ଅନୁଗୁଳ ଜିଲ୍ଲାରେ ୟୁରିଆ ସାରର ଉତ୍କଟ ଅଭାବ : ଚଢା ଦାମରେ କିଣୁଛି ଚାଷୀ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ୟୁରିଆ ସାରର ଅଭାବ ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଅକ୍ଟୋବର ହେଲାଣି, ଜିଲ୍ଲାର ପାଲଲହଡ଼ା ଓ କଣିହାଁ ବ୍ଲକକୁ ଏବେ ସୁଦ୍ଧା ସାର ପହଂଚି ପାରିନାହିଁ। ୟୁରିଆ ସାରର ଏହି ନିଅଣ୍ଟିଆ ପରିସ୍ଥିତିକୁ ଦେଖି ସାର ବି‌େକ୍ରତାମାନେ କଳାବଜାର ସାର ବିକି ମାଲାମାଲ ହେଉଛନ୍ତି।

ଚଳିତ ଖରିଫ ଋତୁରେ ଅନୁଗୁଳ ଜିଲ୍ଲାରେ ୨,୧୦,୭୪୫ ହେକ୍ଟର‌ ଜମିରେ ଚାଷ ହୋଇଛି। ଏଥିରୁ ୮୮,୦୨୨ ହେକ୍ଟରରେ ଧାନ ଚାଷ ଓ ବାକି ୧,୨୨,୭୨୩ ହେକ୍ଟର ଜମିରେ ଅଣଧାନ ଚାଷ ହୋଇଛି। ଖରିଫ ଫସଲ ପାଇଁ ଜିଲ୍ଲା ପାଇଁ ୫,୫୦୦ ମେଟ୍ରିକ୍ ଟନ୍ ୟୁରିଆ ସାରର ଆବଶ୍ୟକତା ରହିଛି। ହେଲେ ଏପର୍ଯ୍ୟନ୍ତ ଜିଲ୍ଲାକୁ ପାଖାପାଖି ୪,୨୦୦ ମେଟ୍ରିକ ଟନ୍ ୟୁରିଆ ସାର ଆସିଛି। ଧାନ ଫସଲରେ ସାର ପକାଇବା ସମୟ ଅତିକ୍ରାନ୍ତ ହେବାକୁ ଯାଉଥିବା ‌ବେଳେ ଅଦ୍ୟାବଧି ୧୩୦୦ ମେଟ୍ରିକ ଟନ୍ ୟୁରିଆ ଆସି ପାରିନାହିଁ। ଏପର୍ଯ୍ୟନ୍ତ ଆସିଥିବା ସାର ମଧ୍ୟରୁ ମାତ୍ର ୧୪୭୦ ମେଟ୍ରିକ ଟନ୍ ପେକ୍ସ ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି। ବାକିତକ ସାର ହୋଲ୍‌ସେଲର ଓ ଖୁଚୁରା ବ୍ୟବସାୟୀମାନଙ୍କ ଜରିଆରେ ଚାଷୀମାନଙ୍କୁ ବିକ୍ରି କରାଯାଇଛି। ବିଭିନ୍ନ ସରକାରୀ ରିହାତି ଛାଡ଼ି ବସ୍ତା ପ୍ରତି ୨୬୬.୪୫ ଟଙ୍କାରେ ୟୁରିଆ ଚାଷୀମାନଙ୍କୁ ବିକ୍ରି ପାଇଁ ଦର ଧାର୍ଯ୍ୟ କରାଯାଇଛି। ପେକ୍ସ ଓ ହୋଲ୍୍ସେଲରମାନଙ୍କୁ ୟୁରିଆ ସାର ବସ୍ତା ପ୍ରତି ୨୫୮.୧୪ ଟଙ୍କାରେ ଯୋଗାଇ ଦିଆଯାଉଛି। ତେବେ ଚା‌ଷୀମାନଙ୍କୁ ଧାର୍ଯ୍ୟ ଦରଠାରୁ ପାଖାପାଖି ୪୦/୫୦ ଟଙ୍କା ଅଧିକ ଦରରେ କିଣିବାକୁ ପଡ଼ୁଛି। ଅପରପକ୍ଷରେ ‘ପିଓଏସ୍’ ମେସିନ ଜରିଆରେ ଚାଷୀମାନଙ୍କୁ ସାର ବିକ୍ରି କରିବାର ବ୍ୟବସ୍ଥା ରହିଥିଲେ ହେଁ କଳାବଜାରରେ ବିକ୍ରି ପାଇଁ ସେଥିରେ ବି ଚଞ୍ଚକତା କରାଯାଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର