ଯୁବକର ବର୍ବରକାଣ୍ଡ : ୨ ଜଣଙ୍କୁ ମାରିଦେଲା

ଓଡ଼ଗାଁ/ନୟାଗଡ଼ : ବର୍ଷ ଆରମ୍ଭରୁ ନୟାଗଡ଼ ଜିଲ୍ଲାରେ ବୀଭତ୍ସ କାଣ୍ଡ। ଜଣେ ଯୁବକ ଅତି ନୃଶଂସ ଭାବେ କାଠ ଫାଳିଆରେ ବାଡେଇ ଦୁଇ ଜଣଙ୍କୁ ହତ୍ୟା କରିଥିବା ବେଳେ ୯ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ଏମିତିକି ଜଣେ ଗର୍ଭବତୀ ମହିଳା ଏବଂ ଓଡ଼ଗାଁ ଥାନା ଆଇଆଇସି ମଧ୍ୟ ଏହି ଯୁବକର ଆକ୍ରୋଶରୁ ବର୍ତ୍ତି ପାରିନାହାନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରେ ଘଟିଥିବା ଏହି ଅଭାବନୀୟ କାଣ୍ଡ ରାଜ୍ୟବ୍ୟାପୀ ଆଲୋଚନାର ବିଷୟ ହୋଇଛି। ସ୍ଥାନୀୟ ଲୋକେ ପୁଲିସ୍‌ର ଅବହେଳାକୁ ଏଥି ପାଇଁ ଦାୟୀ କରି ଆଜି ୪ଟି ସ୍ଥାନରେ ରାସ୍ତା ଅବରୋଧ କରିଛନ୍ତି।

ଆତଙ୍କ ସୃଷ୍ଟି କରିଥିବା ଏହି ଯୁବକ ହେଉଛି ନିରଞ୍ଜନ ମଲ୍ଲିକ (୪୦)। ଘର ସାକେରି ପଞ୍ଚାୟତ କୃଷ୍ଣଢିପି ଗାଁରେ। ଗତକାଲିଠୁ ଓଡ଼ଗାଁ ମୁଖ୍ୟଛକରେ ନିରଞ୍ଜନ ଆତଙ୍କ ଖେଳାଇଥିଲେ ମଧ୍ୟ ପୁଲିସ୍‌ ଘଟଣାକୁ ଅତି ହାଲୁକା ଭାବେ ନେଇଥିଲା ବୋଲି ଓଡ଼ଗାଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ନିରଞ୍ଜନ ଯାହାକୁ ଦେଖିଲା କାଠ ଫାଳିଆରେ ଗୋଡେଇ ଗୋଡେଇ ପିଟିଥିଲା। ନିରଞ୍ଜନର ପ୍ରଥମ ଶିକାର ହୋଇଥିଲେ ସ୍ଥାନୀୟ ସଞ୍ଜୀବନୀ କ୍ଲିନିକ୍‌ର କର୍ମଚାରୀ ତଥା ଉକ୍ତ କ୍ଲିନିକ୍‌ ନିକଟରେ ରହୁଥିବା ଗର୍ଭବତୀ ମହିଳା ସୁଲୋଚନା ପ୍ରଧାନ (୩୫)। ଗୁରୁବାର ଭୋର୍‌ ପ୍ରାୟ ୩ଟା ସମୟରେ ସୁଲୋଚନାଙ୍କୁ ଅଭିଯୁକ୍ତ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲା। ସୁଲୋଚନାଙ୍କ ଚିତ୍କାର ଶୁଣି ତାଙ୍କ ମା’ ବଦନୀ ପ୍ରଧାନ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଫଳରେ ସୁଲୋଚନା‌ଙ୍କୁ ଛାଡି ବଦନୀଙ୍କୁ ଆକ୍ରମଣ କରିଥିଲା ନିରଞ୍ଜନ। ଏଥିରେ ବଦନୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ବଦନୀଙ୍କ ଘର ରଙ୍ଗଣିପାଟଣା ପଞ୍ଚାୟତର ଗୋଡ଼ିପଲ୍ଲୀ ଗ୍ରାମରେ। ସେ କିଛି ଦିନ ହେଲା ନିଜ ଝିଅ ଘରକୁ ବୁଲି ଆସିଥିଲେ। ସଞ୍ଜୀବନୀ କ୍ଲିନିକ୍‌ ନିକଟରେ ଏଭଳି ଛାତିଥରା କାଣ୍ଡ ଭିଆଇବା ପରେ ନିରଞ୍ଜନ ଓଡ଼ଗାଁ ପରିବା ମା‌ର୍କେଟ୍‌ରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରୁଥିବା ତ୍ରିଲୋଚନ ସେଠୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତ୍ରିଲୋଚନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସ‌ାଳୟ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥି‌ଲେ।

ନିରଞ୍ଜନର ଆକ୍ରମଣରେ ସ୍ଥାନୀୟ ବାସିନ୍ଦା ଅମୁଲି ବାରିକ (୪୦), ଦାମୋଦର ସାହୁ (୫୦), ରଘୁନାଥ ସାହୁ (୫୦), ବିଜୟ ନାୟକ (୪୮), ମନୋଜ ପ୍ରଧାନ, କବିରାଜ ନାୟକ ପ୍ରମୁଖ ଆହତ ହୋଇଛନ୍ତି। ଓଡ଼ଗାଁ ଛକ ଦେଇ ତାଳଚେର ଅଭିମୁଖେ ଯାଉଥିବା ଗଞ୍ଜାମ ଜିଲ୍ଲା ଆସ୍କାର ଯୁବକ ଅଜୟ କୁମାର ବେହେରାଙ୍କୁ ଅଭିଯୁକ୍ତ ଢେଲା ଓ କାଚ ବୋତଲ ଫିଙ୍ଗିବା ଫଳରେ ସେ ମଧ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତ୍ରିରେ ସ୍ଥାନୀୟ ଲୋକେ ଘଟଣା ସଂପର୍କରେ ଓଡ଼ଗାଁ ଥାନାକୁ ଖବର ଦେଇଥିଲେ ମଧ୍ୟ ପୁଲିସ୍‌ କୌଣସି ପଦକ୍ଷେପ ନେଇନଥିଲା। ଆଜି ସକାଳେ ଓଡ଼ଗାଁ ପୁଲିସ୍‌ ନିରଞ୍ଜନକୁ ଧରିବାକୁ ଯିବା ସମୟରେ ତା’ର ପଥର ମାଡ଼ରେ ଓଡ଼ଗାଁ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ଲହୁଲୁହାଣ ହୋଇଥିଲେ। ପୁଲିସ୍‌ ଏହି ଯୁବକକୁ ଧରିବାକୁ ନାକେଦମ୍ ହୋଇଥିବା ବେଳେ ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତା କ୍ରମେ ସକାଳ ୬ଟାରେ ପାଇକ ସାହିରେ ତାକୁ କାବୁ କରିଥିଲା। ନିରଞ୍ଜନକୁ ବର୍ତ୍ତମାନ ପୁଲିସ ହେପାଜତରେ ରଖାଯାଇଥିବା ନୟାଗଡ଼ ଅତିରିକ୍ତ ଏସ୍‌ପି ଦିଲ୍ଲୀପ କୁମାର ସାହାଣୀ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଆହତଙ୍କୁ ୧ ଲକ୍ଷ ଟଙ୍କା ସହାୟତା, ସରକାରଙ୍କ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା ଦାବି କରି ଓଡ଼ଗାଁ ସିନେମା ହଲ୍ ଛକ, ଚୁଡ଼ା ମିଲ୍ ଛକ, ପରିବା ମାର୍କେଟ୍ ଛକ ଏବଂ ହନୁମାନ ମନ୍ଦିର ଛକ ଆଦି ଚାରିଟି ସ୍ଥା‌ନରେ ଓଡ଼ଗାଁ ଗ୍ରାମବାସୀ, ବଜାର କମିଟି ପକ୍ଷରୁ ରାସ୍ତାରୋକ କରାଯାଇଥିଲା। ଭୋର୍‌ ପ୍ରାୟ ୪ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ଓଡ଼ଗାଁ-ଭଞ୍ଜନଗର ୨୧ ନଂବର ରାଜ୍ୟ ରାଜପଥରେ ଗାଡ଼ି ଚଳାଚଳ ଠପ୍ ହୋଇ ଯାଇଥିଲା।

ଘଟଣାସ୍ଥଳରେ ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ଅତିରିକ୍ତ ଏସ୍‌ପି ଦିଲ୍ଲୀପ କୁମାର ସାହାଣୀ, ଏସ୍‌ଡିପିଓ ନାରାୟଣ ବାରିକ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ମୃତକଙ୍କ ପରିବାରବର୍ଗଙ୍କୁ ବିଜୁ ପକ୍କା ଘର, ରେଡକ୍ରସ୍‌ ପାଣ୍ଠିରୁ ୨୦ ହଜାର ଲେଖା ସହାୟତା, ଆହତଙ୍କ ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନା ସୁବିଧା ଏବଂ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସାହାଯ୍ୟ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ଅଭିଯୁକ୍ତ ନିରଞ୍ଜନ ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର