ତୁଣ୍ଡଲା ହତ୍ୟା ମାମଲାର ଶୁଣାଣି, ଦୁଇ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଅନ୍ତର୍ଗତ ତୁଣ୍ଡଲା ଗାଁରେ ୨୦୧୮ ମସିହାରେ ଘଟିଥିବା ଦୁର୍ଗେଶ୍ବର ପ୍ରଧାନ ହତ୍ୟା ମାମଲାର ଶୁଣାଣି କରି ସୋମବାର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କ ରାୟ ଶୁଣାଇଛନ୍ତି। ଏହି ମାମଲାର ଦୁଇ ଅଭିଯୁକ୍ତ ସେନାନୀ ପ୍ରଧାନ ଓ ଅବିନାଶ ସରାଫଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ପ୍ରକାଶ ଯେ, କେସିଙ୍ଗା ଥାନା ତୁଣ୍ଡଲା ଗାଁର ଦୁର୍ଗେଶ୍ୱର ମାଛ ଚାଷ କରିଥିଲେ। ଏଥିପାଇଁ ସେ ୫୦ ହଜାର ଟଙ୍କା ସେହି ଗାଁର ସେନାନୀ ପ୍ରଧାନଙ୍କ ଠାରୁ ଧାର ନେଇଥିଲେ। ଟଙ୍କା ଫେରସ୍ତ ପାଇଁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ୨୦୧୮ ମସିହା ମେ ୨୨ ତାରିଖ ଦିନ ଦୁର୍ଗେଶ୍ୱରଙ୍କୁ ହତ୍ୟା କରି ଶେଷଦେବ ସାହୁଙ୍କ ଚାଷଜମିରେ ମୃତ ଦେହ ଓ ବାଇକକୁ ପକାଇ ଦେଇଥିଲେ। ଏନେଇ ମୃତ ଦୁର୍ଗେଶ୍ୱରଙ୍କ ଭାଇ ସୁମନ୍ତ ପ୍ରଧାନ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସିଙ୍ଗା ପୁଲିସ ଆଇପିସି ଧାରା ୩୦୨, ୩୪ ଓ ୨୦୧ରେ ଏକ ମାମଲା ରୁଜୁ କରି ସନ୍ଧାନୀ କୁକୁର ସହାୟତା‌ରେ ତଦନ୍ତ କରିଥିଲା। ସନ୍ଧାନୀ କୁକୁର ତୁଣ୍ଡଲା ଗ୍ରାମର ଅଭିଯୁକ୍ତ ସେନାନୀ ଓ ଅବିନାଶଙ୍କୁ ଚିହ୍ନଟ କରିଥିଲା। ସେଦୁହେଁ ପଥରରେ ଛେଚି ଓ ତଣ୍ଟି ଚିପି ଦୁର୍ଗେଶ୍ୱରଙ୍କୁ ହତ୍ୟା କରିଥିବା ପୁଲିସ ସମ୍ମୁଖରେ ସ୍ବୀକାର କରିଥିଲେ। ହତ୍ୟାକାଣ୍ଡ ସମୟରେ ବ୍ୟବହୃତ ପଥର ଓ ଗାମୁଛାକୁ ପୁଲିସ ଜବତ କରିଥିଲା। ଏହି ମାମଲାର ଶୁଣାଣି ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହୋଇଥିଲା। ମାନ୍ୟବର ଏଡିଜେ ତଥା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ ପ୍ରସନ୍ନ କର୍ଣ୍ଣ ମାମଲାର ଶୁଣାଣି କରି ଉପରୋକ୍ତ କାରାଦଣ୍ଡାଦେଶ ସହିତ ପ୍ରତ୍ୟେକଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ପାଇଁ ନିର୍ଦେଶ ଦେଇଥିଲେ। ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ପ୍ରମୋଦ ସାହାଣୀ ମାମଲାର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର