ଭିସୁଟ୍‌ ଛାତ୍ର ପଜିଟିଭ୍‌ ଚିହ୍ନଟ ଘଟଣା ଜଟିଳ ହେଲା

ଅଡ଼ୁଆ ବଢ଼ାଇଲା ଔଷଧ ନିଗମ

ସମ୍ବଲପୁର : ପ୍ରଥମେ ଭିସୁଟ୍‌ର ୨୫ରୁ ଅଧିକ ଛାତ୍ର କରୋନା ପଜିଟିଭ୍‌ ଘୋଷିତ ହେବା, ପରେ ଆଣ୍ଟିଜେନ୍‌ କିଟ୍‌ ତ୍ରୁଟିପୂର୍ଣ୍ଣ ଥିବା ଦର୍ଶାଇ ସେମାନଙ୍କୁ ‌କରୋନା ମୁକ୍ତ ‌ଘୋଷଣା କରିବା ଓ ହଷ୍ଟେଲ ଅଞ୍ଚଳରୁ କଣ୍ଟେନମେଣ୍ଟ ଜୋନ୍‌ ପ୍ରତ୍ୟାହାର ଆଦି ଘଟଣା କ୍ରମେ ଅଧିକ ଜଟିଳ ହେବାରେ ଲାଗିଛି। କିଟ୍‌ ତ୍ରୁଟିଯୁକ୍ତ ନଥିଲା ବୋଲି ଏବେ କହିଛି ରାଜ୍ୟ ସରକାରଙ୍କ ଚିକିତ୍ସ‌ା ସାମଗ୍ରୀ କ୍ରୟ ସଂସ୍ଥା ଓଏସ୍‌ଏମ୍‌ସିଏଲ୍‌ ବା ଔଷଧ ନିଗମ। ଓଏସ୍‌ଏମ୍‌ସିଏଲ୍‌ ଜରିଆରେ ସରକାର ଦିଲ୍ଲୀସ୍ଥିତ ଓସ୍କାର ମେଡି‌କେୟାର ପ୍ରାଇଭେଟ୍ ଲିମିଟେଡ୍‌ଠାରୁ ଏହି ଆଣ୍ଟିଜେନ୍ କିଟ୍ କିଣିଥିଲେ। କିଟ୍‌ ଠିକ୍‌ ନଥିବା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବଙ୍କ ଘୋଷଣା ପରେ ‌ଆଉ ଏକ ସରକାରୀ ସଂସ୍ଥା ଏହାକୁ ଏକରକମ ଖଣ୍ଡନ କରିଛି। ଫଳରେ ସରକାରଙ୍କ ଅଡ଼ୁଆ ବଢ଼ିଛି।

କିଟ୍ ଭୁଲ ଥିବା ଦର୍ଶାଇ ଉକ୍ତ କମ୍ପାନିକୁ ଗତ ସପ୍ତାହରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଏହାର ଜବାବ ଦେଇଛି ଉକ୍ତ କମ୍ପାନି। କମ୍ପାନିର ଏକ ଟିମ୍ ଆସି ଭିମ୍‌ସାର୍‌ର ଆସୋସିଏଟ୍ ପ୍ରଫେସର୍‌ ଡା. ସୁଦର୍ଶନ ପୋଥାଲଙ୍କ ସାମ୍‌ନାରେ ଉକ୍ତ ବ୍ୟାଚ୍‌ର କିଟ୍ ଗୁଡ଼ିକର ଡେମୋ ପରୀକ୍ଷା କରିଥିଲା। ସେଥିରେ ୬୦ ଜଣ ସୁସ୍ଥ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରା ଯାଇଥିଲା ଓ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଆର୍‌ଟିପିସିଆର୍‌ରେ ମଧ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏ ସଂପର୍କରେ ଓସ୍କାର ଓଏସ୍‌ଏମ୍‌ସିଏଲ୍‌କୁ, ଓଏସ୍‌ଏମ୍‌ସିଏଲ୍‌ ଭିମସାର୍‌ ଅଧୀକ୍ଷକଙ୍କୁ ଚିଠି ଲେଖି ଜଣାଇ ଦେଇଛି। ତେବେ ଏହାପରେ ସରକାରଙ୍କ ପ୍ରତିକ୍ରିୟା ଆଉ ଜଣା ପଡ଼ି ନାହିଁ।

ପ୍ରଥମେ ପଜିଟିଭ୍‌, ପରେ ନେ‌େ‌ଗ‌ଟିଭ୍ ଘୋଷିତ ଛାତ୍ରଙ୍କର ଏବେ କ’ଣ ହେବ। ସରକାର ସେମାନଙ୍କର ପୁନଃ ପରୀକ୍ଷା କରିବେ କି? ଭିସୁଟ୍‌ର ୧୧ ଛାତ୍ରାବାସରୁ ଉଠାଇ ଦେଇଥିବା କଣ୍ଟେନ୍‌ମେଣ୍ଟ ଜୋନ୍‌ ପୁନଃ ଘୋଷଣା କରିବେ କି? କେଉଁ ପରୀକ୍ଷା ଆଧାରରେ ଉକ୍ତ ଆକ୍ରାନ୍ତ ଛାତ୍ର ମାନଙ୍କୁ ନେଗେଟିଭ୍ ଘୋଷଣା କରିଥିଲେ ତା’ର ବିସ୍ତୃତ ତଥ୍ୟ ସାର୍ବଜନୀନ କରିବେ କି? ଏଭଳି ନାନା ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଥିଲାବେଳେ ସ୍ବାସ୍ଥ୍ୟ ବିଭାଗ କ’ଣ ଉତ୍ତର ଦେଉଛି ତାହା ଆଗାମୀ ଦିନରେ ଜଣା ପଡ଼ିବ। ଆସନ୍ତାକାଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଥିବା ବେଳେ ଏଥିରେ ସେ ଏ ବିଷୟରେ କ’ଣ କହିବେ ତାହାକୁ ନେଇ ସମସ୍ତଙ୍କ ଉତ୍କଣ୍ଠା ବଢ଼ିଯାଇଛି।

ସମ୍ବନ୍ଧିତ ଖବର