ମର୍ମନ୍ତୁଦ ସଡକ ଦୁର୍ଘଟଣା: ପରିବା ବିକି ଯାଉଥିଲେ, ଦ୍ରୁତଗାମୀ ଟ୍ରକ ଚଢିଯିବାରୁ ଗୋଡ଼ ହରାଇଲେ ବାଇକ ଆରୋହୀ

ମାଲକାନଗିରି: ମାଲକାନଗିରି ସଦର ମହକୁମାସ୍ଥିତ କଲେଜ ଛକ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍ଥାନୀୟ ଏମଭି-୪୫ ଗ୍ରାମର ଚାଷୀ ବେଚା ଦେବନାଥ ପରିବା ବିକ୍ରି କରିବା ପାଇଁ ମାଲକାନଗିରି ଆସିଥିଲେ।ପରିବା ବିକ୍ରି କରିସାରିବା ପରେ ଘରକୁ ନିଜର ମଟର ସାଇକେଲରେ ଫେରୁଥିଲେ। ତେବେ କଲେଜ ଛକ ନିକଟରେ ଅପରପଟୁ ଆସୁଥିବା ଏକ ଟ୍ରକ ତଳେ ପଡିଯାଇଥିଲେ।ଯାହାଫଳରେ ତାଂକର ଗୋଡ ଉପରେ ଟ୍ରକଟି ଚଢିଯାଇଥିଲା। ଗୋଟିଏ ଗୋଡ ସଂପୂର୍ଣ୍ଣ ଛିଣ୍ଡି ଯାଇଥିଲା। ସ୍ଥାନୀୟ ଲୋକେ ତୁରନ୍ତ ବେଚାଙ୍କୁ ଉଦ୍ଧାର କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ କାବୁ କରିବାରେ ବିଫଳ ହୋଇଛି। ଡ୍ରାଇଭର ଫେରାର ରହିଥିବା ଜଣାପଡିଛି।

ତେବେ ବେଚା ଜଣେ ଗରିବ ଚାଷୀ ହୋଇଥିବା ବେଳେ ପରିବା ବିକ୍ରି କରି ନିଜର ପରିବାରର ଗୁଜରାଣ ମେଣ୍ଟାଉଥିଲ। ବେଚାଙ୍କୁ ପ୍ରଥମେ ମାଲକାନଗିରି ଡାକ୍ତରଖାନା ପରେ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ବେଚାଙ୍କ ଅବସ୍ଥା ସଂକଟାପନ୍ନ ଥିଲା। ପ୍ରଶାସନ ତରଫରୁ ଏହି ଗରିବ ଚାଷୀଙ୍କୁ ସହାୟତାର ହାତ ବଢାନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର