ଜେଲ ଗଲେ ବାଣୀବିହାର କୋଟିପତି କିରାଣି, ମିଳିଲା ୧ କୋଟି ୩୩ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିବା ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗର ବରିଷ୍ଠ କିରାଣି ଅଶୋକ କୁମାର ମିଶ୍ର ଜେଲ୍ ଯାଇଛନ୍ତି। ଆଜି ଅପରାହ୍‌ଣରେ ଅଶୋକଙ୍କୁ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଝାରପଡ଼ା ଜେଲ ପଠାଇ ଦିଆଯାଇଛି। ଅଶୋକ ପୂର୍ବରୁ ମଧ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ। ବିଭାଗ କ୍ୟାମ୍ପସରେ ଗଛ ଲଗାଇବା ପାଇଁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିଲା। ଲକ୍ଷାଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ୨୦୦୨ରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଦୁର୍ନୀତିରେ ଲିପ୍ତ ରହି ଜଣେ କର୍ମଚାରୀ ଦୁଇ ଦୁଇ ଥର ଗିରଫ ଘଟଣା ଏବେ ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନାର ବିଷୟ ପାଲଟିଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ତାଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ, ପାଣ୍ଡରା, ପଟିଆ ପ୍ରଶାନ୍ତି ବିହାର, କଳିଙ୍ଗନଗରରେ ଚଢ଼ଉ କରିଥିଲା ଭିଜିଲାନ୍ସ। ଏହି ଚଢ଼ଉ ସମୟରେ ମଞ୍ଚେଶ୍ବର ପାଣ୍ଡରା, ପ୍ରଶାନ୍ତି ବିହାର ଓ କଳିଙ୍ଗନଗରରେ ଦୁଇ ମହଲା କୋଠା ଠାବ ହୋଇଥିଲା। ଘରୁ ନଗଦ ୩ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ମିଳିଥିଲା। ଗୋଟିଏ କୋଠାର ମୂଲ୍ୟ ୧୩ ଲକ୍ଷ ୯୨ ହଜାର ଟଙ୍କା ହୋଇଥିବା ବେଳେ ବାକି ଦୁଇଟି କୋଠା ଏବଂ ଗୋଟିଏ ଏଲଆଇଜି ଘର ମୂଲ୍ୟ ୫୩ ଲକ୍ଷ ୫୯ ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ବରର ୧ ଲକ୍ଷ ୧୨ ହଜାର ଟଙ୍କାର ୪ଟି ଜମି, ସାଲେପୁରରେ ଗୋଟିଏ କୋଠା, ୨୮ ଲକ୍ଷ ୧୨ ହଜାର ଟଙ୍କାର ୧୪ଟି ଦୋକାନ ଘର, ୬ ଲକ୍ଷ ୧୨ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର, ୧୪ ଲକ୍ଷ ୧୦ ହଜାର ଟଙ୍କାର ବ୍ୟାଙ୍କ ଜମା ଠାବ ହୋଇଥିଲା। ଠାବ ହୋଇଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧ କୋଟି ୩୮ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ପକ୍ଷରୁ ଆକଳନ କରା ଯାଇଥିଲା। ସମ୍ପତ୍ତି ହିସାବନିକାଶ ପରେ ୧ କୋଟି ୩୩ ଲକ୍ଷ ୮୭ ହଜାର ୯୭୨ ଟଙ୍କା ଆୟ ବହିର୍ଭୂତ ବୋଲି ଜଣା ପଡ଼ିଛି। ଆୟ ବହିର୍ଭୂତ ସମ୍ପତ୍ତି ସେ କେମିତି ହାତେଇଲେ? ଆୟର ସୂତ୍ର କ’ଣ ଥିଲା? ସେ ନେଇ ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର