ମଧ୍ୟରାତ୍ରିରେ ମର୍ମନ୍ତୁଦ ଦୁର୍ଘଟଣା : ହାଇଓ୍ଵା ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ

ଭୁବନେଶ୍ୱର : ସୋମବାର ମଧ୍ୟରାତ୍ରିରେ ରାଜଧାନୀର ଆଚାର୍ଯ୍ୟବିହାର ଛକରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ଵା ବାଇକ୍‌କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୨ ଜଣ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରୁ ଜଣକ ପକେଟ୍‌ରୁ ମିଳିଥିବା ପରିଚୟପତ୍ର ଅନୁଯାୟୀ ସେ ବାଲେଶ୍ୱର ବାଲିଆପାଳ ଅଞ୍ଚଳର ସପନ ଜେନା ବୋଲି ଜଣାପଡ଼ିଛି। ମାତ୍ର ଅନ୍ୟଜଣଙ୍କ ପରିଚୟ ମିଳି ନାହିଁ। ନୂଆପଲ୍ଲୀ ଥାନା ପୁଲିସ ପୁଲିସ ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଦୁର୍ଘଟଣା ଘଟାଇଥିବା ହାଇଓ୍ଵା ଚାଳକ ବାଙ୍କି ଅଞ୍ଚଳର ଶିଶିର ସ୍ୱାଇଁକୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ରାତି ପ୍ରାୟ ୧୨ଟା ୩୦ରେ ଏକ ହାଇଓ୍ଵା(ଓଆର୍‌-୦୨ବିକ୍ୟୁ-୪୨୮୯)ଟି ସାଇନ୍ସ ପାର୍କ ପଟୁ ଆପୋଲୋ ହସ୍ପିଟାଲ ଆଡ଼କୁ ଦ୍ରୁତ ଗତିରେ ଯାଉଥିବାବେଳେ ଯୁବକ ଦ୍ୱୟ ହିରୋ ହଙ୍କ୍‌ ବାଇକ(ଓଆର୍‌-୧୪ଏସ୍‌-୫୭୭୭)ରେ ବରମୁଣ୍ଡାରୁ ବାଣୀବିହାର ଆଡ଼କୁ ଯାଉଥିଲେ। ଉଭୟ ଆଚାର୍ଯ୍ୟବିହାର ଛକ ପାର୍‌ ହେଉଥିବା ସମୟରେ ହ୍ଵାଇଓ୍ଵାଟି ସେମାନଙ୍କୁ ଏତେ ଜୋର୍‌ ଧକ୍କା ଦେଇଥିଲା ଯେ ଉଭୟ ଗାଡ଼ିରୁ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟପକ୍ଷରେ ବାଇକ୍‌ଟି ହାଇଓ୍ଵା ଚକ ତଳେ ପଶି ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ହୋଇ ଯାଇଥିଲା। ଖବରପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ହାଇଓ୍ଵାଟିକୁ ଜବତ କରିବା ସହ ଚାଳକକୁ ଥାନାକୁ ନେଇଥିଲା ଏବଂ ଦୁଇଟି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।

ସମ୍ବନ୍ଧିତ ଖବର