ଦୁଇ ବାଇକ୍‌ ମଧ୍ୟରେ ଧକ୍କା ଘଟଣା: ଆଖି ବୁଜିଲେ ଚିକିତ୍ସାଧୀନ ୨ ଭାଇ

ଦେଖି ପାରିଲେନି ଭାଇ ବାହାଘର, ସେନାବାହିନୀରେ ଯୋଗଦାନ ନୋହିଲା

ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
ଗାଁ’ରେ ଶୋକାକୁଳ ପରିବେଶ

କୋକସରା : ୧୬ ତାରିଖରେ ଥିଲା ବଡ଼ ଭାଇଙ୍କ ବାହାଘର। ଏଥି ପାଇଁ ସଂପର୍କୀୟ ଓ ବନ୍ଧୁବାନ୍ଧବଙ୍କ ଘରକୁ ଯାଇ ନିମନ୍ତ୍ରଣ କାର୍ଡ ବାଣ୍ଟୁଥିଲେ ଟେମରା ପଞ୍ଚାୟତ କର୍ଲାଗୁଡ଼ା ଗ୍ରାମର ପିଣ୍ଟୁ ଚଲାନ ଓରଫ ଦେବେନ୍ଦ୍ର। ସାଥୀରେ ଥିଲେ ପିଉସୀ ପୁଅ ଭାଇ ଖୁସିରାମ ପୁଝାରୀ। ମାତ୍ର ବିଧିର ବିଧାନ ଥିଲା ଅନ୍ୟ ପ୍ରକାର। ଭାଇ ବାହାଘର ଦେଖିବାକୁ ଆଉ ଇହ ଦୁନିଆରେ ରହିଲେନି ଉଭୟ ଯୁବକ। ତେଣେ ପିଣ୍ଟୁ ମଧ୍ୟ ସେନା ବାହିନୀରେ ଯୋଗ ଦେବାକୁ ଚୟନ ହୋଇ ସାରିଥିବା ବେଳେ ଚାକିରି ଯୋଗଦାନ ହୋଇପାରିଲାନି। ବର୍ତ୍ତମାନ ଯୁବକ ଦ୍ବୟଙ୍କ ଅକାଳ ମୃତ୍ୟୁରେ ଉଭୟ ପରିବାର ସହ ଗାଁ’ରେ ସୃଷ୍ଟି ହୋଇଛି ଶୋକାକୁଳ ପରିବେଶ। ଏଭଳି ଏକ ଛାତିଥରା ଘଟଣା ଘଟିଛି କୋକସରା ବ୍ଲକ୍‌ କର୍ଲାଗୁଡ଼ା ଓ ଆମପାଣି ଗ୍ରାମରେ।

ପ୍ରାପ୍ତ ସୂଚନାନୁସାରେ କର୍ଲାଗୁଡ଼ା ଗ୍ରାମର କୈଳାସ ଚଲାନଙ୍କ ବଡ଼ ପୁଅ ବାହାଘର ଥିବାରୁ ସଂପର୍କୀୟଙ୍କ ଘରକୁ କାର୍ଡ ବାଣ୍ଟିବାକୁ ରବିବାର ମଧ୍ୟାହ୍ନରେ ସାନ ପୁଅ ପିଣ୍ଟୁ ଓ ଆମପାଣି ଗ୍ରାମର ଫକିର ପୂଝାରୀଙ୍କ ଏକ ମାତ୍ର ପୁଅ ଖୁସିରାମ (ପିଣ୍ଟୁଙ୍କ ପିଉସୀ ପୁଅ) ଲଡୁଗାଁ ଅଭିମୁଖେ ବାଇକ୍‌ରେ ବାହାରିଥିଲେ। ଯୋଜନା ଥିଲା କାର୍ଡ ବାଣ୍ଟିବା ସହ ଏକ ବାହାଘର ଭୋଜିରେ ଯୋଗ ଦେଇଥାନ୍ତେ। ମାତ୍ର କୋକସରା ଥାନା ଟେମରା-ବଙ୍ଗୋମୁଣ୍ଡା ରାସ୍ତାରେ କୋକସରାରୁ ଗୋତମୁଣ୍ଡା ମଙ୍ଗଳପୁର ଯାଉଥିବା ଏକ ବାଇକ୍ ସହ ସେମାନଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିଣ୍ଟୁ ଓ ଖୁସିରାମଙ୍କ ସହ ଅନ୍ୟ ବାଇକ୍‌ରେ ଥିବା ମଙ୍ଗଳପୁର ଗ୍ରାମର ଗୌତମ ନାଏକ ଓ ନାବାଳକ ଚନ୍ଦନ ଧରୁଆ ଗୁରୁତର ଭାବେ ଆହତ ହୋଇଥିଲେ। ସମସ୍ତଙ୍କୁ କୋକସରା ଡାକ୍ତରଖାନାରେ ଭତ୍ତି କରାଯାଇଥିଲା। ମାତ୍ର ସେଠାରେ ଗୌତମଙ୍କ ମୃତ୍ୟୁ ଘଟିଥିଲା। ତେଣେ ପିଣ୍ଟୁ ଓ ଖୁସିରାମଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭବାନୀପାଟଣା ଓ ପରେ ବିଶାଖାପାଟଣା ଡାକ୍ତରଖାନା ନିଆଯାଇଥିଲା। ମାତ୍ର ରବିବାର ବିଳମ୍ବିତ ରାତିରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ସୋମବାର ଶବ ଜବତ କରି କୋକସରା ସିଏଚ୍‌ସିରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉଭୟ ଗାଁ’ରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷକୃତ୍ୟ କରାଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

ପ୍ରକାଶଥାଉ କି ପିଣ୍ଟୁ ଭବାନୀପାଟଣା କଲେଜ‌େର ବିଏସ୍‌ସି ଶେଷ ବର୍ଷ ଛାତ୍ର ଥିବା ବେଳେ ଲକଡାଉନ ଯୋଗୁଁ ଗାଁ’ରେ ଆସି ରହୁଥିଲେ। ଏଥି ସହ ସେ ୨୦୧୮‌ରେ ଦେଇଥିବା ଆସାମ ରାଇଫଲ ପାଇଁ ପରୀକ୍ଷାରେ ଉତୀର୍ଣ୍ଣ ମଧ୍ୟ ହୋଇଛନ୍ତି। ଚିଠି ଆସିଥିଲେ ସେ ସେନାବାହିନୀରେ ଯୋଗ ଦେଇଥାନ୍ତେ। ମାତ୍ର ତାହା ହୋଇପାରିଲାନି। ଅନ୍ୟପଟେ ଖୁସିରାମ ଜୟପୁରର ଏକ କଲେଜରେ +୩ ପ୍ରଥମ ବର୍ଷ ପାଠ ପଢୁଥିବା ବେଳେ ଲକଡାଉନ ଯୋଗୁଁ ଘରକୁ ଆସି ରହୁଥିଲେ। ବାହାଘରରେ ଯୋଗ ଦେବାକୁ ସେ ମାମୁ ଘରକୁ ଆସିଥିବା ବେଳେ ଜୀବନ ଚାଲିଗଲା। କୋକସରା ପୋଲିସ ଏକ ମାମଲ ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର