ବିଦ୍ୟୁତ ଝଟ୍‌କାରେ ୨ ମୃତ, ୨ ଆହତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଭ୍ରମରବାଡ଼ି ପଞ୍ଚାୟତ କାଲେଙ୍ଗବାଡ଼ି ଗ୍ରାମର ଦୁଇଜଣ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଛନ୍ତି। ଉଦ୍ଧାର କରିବାକୁ ଯାଇ ଅନ୍ୟ ଦୁଇ ଯୁବକ ଆହତ ହୋଇଥିବା ଜଣାପଡିଛି। ଗତ ରାତିରେ ବିଦ୍ୟୁତ ଖୁଣ୍ଟ ପଡ଼ି ବିଦ୍ୟୁତ ତାର ଜମିରେ ତଳକୁ ଝୁଲି ରହିଥିଲା। ସକାଳେ ଉକ୍ତ ଗ୍ରାମର ରାମଚନ୍ଦ୍ର ପ୍ରଧାନଙ୍କ ପୁଅ ଲିକୁ ପ୍ରଧାନ ଓ ପୁରେନ୍ଦ୍ର ପ୍ରଧାନଙ୍କ ପୁଅ ରଞ୍ଜନ ପ୍ରଧାନ କୌଣସି କାମରେ ସେହି ଜମି ଆଡ଼କୁ ଯାଉଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଝଟ୍‌କା ଖାଇଥିଲେ। ସେମାନଙ୍କ ଚିତ୍କାର ଶୁଣି ଆନ୍ତ ପ୍ରଧାନଙ୍କ ପୁଅ ସୁରଜ ପ୍ରଧାନ(୨୦), ବିରେନ୍ଦ୍ର ପ୍ରଧାନଙ୍କ ପୁଅ ଜଳେନ୍ଦ୍ର ପ୍ରଧାନ(୧୯) ସହିତ ଗାଁ ଲୋକେ ସେଠାକୁ ଧାଇଁ ଯାଇଥିଲେ। ପ୍ରଥମେ ସୁରଜ ଓ ଜଳେନ୍ଦ୍ର ସେମାନଙ୍କୁ ଉଦ୍ଧାର କରିବା ପ୍ରୟାସ କରି ନିଜେ ବିଦ୍ୟୁତ ଝଟ୍‌କାରେ ଗୁରୁତର ଆହତ ହୋଥିଲେ। ଘଟଣା ସ୍ଥଳରେ ଲିକୁ ପ୍ରଧାନ ଓ ରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମର ଲୋକମାନେ ଆହତ ଦୁହିଁଙ୍କୁ ଆଣି ଦାରିଙ୍ଗବାଡ଼ି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଗୁରୁତର ଅବସ୍ଥା ଅଧିକ ହେବାରୁ ତାଙ୍କୁ ଫୁଲବାଣୀ ନିଆଯାଇଥିବା ଜଣାପଡ଼ିଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏନେଇ ଥାନାରେ କେସ ନଂ ୭/୨୦୧୯ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଛେଦ ପରେ ପରିବାରଙ୍କୁ ମରଶରୀର ହସ୍ତାନ୍ତର କରା ଯାଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର