ପାଣି, ରାସନ ବନ୍ଦ ପ୍ରତିବାଦରେ ବ୍ଲକ ଘେରାଉ କଲେ ଗ୍ରାମବାସୀ

ଦାନଗଦୀ : ଦାନଗଦୀ ବ୍ଲକ ଧୂଳିଗଡ଼ ପଞ୍ଚାୟତର ସହର ସାହିରେ ନଳକୂଅ ଅଚଳ ଓ ରାସନ ବନ୍ଦ ପ୍ରତିବାଦରେ ଲୋକମାନେ ବ୍ଲକ ଘେରାଉ କରିଛନ୍ତି। ନଳକୂଅଟି ବହୁଦିନରୁ ଅଚଳ ରହିଥିଲା। ଗ୍ରାମବାସୀ ପୂର୍ବରୁ ପାଇ ଆସୁଥିବା ରାସନ ସାମଗ୍ରୀକୁ ହଠାତ ବନ୍ଦ କରାଯାଇଛି।

ଅଭିଯୋଗ ମୁତାବକ ୫୦୦ରୁ ଅଧିକ ଜନସଂଖ୍ୟାବିଶିଷ୍ଟ ସହର ସାହିରେ ଦୁଇଟି ନଳକୂଅ ରହିଥିଲା। ଗାଁ ବାହାରେ ଥିବା ନଳକୂଅର ପାଣି ପିଇବା ପାଇଁ ଅନୁପଯୁକ୍ତ। ଗାଁ ମଝିରେ ଥିବା ନଳକୂଅରୁ ଲୋକେ ପିଇବା ପାଣି ପାଇଁ ବ୍ୟବହାର କରୁଥିଲେ।

ଏହି ନଳକୂଅଟି ଅଚଳ ହେବା ପରେ ଲୋକେ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବାରମ୍ବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ନିର୍ବାଚନ ପରେ ନଳକୂଅ ସଚଳ କରାଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଏଯାଏ ସଜଡ଼ା ଯାଇନାହିଁ। ତେଣୁ ଗୁରୁବାର ପୂର୍ବାହ୍ନରେ ବ୍ଲକ୍ କାର୍ଯ୍ୟାଳୟକୁ ଘେରିବା ସହ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟପକ୍ଷରେ ଦୀର୍ଘଦିନରୁ ଗ୍ରାମବାସୀ ପାଉଥିବା ରାସନ ଦୁଇମାସ ତଳେ ବନ୍ଦ କରାଯାଇଥିଲା। ଏ ବାବଦରେ ବରମ୍ବାର ଯୋଗାଣ ବିଭାଗରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମ ମୁଖିଆ ସଂଗ୍ରାମ ବିଶ୍ଵାଳ ଅଭିଯୋଗ କରିଛନ୍ତି। ତେଣୁ ମହିଳାମାନେ ଯୋଗାଣ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ। ବିଡିଓଙ୍କ ନିର୍ଦେଶରେ ଅପରାହ୍‌ଣରେ ନଳକୂଅ ସଚଳ କରାଯାଇଥିବା ଗ୍ରାମବାସୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର