍ତ୍ରର ରକ୍ଷା ପାଇଁ ସର୍ବଦା ଚେଷ୍ଟା କରିଥିଲେ। ତାଙ୍କ ବ୍ୟକ୍ତିତ୍ବ ପ୍ରତି ଲୋକଙ୍କୁ ପ୍ରଭାବିତ କରୁଥିଲା। ଦିଲ୍ଲୀରେ ଭେଟ ହେବା ସମୟରେ ସ୍ବର୍ଗତ ଜେଟଲୀ ସବୁବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ପଚାରି ବୁଝୁଥିଲେ। ଭାରତୀୟ ଯୁବକଙ୍କ ମନରେ ସେ ଯେଉଁ ପ୍ରେରଣା ଦେଇଯାଇଛନ୍ତି ସେହି ରାସ୍ତାରେ ଚାଲିବାକୁ ଶ୍ରୀ ପାତ୍ର ଯୁବପିଢ଼ିଙ୍କୁ ଆହ୍ବାନ ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବର୍ଗତ ଜେଟଲୀଙ୍କୁ ଓଡ଼ିଶାର ବନ୍ଧୁ ବୋଲି ବର୍ଣ୍ଣନା କରି କହିଲେ ଯେ ଓଡ଼ିଶା ଜଣେ ବନ୍ଧୁଙ୍କୁ ହରାଇଛି। ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ସମୟରେ ଜେଟଲୀଙ୍କ ଉଦ୍ୟମକ୍ରମେ ବଜେଟ୍‌ରେ ସ୍ବତନ୍ତ୍ର ଅର୍ଥ ବ୍ୟବସ୍ଥା ହୋଇଥିଲା। ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ତତ୍‌କ୍ଷଣାତ୍‌ ଅନୁମତି ଦେଇଥିଲେ। ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାର ସ୍ବୀକୃତି ସହ ବଜେଟ୍‌ ପ୍ରସ୍ତାବର ଶବ୍ଦ ସଂଯୋଜନା ଜେଟଲୀ କରିଥିଲେ ବୋଲି ସେ କହିଥିଲେ। ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ସଫଳ କାହାଣୀର ନାୟକ ଥିଲେ ସ୍ବର୍ଗତ ଅରୁଣ ଜେଟଲୀ। ଛାତ୍ରନେତା, ରାଜ‌ନୈତିକ ସଙ୍ଗଠକ, ଆଇନଜୀବୀ, ‌କେନ୍ଦ୍ରମନ୍ତ୍ରୀ ଭାବେ ପାରଦର୍ଶିତା‌ ଦେଖାଇଥିଲେ। ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର ସ୍ବର୍ଗତ ଜେଟଲୀଙ୍କୁ ପ୍ରଜ୍ଞାଦୀପ୍ତ ମାନବ ବୋଲି କହିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଲେ, ଜେଟଲୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଉଭୟ କୂଟନୀତି ଓ ରାଜନୀତିରେ ସେ ପାରଙ୍ଗମ ଥିଲେ।

ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ରାଷ୍ଟ୍ରୀୟ ସ୍ବୟଂ ‌ସେବକ ସଂଘର କ୍ଷେତ୍ରୀୟ କାର୍ଯ୍ୟନିର୍ବାହୀ ଗୋପାଳ ମହାପାତ୍ର, ଶ୍ରୀକାନ୍ତ ଜେନା, ବିଧାୟକ ଅମର ପ୍ରସାଦ ଶତପଥୀ, ବିଜେପି ନେତା ଖାରବେଳ ସ୍ବାଇଁ ପ୍ରମୁଖ ନିଜ ବକ୍ତବ୍ୟ‌ରେ ସ୍ବର୍ଗତ ଜେଟଲୀଙ୍କୁ ଜଣେ ବିଜ୍ଞ ଓ ସ୍ଥିତପ୍ରଜ୍ଞ ବ୍ୟକ୍ତି ଭାବେ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ସୁରେଶ ପୂଜାରୀ, ମନମୋହନ ସାମଲ, ସାଂସଦ ରଘୁନାଥ ମହାପାତ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଶେଶ୍ବର ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର