ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

ଭୁବନେଶ୍ବର : ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇଲା। କେଉଁମାନେ ଯୋଗ୍ୟତା ଅର୍ଜନ କରିଛନ୍ତି, ସମ୍ପୂର୍ଣ୍ଣ ବିବରଣୀ ସହ ତାହା ସାମ୍‌ସ ୱେବସାଇଟ୍‌ରେ ଉପଲବ୍ଧ କରାଗଲା। ଅକ୍ଟୋବର ୨୨ ଓ ୨୩ରେ ନାମଲେଖା ହେବା ନେଇ ବିଜ୍ଞପ୍ତି ବି ଜାରି ହେଲା। ଛାତ୍ରଛାତ୍ରୀ ରୢାଙ୍କ କାର୍ଡ ସହ ସାର୍ଟିଫିକେଟ୍‌ ପ୍ରସ୍ତୁତ କରିସାରିଥିବା ବେଳେ ୨୧ ତାରିଖରେ କୁହାଗଲା ନାମଲେଖା ସ୍ଥଗିତ। ପୁଣି କେବେ ନାମଲେଖା ହେବ, ସେନେଇ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବିଜ୍ଞପ୍ତିରେ କହିଥିଲେ। ଏହି ବିଜ୍ଞପ୍ତିକୁ ଇତି ମଧ୍ୟରେ ମାସେ ବିତିଲାଣି। ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସେଲ୍ଫ ଫାଇନାନ୍ସିଂ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ହେଲାଣି। ମାତ୍ର ସରକାରୀ କଲେଜ ବିଏଡ୍‌ ନାମଲେଖା ନେଇ ସ୍ବରଶବ୍ଦ ନାହିଁ। ବିଭାଗୀୟ ଅତିରିକ୍ତ ସଚିବ ବିଜ୍ଞପ୍ତି ଜାରି କରି ଚୁପ୍‌ ବସିଛନ୍ତି। ସାମ୍‌ସ କର୍ତ୍ତୃପକ୍ଷ ବି ନିରବ। ନାମଲେଖା ହେବ କି ନାହିଁ, ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। ଫଳରେ ରାଜ୍ୟର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। କେଉଁ କଲେଜରେ ନାମ ଲେଖାଇବେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

ଦେଢ଼ମାସ ତଳେ ଆଲଟ୍‌ ହୋଇଥିଲା ହଜାରେ ସିଟ୍‌
ସେଲ୍ଫ ଫାଇନାନ୍ସିଂକୁ ପୋତ୍ସାହିତ କରୁଛନ୍ତି ସରକାର
ପ୍ରଭାବିତ ହେଉଛନ୍ତି ଗରିବ ଛାତ୍ରଛାତ୍ରୀ

ଯେଉଁମାନେ ଉଭୟ ସରକାରୀ କଲେଜ ଓ ସେଲ୍ଫ-ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି, ସେମାନେ ଏବେ ସବୁଠାରୁ ଅଧିକ ଚିନ୍ତାରେ। ଯେଉଁଠି ସିଟ୍‌ ମିଳିଛି, ସେଠାରେ ନାମ ଲେଖାଇବେ କି ନାହିଁ, ଦ୍ବନ୍ଦ୍ବରେ ପଡ଼ିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଗୋଲକଧନ୍ଦାରେ ଏମାନେ ଏବେ ପେଶି ହେଉଛନ୍ତି।

ସରକାରୀ କଲେଜରେ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲଗାତାର ଦୁଇବର୍ଷ ହେଲା ପ୍ରଭାବିତ ହେଲାଣି। ୨୦୨୦-୨୧ ଶିକ୍ଷାବର୍ଷରେ ଭିତ୍ତିଭୂମି ଅଭାବ ଦର୍ଶାଇ ଏନ୍‌ସିଟିଇ ଓଡ଼ିଶାର କୌଣସି ବି ସରକାରୀ ଶିକ୍ଷାନୁଷ୍ଠାନକୁ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁମତି ଦେଇ ନ ଥିଲା। ପରିମାଣ ସ୍ବରୂପ ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବିଏଡ୍‌ ଶିକ୍ଷାନୁଷ୍ଠାନଗୁଡ଼ିକ ଗଣଶିକ୍ଷା ବିଭାଗ ଅଧୀନରୁ ଉଚ୍ଚଶିକ୍ଷା ବିଭାଗକୁ ଆସିଥିଲା। ଆଶା ଥିଲା, ଭିତ୍ତିଭୂମିରେ ସୁଧାର ହେବ। ମାତ୍ର ସେଭଳି ଆଖିଦୃଶିଆ ପରିବର୍ତ୍ତନ ହେଲାନି, ବରଂ ବିଭାଗ ପକ୍ଷରୁ ଶେଷ ମୁହୂର୍ତ୍ତରେ ଅଳ୍ପସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବାରୁ ଏନ୍‌ସିଟିଇ ପକ୍ଷରୁ ସର୍ତ୍ତ ରଖାଯିବା ସହ ମାତ୍ର ୬ଟି କଲେଜର ୩୦୦ ସିଟ୍‌ରେ ନାମଲେଖା ଲାଗି ଅନୁମତି ମିଳିଥିଲା।

