‘ଡିମ୍‌ଡ ଟୁ ବି ୟୁନିଭରସିଟି’ଗୁଡ଼ିକୁ ୟୁଜିସିର ତାଗିଦ୍‌ : ବିଶ୍ବବିଦ୍ୟାଳୟ ଲେଖନି

ଭୁବନେଶ୍ବର : ଦେଶରେ ୧୨୭ଟି ଶିକ୍ଷାନୁଷ୍ଠାନକୁ ‘ଡିମ୍‌ଡ ଟୁ ବି ୟୁନିଭରସିଟି’ର ମାନ୍ୟତା ପ୍ରଦାନ କରାଯାଇଛି। ତେବେ ସେଥିମଧ୍ୟରୁ ଅଧିକାଂଶ ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ବିବେଚନା କରୁଛନ୍ତି। ଶିକ୍ଷାନୁଷ୍ଠାନର ନାମ ଫଳକଠାରୁ ଆରମ୍ଭ କରି ବିଭିନ୍ନ କାଗଜପତ୍ରରେ ଏହି ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ବୋଲି ଉଲ୍ଲେଖ କରୁଥିବା ନଜରକୁ ଆସିଛି। ଯାହାକି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଆଇନର ସେକ୍ସନ ୨୩ର ବିରୋଧ କରୁଛି। ତେଣୁ ଆସନ୍ତା ମାସକ ମଧ୍ୟରେ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ବଦଳରେ ‘ଡିମ୍‌ଡ ଟୁ ବି ୟୁନିଭରସିଟି’ ବୋଲି ଲେଖନ୍ତୁ। ଏହାପରେ ଯଦି ଦେଶର କୌଣସି ବି ‘ଡିମ୍‌ଡ ଟୁ ବି ୟୁନିଭରସିଟି’ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସେ, ତାଙ୍କ ବିରୋଧ‌ରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ପକ୍ଷରୁ ଚେତାବନୀ ଦିଆଯାଇଛି।

‘ଡିମ୍‌ଡ ଟୁ ବି ୟୁନିଭରସିଟି’ଗୁଡ଼ିକ ବିଶ୍ବବିଦ୍ୟାଳୟ ବୋଲି ନ ଲେଖିବାକୁ ‌୨୦୧୭ରେ ‌ସୁପ୍ରିମ୍‌କୋର୍ଟ ରାୟ ଶୁଣାଇଥିଲେ। ଏହାକୁ ପାଳନ କରିବାକୁ ୟୁଜିସି ପକ୍ଷରୁ କୁହାଯାଇଥିଲା। ତା’ପରେ ବି ଦେଶର କିଛି ଶିକ୍ଷାନୁଷ୍ଠାନ ନିୟମ ଉଲ୍ଲଂଘନ କରିଥିଲେ। ତେଣୁ ଏବେ ୟୁଜିସି ପକ୍ଷରୁ କୁହାଯାଇଛି ଯେ ବିଜ୍ଞାପନ, ୱେବସାଇଟ୍‌ ଠିକଣା, ଇ-ମେଲ୍‌ ଆଇଡି, ଚିଠି ଲେଖିବା, ହୋର୍ଡିଂ ଲଗାଇବା ବେଳେ ସେମାନେ ‘ଡିମ୍‌ଡ ଟୁ ବି ୟୁନିଭରସିଟି’ ବୋଲି ଲେଖିବେ। କୌଣସି ବି ସ୍ଥାନରେ ବିଶ୍ବବିଦ୍ୟାଳୟ ବୋଲି ଉଲ୍ଲେଖ କରିପାରିବେ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସିବେ, ତାଙ୍କ ବିରୋଧରେ ୟୁଜିସି ନିୟମ ୨୦୧୯ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧିତ ଖବର