ଆଉ ୨୫ ଦିନ ପରେ କାର୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ଲାଗିବ ହବିଷ୍ୟାଳିଙ୍କ ଗହଳିଚହଳି କିନ୍ତୁ ଏ ପର୍ଯ୍ୟନ୍ତ ଶେଷ ହୋଇପାରିନି ହବିଷ୍ୟାଳି କୋଠା
କୃତ୍ରିମ ପୋଖରୀ ପାଲଟିଛି ନରେନ୍ଦ୍ର କୋଣରେ ହବିଷ୍ୟାଳିଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରାସାଦର ଗ୍ରାଉଣ୍ଡ୍ ଫ୍ଲୋର୍
ପୁରୀ : ଆଉ ୨୫ ଦିନ ପରେ ଆରମ୍ଭ ହେବ କାର୍ତିକ ବ୍ରତ। ଉତ୍ସବମୁଖର ହେବ ଶ୍ରୀକ୍ଷେତ୍ର। ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳି ଆସି ଏଠାରେ ଭିଡ଼ ଜମାଇବେ। ଏହାମଧ୍ୟରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦ କ୍ରମରେ ଏମାର ମଠ, ଲଙ୍ଗୁଳି ମଠ, ବଡ଼ଆଖଡ଼ା ମଠକୁ ଜିଲ୍ଲା ପ୍ରଶାସନ ଭାଙ୍ଗି ମାଟିରେ ମିଶାଇ ଦେଇଛି। ସାନଛତା ମଠ, ମଙ୍ଗୁ ମଠ ସହ ଅନ୍ୟାନ୍ୟ ମଠକୁ ଭାଙ୍ଗିବା ଲାଗି ପ୍ରାଶାସନିକ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି। ସେପଟେ ୨୦୧୭ କାର୍ତିକ ମାସରେ ମୁଖ୍ୟମନ୍ତ୍ରୀ ଯେଉଁ ହବିଷ୍ୟାଳି କୋଠା କଥା ଘୋଷଣା କରିଥିଲେ, ତାହା ଏବେ ଅଧାଗଢ଼ା ଅବସ୍ଥାରେ ରହିଥିବା ବେଳେ ଆହୁରି ୫୦ ପ୍ରତିଶତ କାମ ବାକି ରହିଛି। ଏଭଳି ପରିସ୍ଥିତିରେ ମଠ, ମନ୍ଦିରରେ ଆଶ୍ରୟ ନେଉଥିବା ହବିଷ୍ୟାଳିମାନେ ଚଳିତ ବର୍ଷ କେଉଁଠି ଆଶ୍ରୟ ନେବେ ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କାର୍ତିକ ମାସରେ ବିଧବା ଓ ବୟସାଧିକ ମହିଳାମାନେ ମାସେ ବ୍ରତ ପାଳନ କରନ୍ତି। ଦିନକୁ ଥରେ ହବିଷ୍ୟାନ୍ନ ସାଙ୍ଗକୁ ଭଜନ କୀର୍ତନ କରି ମହାପ୍ରଭୁଙ୍କୁ ସ୍ମରଣ କରନ୍ତି। ଏଥି ପାଇଁ ଶ୍ରୀକ୍ଷେତ୍ର ପୁରୀରେ ହଜାର ହଜାର ସଂଖ୍ୟାରେ ହବିଷ୍ୟାଳିଙ୍କ ଭିଡ଼ ଜମେ। ଗତବର୍ଷ ବିଭିନ୍ନ ଜିଲ୍ଲାରୁ ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳି ସରକାରଙ୍କ ଦ୍ବାରା ବ୍ୟବସ୍ଥା କରାଯାଇଥିବା ଅସ୍ଥାୟୀ ଶିବିରରେ ରହିଥିଲେ। କିନ୍ତୁ ସରକାରୀ ଶିବିରରେ ରହୁଥିବା ହବିଷ୍ୟାଳିଙ୍କଠାରୁ ଢ଼େର ଅଧିକ ମଠ, ମନ୍ଦିରରେ ଆଶ୍ରୟ ନେଇଥିଲେ। ହବିଷ୍ୟାଳିମାନେ ବର୍ଷ ବର୍ଷ ଧରି ଏହି ବ୍ୟବସ୍ଥାରେ ରହି ଆସୁଛନ୍ତି। ଚଳିତ ବର୍ଷ ଅକ୍ଟୋବର ୧୪ରେ ଆରମ୍ଭ ହେଉଛି କାର୍ତିକ ବ୍ରତ। କିନ୍ତୁ ଆଜି ସୁଦ୍ଧା ହବିଷ୍ୟାଳିଙ୍କ ପାଇଁ ସେଭଳି କୌଣସି ପଦକ୍ଷେପ ନେଇନାହାନ୍ତି ସରକାର। ୨୦୧୭ ଅକ୍ଟୋବର (କାର୍ତିକ ମାସ)ରେ ମୁଖ୍ୟମନ୍ତ୍ରୀ ହବିଷ୍ୟାଳି ସେବାକୁ ସୁବ୍ୟବସ୍ଥିତ କରିବା ପାଇଁ ସାତମହଲା ବିଶିଷ୍ଟ ଏକ କୋଠା ନିର୍ମାଣ ପାଇଁ ଘୋଷଣା କରିଥିଲେ। ଏ ବାବଦରେ ୩୯ କୋଟି ଟଙ୍କା ବ୍ୟୟବରାଦ ବି ହେଲା। ନରେନ୍ଦ୍ର କୋଣରେ ସ୍ଥାନ ଚିହ୍ନଟ ପରେ ନିଜେ ମୁଖ୍ୟମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର କଲେ। ବର୍ଷକ ଭିତରେ ଅର୍ଥାତ୍ ୨୦୧୮ କାର୍ତିକ ମାସ ପୂର୍ବରୁ ଏହି ହବିଷ୍ୟାଳି କୋଠା ସଂପୂର୍ଣ୍ଣ ହେବ ବୋଲି ଘୋଷଣା କଲେ। କିନ୍ତୁ ୨୦୧୮ ଭିତରେ ଏହି କାମ ଶେଷ କରି ପାରିଲାନି ପ୍ରଶାସନ। ଏବେ ୨୦୧୯ କାର୍ତିକ ମାସ ପାଖେଇ ଆସୁଛି। ଆଉ ୨୦/୨୫ ଦିନ ଭିତରେ ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଗହଳଚହଳ ଲାଗିବ। କିନ୍ତୁ ଏ ପର୍ଯ୍ୟନ୍ତ ହବିଷ୍ୟାଳି କୋଠା ଶେଷ ହୋଇପାରିନି। ୭ ମହଲା ବିଶିଷ୍ଟ ଏହି କୋଠା ଏବେ ୫ ମହଲାରେ ସୀମିତ ରହିଛି।
ନରେନ୍ଦ୍ର କୋଣରେ ହବିଷ୍ୟାଳିଙ୍କ ପାଇଁ ନିର୍ମାଣ ଚାଲିଥିବା ବହୁତଳ ପ୍ରାସାଦର ଗ୍ରାଉଣ୍ଡ୍ ଫ୍ଲୋର୍ ବର୍ତ୍ତମାନ କୃତ୍ରିମ ପୋଖରୀ ପାଲଟିଛି। ଏହା ଭିତରେ ପ୍ରାୟ ବେକେ ଉଚ୍ଚର ପାଣି ଜମିଛି। ପାଣି କଳା ପଡ଼ିଯିବା ସହ ସେଥିରେ ଦଳ ମାଡ଼ିବା ଆରମ୍ଭ କଲାଣି। ଯେଉଁ ସ୍ଥାନରେ ଏହି କୋଠା ନିର୍ମାଣ କରାଯାଇଛି, ତାହାକୁ ଲାଗି ରହିଛି ଏକ ବଡ଼ ପୋଖରୀ। ବର୍ଷା ହେଲେ ପୋଖରୀ ପାଣି କୋଠାର ଗ୍ରାଉଣ୍ଡ୍ ଫ୍ଲୋର୍ରେ ପଶୁଛି ଏବଂ ନିଷ୍କାସନ ବାଟ ନଥିବାରୁ ପାଣି ସେଠାରେ ଜମି ରହୁଛି। କୋଠାଟି ଏକ ପୋଖରୀ ଜାଗାରେ ନିର୍ମାଣ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ଲୋକଙ୍କ ମତ। ସେ ଯାହା ବି ହେଉ, ଜଳ ନିଷ୍କାସନର ଯଦି କୌଣସି ବିକଳ୍ପ ବ୍ୟବସ୍ଥା କରାନଯାଏ ତେବେ ହବିଷ୍ୟାଳିଙ୍କ ପାଇଁ ଏହା ଖାଲି ଅସୁବିଧା ସୃଷ୍ଟି କରିବନି, ନାନାଦି ରୋଗରେ ମଧ୍ୟ ସେମାନେ ଆକ୍ରାନ୍ତ ହେବେ ବୋଲି କୁହାଯାଉଛି।