ଏଥର ମଧ୍ୟ ସମାନ ଅବସ୍ଥା ଉପୁଜିଛି। ଭିତ୍ତିଭୂମି ନ ଥିବାରୁ ୮ଟି କଲେଜକୁ ଅନୁମତି ମିଳିନାହିଁ। ୧୯ଟି କଲେଜର ୫୦ଟି ଲେଖାଏଁ ବିଏଡ୍‌ ଓ ଗୋଟିଏ କଲେଜର ୫୦ଟି ବିଏଚ୍‌ଏଡ୍‌ ସିଟ୍‌ ଲାଗି ଅନୁମତି ମିଳିଛି। ଯେଉଁଥିରେ ୭ଟି କଲେଜ ଟିଚର ଏଜୁକେସନ(ସିଟିଇ) ରହିଥିବା ବେଳେ ୧୨ଟି ଡିଗ୍ରି/ବିଶ୍ବବିଦ୍ୟାଳୟ ରହିଛି। ଏହାବ୍ୟତୀତ କଟକସ୍ଥିତ ସରକାରୀ ହିନ୍ଦୀ ଶିକ୍ଷକ ତାଲିମ ପ୍ରତିଷ୍ଠାନର ୫୦ଟି ବିଏଚ୍‌ଏଡ୍‌ ପାଇଁ ନାମଲେଖା ପାଇଁ ଅନୁମତି ଦିଆଯାଇଛି। ତେଣୁ ମୋଟ ହଜାରେ ସିଟ୍‌ରେ ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମେଧା ତାଲିକା ଗତମାସରେ ପ୍ରକାଶ କରାଯାଇଥିଲା। ଯେଉଁମାନେ ତାଲିକାରେ ସ୍ଥାନ ପାଇଛନ୍ତି, ସେମାନେ ଖୁସିବ୍ୟକ୍ତ କରିଥିଲେ। ମାତ୍ର ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ହେୟଜ୍ଞାନ ଯୋଗୁଁ ସେମା‌ନେ ଓ ତାଙ୍କ ଅଭିଭାବକ ଏବେ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ। କଲେଜ କର୍ତ୍ତୃପକ୍ଷ ମଧ୍ୟ ଦ୍ବନ୍ଦ୍ବ‌ରେ ରହିଛନ୍ତି।

ସୂଚନାଯୋଗ୍ୟ ଯେ ଚଳିତବର୍ଷ ଅନୁଗୁଳର ଏନ୍‌କେସି ସିଟିଇ, ବାଲେଶ୍ବର ସିଟିଇ, ବଲାଙ୍ଗୀର ସିଟିଇ, କଟକସ୍ଥିତ ଆରଏନ୍‌ଆଇଏଏସ୍‌ଇ, ଗଞ୍ଜାମର ବ୍ରହ୍ମପୁରସ୍ଥିତ ଡିପିଆଇଏଏସ୍‌ଇ, ଭୁବନେଶ୍ବରର ନଳିନୀ ଦେବୀ ମହିଳା କଲେଜ, ସମ୍ବଲପୁରର ଡ. ପିଏମ୍‌ ଆଇଏଏସ୍‌ଇ। ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ବିଏଡ୍‌ ପାଠ୍ୟକ୍ରମ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ହେଲା, ବରଗଡ଼ ପଞ୍ଚାୟତ କଲେଜ, ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, କଟକସ୍ଥିତ ଶୈଳବାଳା ମହିଳା ସ୍ବୟଂଶାସିତ ମହାବିଦ୍ୟାଳୟ, ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଡିଡି କଲେଜ, ଭୁବନେଶ୍ବରର ରାଜଧାନୀ କଲେଜ ଓ ବିଜେବି କଲେଜ, ଜୟପୁରର ବିକ୍ରମଦେବ ସ୍ବୟଂଶାସିତ କଲେଜ, ପୁରୀର ଏସ୍‌ସିଏସ୍‌ ସ୍ବୟଂଶାସିତ କଲେଜ ଓ ସୁନ୍ଦରଗଡ଼ ସରକାରୀ କଲେଜର ୫୦ଟି ଲେଖା‌ଏ ବିଏଡ୍‌ ସିଟ୍‌ରେ ନାମଲେଖା ହେବ ବୋଲି ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର