ଦୁଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଜଣେ ଗୁରୁତର, ଜଣେ ଚମ୍ପଟ, ୫୦ କେଜି ଗଞ୍ଜେଇ ଜବତ

ନୟାଗଡ଼/ନୂଆଗାଁ/ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ସିକ୍ରିଡ଼ା ପଞ୍ଚାୟତ ଲୁଣିସରା ଭୋଇସାହି ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇଟି ଗଞ୍ଜେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣାସ୍ଥଳରେ ଦୁଇଜଣ ଗଞ୍ଜେଇ ବେପାରୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବାବେଳେ ଗାଡ଼ିରେ ଥିବା ଆଉ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକେ କହିଛନ୍ତି। ମୃତ ଦୁଇଜଣ ହେଲେ କଟକ ଜିଲ୍ଲା ଜଗତପୁରର ଦିଲୀପ କୁମାର ମହାନ୍ତି(୪୧) ଓ ଜଗତପୁରରେ ରହୁଥିବା ନୟାଗଡ଼ ସଦର ଥାନା ଅନ୍ତର୍ଗତ ବାଲୁଗାଁର ଦାମୋଦର ବେହେରା(୪୨)। ଆହତ ଜଣକ ହେଲେ କଟକ ଜିଲ୍ଲା ମାହାଙ୍ଗାର ଅନନ୍ତ କିଶୋର ପରିଡ଼ା(୨୮)। ନୂଆଗାଁ ପୁଲିସ୍‌ ଗାଡ଼ି ଦୁଇଟିକୁ ଜବତ କରିଥିବାବେଳେ ଏଥିରୁ ଦୁଇଟି ବସ୍ତାରେ ଥିବା ୫୦ କେଜି ଗଞ୍ଜେଇ ଜବତ କରିଛି।

ସ୍ଥାନୀୟ ଲୋକଙ୍କଠାରୁ ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ଦୁଇଟାରେ ଫୁଲବାଣୀରୁ ଏକ ଭର୍ଣ୍ଣା କାର୍‌ ଓ ଏକ ଇଣ୍ଡିଗୋ କାର୍‌ ଆଗପଛ ହୋଇ ନୟାଗଡ଼ ପଟକୁ ଆସୁଥିଲେ। ଇଣ୍ଡିଗୋ କାର୍‌(ଓଡି-୦୨ୱାଇ-୬୫୭୭)ଟି ଆଗରେ ଯାଉଥିବାବେଳେ ଭର୍ଣ୍ଣା କାର୍‌(ଓଆର୍‌-୦୨ଏକ୍ୟୁ-୨୮୮୧)ଟି ପଛରେ ଯାଉଥିଲା। ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥ ଉପରେ ଭୋଇସାହି ନିକଟରେ ଥିବା ବୁଲାଣିଠାରେ ହଠାତ୍‌ ଇଣ୍ଡିଗୋକୁ ଭର୍ଣ୍ଣା ଧକ୍କା ଦେବାରୁ ଦୁଇଟି ଯାକ ଗାଡ଼ି ରାସ୍ତାର ବାମ ପାର୍ଶ୍ୱ ବିଲ ପାଖରେ ଥିବା ନାଳ ଭିତରକୁ ଖସି ପଡ଼ିଥିଲା। କାର୍‌ର ବେଗ ଏତେ ଥିଲା ଯେ ରାସ୍ତାକଡ଼ରେ ଥିବା ୨ ଫୁଟ ମୋଟାର ଏକ ନିମ୍ବ ଗଛ ବି ଦୁଇଗଡ଼ ହୋଇଯାଇଥିଲା। ଫଳରେ ଇଣ୍ଡିଗୋରେ ଥିବା ଦିଲୀପ ଓ ଦାମୋଦର ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଇଣ୍ଡିଗୋ କାର୍‌ ଡିକିରୁ ଗଞ୍ଜେଇ ଜବତ କରାଯାଇଛି।

ସମ୍ବନ୍ଧିତ ଖବର