ବେରୋଜଗାରରୁ ଆତ୍ମହତ୍ୟା, ଝୁଲନ୍ତା ମୃତଦେହ ଉଦ୍ଧାର

ଚରମ ନିଷ୍ପତ୍ତି ନେଲେ ଦାଦନ ଭୂମିପୁତ୍ର

କାଳିଆପାଣି : ସେମାନେ ରତ୍ନଗର୍ଭା ସୁକିନ୍ଦାର ଭୂମିପୁତ୍ର। ସୂର୍ଯ୍ୟବଂଶୀ ଶବର ସମାଜ ଦାୟାଦ। ହେଲେ ଅତିମାତ୍ରାରେ ସରଳ ଓ ନିରୀହ ସ୍ୱଭାବ ପାଇଁ ନିଜ ନିଜର ହକ୍‌ ଜାହିର କରିବାରେ ଅସମର୍ଥ। ଦିନକୁ ଦିନ ଅବହେଳିତ ଭୂମିପୁତ୍ରଙ୍କ ଦୁଃଖ ଦୁର୍ଦ୍ଦଶା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ଏମିତି ଆଉ ଜଣେ ଦାଦନ ଭୂମିପୁତ୍ରଙ୍କ କ୍ଷେତ୍ରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଦାଦନ ଖଟି ଘରକୁ ଫେରିବା ପରେ ବିବାହ କରିବା ଏବଂ ଏହାପରେ ବେରୋଜଗାର ରହିବା ତାଙ୍କ ଭଳି ଜଣେ ନବବିବାହିତଙ୍କ ପାଇଁ କାଳ ହୋଇଛି। ମୃତକ ଜଣକ ଏହି ଥାନା କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତ ଗିରିଙ୍ଗାମାଳି ଗାଁ ଦେହୁରୀସାହିର ସ୍ୱର୍ଗତ ବାଳକୃଷ୍ଣ ଓରଫ୍‌ ବାଳି ଦେହୁରୀଙ୍କ ସାନପୁଅ ବିନୋଦ(୩୦) ବୋଲି ଚିହ୍ନଟ ହୋଇଛି। ଅଭାବ ଦୁଃଖ ପାଇଁ ତାଙ୍କୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିବା ସହ ସାଧାରଣରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
କାଳିଆପାଣି ଥାନା ଅନ୍ତର୍ଗତ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କ କଡ଼ ମହୁଲଖାଲ ଗ୍ରାମ୍ୟ ଜଙ୍ଗଲ ଏକ ଚାକୁଣ୍ଡି ଗଛରୁ ଆଜି ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ନିଜ ପିନ୍ଧା ଗାମୁଛାରେ ସେ ଫାଶୀ ଲଗାଇଥିବା ଦେଖିବାକୁ ମିଳିଥିଲା। ପୁଲିସ୍‌ ଘଟଣାସ୍ଥଳରୁ ତାଙ୍କ ମୃତଦେହ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ୦୯/୨୦୧୭ ରୁଜ୍ଜୁକରି ଶବ ପଞ୍ଚନାମା କରାଇବା ସହ ଏହାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ସମ୍ବେଦନଶୀଳ ଆତ୍ମହତ୍ୟାର ପ୍ରାଥମିକ ତଦନ୍ତ ଜାରିଛି ବୋଲି ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୂଚନା ଦିଅନ୍ତି।
ବିନୋଦ ଜଣେ ଶିକ୍ଷିତ ତାଲିମ୍‌ପ୍ରାପ୍ତ ଯୁବକ ଥିଲେ। କିଛିବର୍ଷ ଧରି ସୁଦୂର ହାଇଦ୍ରାବାଦରେ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରୁଥିଲେ। ଗତ ଜୁନ୍‌ ମାସରେ ଗାଁକୁ ଫେରି ବିବାହ କରିଥିଲେ। ବିବାହ ପରେ ଆଉ ରାଜ୍ୟ ବାହାରକୁ ଯିବାକୁ ଅନିଛା ପ୍ରକାଶକରି ଖଣି ଅଞ୍ଚଳରେ ରୋଜଗାର ଖୋଜୁଥିଲେ। କିଛିଦିନ ପରେ ସେ ଦେବାଳିଆ ଅବସ୍ଥାକୁ ଆସି ଯାଇଥିଲେ। ଅଭାବ ପାଇଁ ପତିପତ୍ନୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ପତ୍ନୀ ତାଙ୍କ ବାପଘର ଏହି ଥାନା ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ନାତୋର ଗାଁକୁ ପଳାଇଥିଲେ। ଗତ ୨୮ ତାରିଖରେ ସେ ପତ୍ନୀଙ୍କୁ ମନାଇ ଆଣିବା ପାଇଁ ନାତୋର ବାହାରିଥିଲେ। ଅଧାବାଟରେ ମନ ପରିବର୍ତ୍ତନ କରି ସେଦିନ ସୁକୁରଙ୍ଗି ଗାଁ ମାମୁଁଘର ଚାଲି ଆସିଥିଲେ। ପରଦିନ ନାତୋର ଯାଇଥିଲେ। ହେଲେ ପତ୍ନୀଙ୍କୁ ସେଠି ମନାଇବାରେ ସେ ବିଫଳ ହୋଇଥିଲେ। ୩୦ ତାରିଖରୁ ଶ୍ୱଶୁରଘର ପାଖ ଗାଁ ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ କଣ୍ଢାର ଗାଁରେ ଥିବା ଜଣେ ସଂପର୍କୀୟଙ୍କ ଘରେ ରହିଥିଲେ। ସେଠାରୁ ଗତକାଲି ଗାଁକୁ ଫେରୁଥିଲେ। ହେଲେ ଅଧାରାସ୍ତା ବାଟ ଗାଁଠୁ ପାଖାପାଖି ୫ କିଲୋମିଟର ଦୂର ଉକ୍ତ ସ୍ଥାନରେ ଅଟକି ଯାଇଥିଲେ।
ପ୍ରକାଶଥାଉକି, ଗତବର୍ଷ ଅଗଷ୍ଟ ମାସରେ ଆଉ ଜଣେ ଦାଦନ ଭୂମିପୁତ୍ର ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅନ୍ତର୍ଗତ ଦେଓଗାଁର ପ୍ରଫୁଲ ଦେହୁରୀଙ୍କ ଏକମାତ୍ର ରୋଜଗାରିଆ ପୁଅ ରଞ୍ଜନ ଦେହୁରୀ(୧୮)ଙ୍କ ଶବ ସୁଦୂର ଚେନ୍ନାଇରୁ ରାତିଅଧିଆ ତାଙ୍କ ଗାଁକୁ ଫେରିଥିଲେ।

ସମ୍ବନ୍ଧିତ ଖବର