ବାଘ ଗଣନା ପାଇଁ ଯାଇଥିଲେ, ଭାଲୁ ଆକ୍ରମଣରେ ୨ ବନ କର୍ମଚାରୀ ଆହତ

ସିଙ୍ଗଡ଼ା/କରଞ୍ଜିଆ ଗୋଲେଇ/ଯଶୀପୁର : ବାଘ ଗଣନା କରିବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ବନ କର୍ମଚାରୀ। ଆହତ ଅବସ୍ଥାରେ ୨ଜଣ ବନ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉତ୍ତର ଶିମିଳିପାଳ ବନଖଣ୍ଡରେ ଏହିଭଳି ଘଟଣା ଘଟିଛି।

୨ ଆହତ ବନକର୍ମଚାରୀ ହେଲେ, ବିଶୋଇ ଥାନା ତମାଳବନ୍ଧ ଗାଁର ଚତୁର୍ଭୁଜ ସୋରେନ୍(୨୬) ଓ ରାଇରଙ୍ଗପୁର ଥାନା ପୁରୁଣାଘାଟି ଗାଁର ରାଉଣ୍ଟେ ମାଝୀ(୨୧)। ଦୁହେଁ ବାଘଗଣନା ପାଇଁ ବନବିଭାଗର ଏକ ଚାରିଜଣିଆ ଟିମ୍‌ ସହ ଚହଲା ଅଞ୍ଚଳର ତମାଳବନ୍ଧ କୋର ଏରିଆକୁ ଯାଉଥିଲେ। ସେମାନେ ଜଙ୍ଗଲରେ ଯାଉଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଭାଲୁ ଦୁହିଁଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲା। ଖବରପାଇ ବନ ବିଭାଗ ଉଭୟଙ୍କୁ ଯଶିପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଛି। ସେମାନଙ୍କର ଚିକିତ୍ସା ପାଇଁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିବା ଉତ୍ତର ଶିମିଳିପାଳ ବନଖଣ୍ଡ ଅଧିକାରୀ ତଥା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଡେପୁଟି ଡାଇରେକ୍ଟର ସାଇ କିରଣ ପ୍ରକାଶ କରିଛନ୍ତି। ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦେଶରେ ମୋଟ ୫୨ଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଗୁଡ଼ିକରେ ବର୍ଷାଋତୁ ପୂର୍ବରୁ ଏବଂ ପରେ ଦୁଇଥର ବାଘ ଗଣନା କରାଯାଇଥାଏ। ଗଣନା କାର୍ଯ୍ୟ ଉତ୍ତର ଶିମିଳିପାଳ ବନଖଣ୍ଡ ଏବଂ କରଞ୍ଜିଆ ବନଖଣ୍ଡ ଅଧୀନରେ ଥିବା ୮ଟି ବନାଞ୍ଚଳରେ ଆରମ୍ଭ ହୋଇଛି। ଆଗାମୀ ୭ ଦିନ ପର୍ଯ୍ୟନ୍ତ ବାଘ ଗଣନା କାର୍ଯ୍ୟ ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର