କୋଟିପତି ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

କେନ୍ଦୁଝର/ଆନନ୍ଦପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଆନନ୍ଦପୁର ବୈତରଣୀ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦ କିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ହୋଇଛି। କେନ୍ଦୁଝର ସହର ଭାଲୁକିପତଳାସ୍ଥିତ ଦ୍ବିତଳ ପ୍ରାସାଦ, କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ଶାଳପଡାସ୍ଥିତ ପୈତୃକ ବାସଭବନ ଉପରେ ଏକ ସଙ୍ଗରେ ଭିଜିଲାନ୍ସ ଚଢ଼ଉ କରିଥିଲା। ସେ ଅନୈତିକ ଉପାୟରେ ବିପୁଳ ଆୟ ବହିର୍ଭୂତ ସ˚ପତ୍ତି ଠୁଳ କରିଥିବା ଭିଜିଲାନ୍ସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଜ ଚାକିରିକାଳ ମଧୢରେ କେନ୍ଦୁଝର ଭାଲୁକିପତଳାରେ ୮ ଡେସିମିଲ ଜମିରେ ଦ୍ବିତଳ କୋଠା ତିଆରି କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଭିଜିଲାନ୍ସ ଆକଳନ କରିଛି। ସେହିପରି ୮ ଲକ୍ଷ ଟଙ୍କା ବ୍ୟାଙ୍କ ଜମା, ଜୀବନବୀମା ୬ ଲକ୍ଷ, ୨ଟି ଦାମୀ ବାଇକ, ଏସ୍‌ବିଆଇ ଲକରରେ ସୁନା ଗହଣା ଓ ତାଙ୍କ ବାସଭବନରେ ବିଳାସପୂର୍ଣ୍ଣ ଆସବାବପତ୍ରକୁ ମିଶାଇ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ସ˚ପତ୍ତି ହେବ ବୋଲି ଜଣାପଡିଛି। ପ୍ରକାଶଥାଉକି, ଯନ୍ତ୍ରୀ ଶ୍ରୀ ସାହୁ ୨୦୦୮ ମସିହାରେ କେନ୍ଦୁଝର ସଦର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ସେତେବେଳେ ସରକାରୀ ଅର୍ଥ ବାଟମାରଣ କରିଥିବା ଅଭିଯୋଗରେ ତାଙ୍କ ନାମରେ ଭିଜିଲାନ୍ସ କେସ୍‌ ହୋଇଥିଲା। ଆଜିର ଏହି ଚଢ଼ଉରେ କେନ୍ଦୁଝର ଭିଜିଲାନ୍ସ ଡିଏସପି ଦେବଦତ୍ତ ସେଠ୍‌, ଇନ୍‌ସପେକ୍ଟର ହେମାମାଳିନୀ ନାଏକ, ଇନ୍‌ସପେକ୍ଟର ଲକ୍ଷ୍ମୀନାରାୟଣ ମୁଖୀ, ସର୍ବେଶ୍ବର ସାହୁ, ମଳୟ କୁମାର ରାଉତ ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର