ରେଭେନ୍ସା ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ ହୋଇଥିବା ଜଣେ ଛାତ୍ର ତାଙ୍କ ଛାତ୍ରୀବନ୍ଧୁଙ୍କ ଅଶ୍ଳୀଳ ଫଟୋକୁ ଫେସ୍‌ବୁକରେ ଛାଡ଼ିଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ଛାତ୍ରୀ ରେଭେନ୍ସା କର୍ତ୍ତୃପକ୍ଷ ଓ ମାଲଗୋଦାମ ଥାନରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ, ଛାତ୍ରୀ ଜଣକ ବିଶ୍ୱବିଦ୍ୟାଳୟର ଏକ ହଷ୍ଟେଲରେ ରହି ପଢୁଥିବା ବେଳେ ଛାତ୍ରଙ୍କ ସହିତ ପୂର୍ବରୁ ଚିହ୍ନା ପରିଚୟ ହୋଇଥିଲା। କିଛିମାସ ମଧ୍ୟରେ ଦୁଇଜଣଙ୍କ ସଂପର୍କ ଅତି ନିବିଡ ହୋଇଥିଲା। ସଂପୃକ୍ତ ଛାତ୍ର ଜଣକ ଛାତ୍ରୀଙ୍କୁ ପ୍ରେମ ନିବେଦନ କରିଥିବା ବେଳେ ଛାତ୍ରୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏଥିରେ କ୍ଷୁବ୍ଧ ହୋଇ ଛାତ୍ର ଜଣକ ଦୁଇଦିନ ତଳେ ଛାତ୍ରୀଙ୍କୁ ରେଭେନ୍ସା ପରିସରରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରଥିଲେ। ପରେ ଛାତ୍ରୀଙ୍କ କିଛି ଅଶ୍ଳୀଳ ଫଟୋକୁ ଫେସବୁକ୍‌ରେ ପୋଷ୍ଟ କରି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହି ଘଟଣା ସଂପର୍କରେ ଛାତ୍ରୀ ଜଣକ ରେଭେନ୍ସା କର୍ତ୍ତୃପକ୍ଷ ଓ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣାର ତଦନ୍ତ ଜିଏସ୍‌ସିଏଏସ୍‌ଏଚ୍‌ (ଜେଣ୍ଡର ସେନ୍ସିଟାଇଜେସନ୍‌ କମିଟି ଏଗେନ୍‌ଷ୍ଟ ସେକ୍ସୁଆଲ ହାରାସ୍‌ମେଣ୍ଟ)ରେ କରାଯାଇଛି। ଗତକାଲି ଛାତ୍ରୀ ଜଣକ କମିଟି ନିକଟରେ ଘଟଣା ସଂପର୍କରେ କହିଛନ୍ତି। ଆସନ୍ତାକାଲି ଛାତ୍ର ଓ ତାଙ୍କ ଅଭିଭାବକଙ୍କୁ ଡକାଯାଇ ଅଧିକ ତଦନ୍ତ କରାଯିବ। ଅଭିଯୁକ୍ତ ଛାତ୍ର ଜଣକ ଲଲିତଗିରି ହଷ୍ଟେଲ ଗଣ୍ଡଗୋଳରେ ସଂପୃକ୍ତିକୁ ନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟରୁ ଦୁଇ ବର୍ଷ ପାଇଁ ନିଳମ୍ବିତ ହୋଇଛନ୍ତି। ନିଲମ୍ବିତ ଛାତ୍ର ବିଶ୍ୱବିଦ୍ୟାଳୟ ମଧ୍ୟରେ ପ୍ରବେଶ କରି ଜଣେ ଛାତ୍ରୀଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏହାକୁ ଜିଏସ୍‌ସିଏଏସ୍‌ଏଚ୍‌ କମିଟିକୁ ପଠାଇ ଦିଆଯାଇଛି। ଘଟଣାରେ ସତ୍ୟତା ଥିଲେ ଛାତ୍ରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି କୁଳପତି ପ୍ରଫେସର ଡକ୍ଟର ଈସାନ୍‌ କୁମାର ପାତ୍ର ସୂଚନା ଦେଇଛନ୍ତି। ଅନ୍ୟପଟେ ଏସିପି ତ୍ରିନାଥ ମିଶ୍ର କହିଛନ୍ତି ଯେ, ଅଭିଯୁକ୍ତ ଛାତ୍ରଙ୍କ ସହିତ ଛାତ୍ରୀଙ୍କର ପୂର୍ବରୁ ସଂପର୍କ ଥିଲା। ନିକଟରେ ଛାତ୍ରୀଙ୍କୁ ମାଡ଼ ମରାଯିବା ସହିତ ଦୁର୍ବ୍ୟବହାର କରାଯାଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ପତ୍ତା ମିଳୁନଥିବା ବେଳେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିବା ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର