ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତି : ବିଜେଡିର ୧୦ ଦିନିଆ କାର୍ଯ୍ୟକ୍ରମ

ଦଳୀୟ କର୍ମକର୍ତ୍ତାଙ୍କୁ ପତ୍ର ଲେଖିଲେ ସଭାପତି ନବୀନ ପଟ୍ଟନାୟକ

ଭୁବନେଶ୍ୱର : ୧୯୩୬ ମସିହା ଏପ୍ରିଲ ପହିଲାରେ ଆଜିର ଓଡ଼ିଶା ପ୍ରଦେଶ ଜନ୍ମ ନେଇଥିଲା। ଏହି ଅବସରରେ ଏପ୍ରିଲ ୧ରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ୧୦ଦିନ ବ୍ୟାପୀ ବିଜୁ ଜନତା ଦଳ ଓଡ଼ିଶା ପ୍ରଦେଶ ଗଠନର ୮୨ବର୍ଷ ପୂର୍ତ୍ତିକୁ ପାଳନ କରିବାକୁ ଘୋଷଣା କରିଛି। ସ୍ୱତନ୍ତ୍ର ରାଜ୍ୟ ଗଠନର ପ୍ରମୁଖ ବିନ୍ଧାଣୀମାନଙ୍କୁ ସ୍ମୃତି ଅର୍ଘ୍ୟ ଦେବା ସହ ସାଂଗଠନିକ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ବ୍ଲକ ଓ ନଗର ସ୍ତରୀୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କରିବା ଲାଗି ବିଜୁ ଜନତା ଦଳ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ଆଜି ଦଳର ସମସ୍ତ ରାଜ୍ୟ କର୍ମକର୍ତ୍ତା, ଜିଲ୍ଲା ସଭାପତି, ସାଂସଦ, ବିଧାୟକ, ବିଧାୟିକା, ଜିଲ୍ଲା ପର୍ଯ୍ୟବେକ୍ଷକ, ନଗର ଓ ବ୍ଲକ ସଭାପତି, ଛାମୁଆ ସଂଗଠନଗୁଡିକର ରାଜ୍ୟ ସଭାପତି ଓ ଆବାହକମାନଙ୍କୁ ଶ୍ରୀ ପଟ୍ଟନାୟକ ପତ୍ର ଲେଖି ନିର୍ଦ୍ଦେଶ ଦେଇଥିବା ଦଳ ପକ୍ଷରୁ କୁହାଯାଇଛି।

ଏକ ପ୍ରେସ ବିଜ୍ଞପ୍ତିରେ ଦଳ କହିଛି, ରାଜ୍ୟର ବିକାଶ ପାଇଁ ବିଜୁ ଜନତା ଦଳ ଜନସାଧାରଣଙ୍କ ସଦିଚ୍ଛାରେ ବିଗତ ୨ ଦଶନ୍ଧି ଧରି ତାହାର ଆଭିମୁଖ୍ୟ ରଖି ଆସିଛି। ୨୦୦୦ ମସିହା ଠାରୁ ବିଜେଡି ସରକାର ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସାଙ୍ଗକୁ ଅଭିବୃଦ୍ଧି ହାସଲ କରିଚାଲିଛି। ଭିିତ୍ତିଭୂମି, ସାମାଜିକ କ୍ଷେତ୍ର, ଭାଷା, ସଂସ୍କୃତି ଆଦି କ୍ଷେତ୍ରରେ ସାମଗ୍ରିକ ଭାବେ ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବା ଲକ୍ଷ୍ୟ ନେଇ ନୂତନ ସଫଳ ପଦକ୍ଷେପ ନେଇ ଚାଲିଛି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ଏହାର ବିକାଶ ଯାତ୍ରାକୁ ଶହେବର୍ଷ ପୂର୍ତ୍ତି (୨୦୩୬) ଯାଏଁ ଆଗେଇ ନେଇ ଏକ ସ୍ୱାଭିମାନୀ ଓ ସମୃଦ୍ଧଶାଳୀ ବିକଶିତ ଓଡ଼ିଶା ଗଠନ କରାଯିବ। ସେଥିଲାଗି ଗ୍ରାମାଞ୍ଚଳ ଓ ସହରାଞ୍ଚଳର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ନିଆଯାଉଛି। ଏଣୁ ବିଭିନ୍ନ ବର୍ଗର ଜନସାଧାରଣଙ୍କୁ ତୃଣମୂଳସ୍ତରରେ ସାମିଲ କରି ସାଂଗଠନିକ କାର୍ଯ୍ୟକ୍ରମ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି ବୋଲି ଦଳ କହିଛି।

ସମ୍ବନ୍ଧିତ ଖବର