ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ସଂପୃକ୍ତ ପଦାଧିକାରୀଙ୍କୁ ଓଡ଼ିଶା ଅଣଗେଜେଟେଡ୍‌ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ପକ୍ଷରୁ ୫ ଦଫା ଦାବିପତ୍ର ପ୍ରଦାନ କରାଯାଇଛି। ଦାବିଗୁଡ଼ିକ ପୂରଣ ନହେଲେ ଆସନ୍ତା ୧୮ ତାରିଖରୁ ସଂଘ ପକ୍ଷରୁ ପର୍ଯ୍ୟାୟ କ୍ରମେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରାଯିବ। ଏହା ସତ୍ତ୍ବେ ସରକାର ପଦକ୍ଷେପ ନ‌େ‌ନଲେ ମାର୍ଚ ୧ ତାରିଖରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରାଯିବ ବୋଲି ଚେତାବନୀ ଦେଇଛି ସଂଘ।

ଏକ ପ୍ରେସ୍‌ ବିବୃତିରେ ସଂଘର ସଭାପତି ଉପେନ୍ଦ୍ର ନାଥ ରଣା କହିଛନ୍ତି ଯେ ଦୀର୍ଘଦିନର ୫ ଦଫା ଦାବି ନେଇ ସଂଘ ପକ୍ଷରୁ ଗତବର୍ଷ ଫେବ୍ରୁଆରି ୧୨ ଓ ୧୩ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ବିଭାଗୀୟ ମନ୍ତ୍ରୀ, ସଚିବ ପ୍ରମୁଖ ସଂଘର କର୍ମକର୍ତାମାନଙ୍କ ସହିତ ଆଲୋଚନା କରି ଦରମା ବୃଦ୍ଧି, କ୍ୟାଡର ପୁନର୍ଗଠନ, ଜବ୍‌ଚାର୍ଟ ସଂଶୋଧନ ଆଦି ୫ ଦଫା ଦାବିଗୁଡ଼ିକ ୪ ମାସ ମଧ୍ୟରେ ସମାଧାନ କରିବା ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଇତି ମଧ୍ୟରେ ଏକବର୍ଷ ବିତିଯାଇଥିଲେ ମଧ୍ୟ ୩ ହଜାର ପ୍ରାଣୀଧନ ନିରୀକ୍ଷକ ଓ ଏହାର କ୍ୟାଡର ପ୍ରତି ଅବିଚାର କରିବା ଫଳରେ ସଂଘ ଆନ୍ଦୋଳନକୁ ଓହ୍ଳାଇବା ପାଇଁ ନିଷ୍ପତ୍ତି ନେଇଥିବା ଶ୍ରୀ ରଣା କହିଛନ୍ତି।

ସମ୍ବନ୍ଧିତ ଖବର