ବେସରକାରୀ ଅନୁଦାନ, ଅଣ-ଅନୁଦାନପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘ ଗୁରୁ ଦିବସକୁ କଳା ଦିବସ ପାଳିଲେ

ଭୁବନେଶ୍ୱର : ସରକାର ସମସ୍ୟା ନ ଶୁଣିବାରୁ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିଛି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଓ କର୍ମଚାରୀ ସଂଘ। ଭୁବନେଶ୍ବର ସମେତ ବାଲେଶ୍ୱର, ଜଗତ୍‌ସିଂହପୁର, କଟକ, ଖୋର୍ଦ୍ଧା, ଦେବଗଡ଼, ବରଗଡ଼, ସମ୍ବଲପୁର, ପୁରୀ, ସୁନ୍ଦରଗଡ଼, ଗଞ୍ଜାମ, ବ୍ରହ୍ମପୁର, ରାୟଗଡ଼ା, ଗଜପତି, ଭଦ୍ରକ, ମୟୂରଭଞ୍ଜ, କେଉଁଝର, ଯାଜପୁର, ପଶ୍ଚିମ ଓଡ଼ିଶାର ବିଭିନ୍ନ କଲେଜରେ ଗୁରୁ ଦିବସକୁ କଳା ଦିବସ ପାଳନ କରାଯାଇଛି। ସଂଘ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ କଲେଜରେ ୨୦୦୮ ଜୁନ୍‌ ୧ରୁ ୨୦୧୩ ନଭେମ୍ବର ୩୦ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇ ନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛନ୍ତି। ଓଡ଼ିଶାର ପ୍ରାୟ ୩୦୦ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମା‌ନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ନିୟମ ଅନୁଯାୟୀ, ୭ ଘଣ୍ଟା କାର୍ଯ୍ୟ କରିବା ସହ ବାୟାମେଟ୍ରିକ୍ ଦେଉଛନ୍ତି। କିନ୍ତୁ ସରକାର ଅଧ୍ୟାପକ ଓ କର୍ମଚାରୀମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ଟାଳଟୁଳ ନୀତି ଅବଲମ୍ବନ କରୁଛି। ସେମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରାଯାଉନାହିଁ। ସରକାରୀ ଅନ୍ତର୍ଭୁକ୍ତ ହୋଇ ନ ଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦାବି କରାଯାଇଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଦେବବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତ୍ରିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ ପ୍ରମୁଖ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର