ଷ୍ଟକ୍‌ ଥିବା ସାରକୁ ଉପଯୋଗ ନକରି କେନ୍ଦ୍ର ଉପରେ ଦୋଷ ଲଦିବା ଦୁର୍ଭାଗ୍ୟଜନକ: ବିଜେପି

ଭୁବନେଶ୍ବର : ଓଡ଼ିଶାକୁ ଧାର୍ଯ୍ୟ ଆବଣ୍ଟିତ ସାର ପରିମାଣ ଠାରୁ କମ୍‌ ସାର ଦିଆଯାଇଥିବା କହି କୃଷି ମନ୍ତ୍ରୀ ଅରୁଣ ସାହୁ କେନ୍ଦ୍ରକୁ ଚିଠି ଲେଖିଥିଲେ। ଆଜି ଏହା ଉପରେ ମତ ରଖି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ, ଗତ ତିନି ବର୍ଷରେ ଓଡ଼ିଶାକୁ ଧାର୍ଯ୍ୟ ଆବଣ୍ଟିତ ସାର ପରିମାଣ ଠାରୁ ଅଧିକ ସାର ଯୋଗାଯାଇଛି। ରାଜ୍ୟରେ ପୂର୍ବରୁ ଷ୍ଟକ୍‌ ଥିବା ସାରକୁ ଉପଯୋଗ ନକରି କୃଷି ମନ୍ତ୍ରୀ କେନ୍ଦ୍ର ଉପରେ ଦୋଷ ଲଦିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଜୁନ୍‌ ୨୦ ସୁଦ୍ଧା ରାଜ୍ୟ ପାଖରେ ୧.୭୩ଲକ୍ଷ ମେଟ୍ରିକ ଟନ୍ ୟୁରିଆ, ୦.୫୭ ଲକ୍ଷ ମେଟ୍ରିକ ଟନ୍ ଡିଏପି ସାର, ୦.୪୮ଲକ୍ଷ ମେଟ୍ରିକ୍ ଟନ୍ ଏମ୍‌ଓପି ସାର, ୦.୯୮ଲକ୍ଷ ମେଟ୍ରିକ୍ ଟନ୍ ଏନ୍‌ପିକେ ସାର ଉପଲବ୍ଧ ଅଛି। ଅପରପକ୍ଷେ ଚଳିତ ଜୁନ୍‌ ମାସ ପାଇଁ ରାଜ୍ୟକୁ ୦.୭୦ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବାବେଳେ କେନ୍ଦ୍ର ସାର ବିଭାଗ ୦.୭୧ଲକ୍ଷ ମେଟ୍ରିକ୍ ଟନ୍ ୟୁରିଆ ରାଜ୍ୟକୁ ଯୋଗାଇବାକୁ ଯୋଜନା କରିଛି। ଜୁନ୍ ପାଇଁ ୦.୫୦ଲକ୍ଷ ମେଟ୍ରିକ ଟନ୍ ଡିଏପି, ୦.୨୦ ଲକ୍ଷ ମେଟ୍ରିକ୍ ଟନ୍ ଏମ୍‌ଓପି ଆବଶ୍ୟକ ଥିବାବେଳେ ଏହାକୁ ଖୁବ୍‌ ଶୀଘ୍ର ଯୋଗାଇବାକୁ କେନ୍ଦ୍ର ସାର ବିଭାଗ ଯୋଜନା କରିଛି। ଏହାବାଦ୍ ଗତ ତିନି ବର୍ଷରେ ୟୁରିଆ, ଡିଏପି, ଏମ୍‌ଓପି ଆବଶ୍ୟକତା ଠାରୁ ଅଧିକ ଯୋଗାଣ ହୋଇଛି। ପୂର୍ବ ତଥ୍ୟ ନଦେଖି କୃଷି ମନ୍ତ୍ରୀ ଅରୁଣ ସାହୁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର