ଆଜିଠୁ ବିନା ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ

 ଦୈନିକ ୩୦ ହଜାର ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା

 ସକାଳ ୬ରୁ ପୁରୀବାସୀ, ୭ରୁ ସର୍ବସାଧାରଣ ଦର୍ଶନ
ପ୍ରତି ରବିବାର ବନ୍ଦ ରହିବ
ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଧାଡ଼ି
ସମୀକ୍ଷା କଲେ ଆଇନ ମନ୍ତ୍ରୀ

ପୁରୀ : ଶେଷରେ କୋଭିଡ୍‌ ରିପୋର୍ଟ କଟକଣାର ଅନ୍ତ ଘଟିଛି। ଆଜି (ଗୁରୁବାର) ଠାରୁ ବିନା କୋଭିଡ୍‌ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବାକୁ ଯାଉଛି। ଭକ୍ତଙ୍କ ମନରେ ଏ ନେଇ ଉତ୍କଣ୍ଠା ବଢ଼ିଥିବାବେଳେ ଦର୍ଶନକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଧାଡ଼ି ଦର୍ଶନ ପାଇଁ ବଡ଼ଦାଣ୍ଡରେ ମାର୍କେଟ୍‌ ଛକରୁ ବାରିକେଡ୍‌ କରାଯାଇଛି। କୋଭିଡ୍‌ ସଂକ୍ରମଣମୁକ୍ତ ପରିବେଶ ପାଇଁ ସିଂହଦ୍ବାରରେ ଥର୍ମାଲ୍‌ ସ୍କାନିଂ, ସାନିଟାଇଜର ଆଦିର ବ୍ୟବସ୍ଥା କରାଯାଇଛି। ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ପୁରୀ ଆସି ଦର୍ଶନ ବ୍ୟବସ୍ଥା ଅନୁଧ୍ୟାନ ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।

ସେହିଭଳି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ କେନ୍ଦ୍ରାଞ୍ଚଳ ଡିଆଇଜି, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଦର୍ଶନ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଶୃଙ୍ଖଳା ରକ୍ଷା ପାଇଁ ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ମୁତାବକ, ଆସନ୍ତାକାଲିଠାରୁ ଭକ୍ତଙ୍କୁ ଆଉ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ପଡ଼ିବନି। କିନ୍ତୁ ମାସ୍କ, ସାନିଟାଇଜର, ସାମାଜିକ ଦୂରତା ସହ ଅନ୍ୟାନ୍ୟ କୋଭିଡ୍‌ କଟକଣା ବଳବତ୍ତର ରହିବ। ପ୍ରାଥମିକ ପର୍ଯ୍ୟାୟରେ ଦୈନିକ ୩୦ ହଜାର ଭକ୍ତଙ୍କୁ ଦର୍ଶନ କରାଇବା ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ସଂଖ୍ୟା ବଢ଼ିଲେ କ’ଣ ବ୍ୟବସ୍ଥା ହେବ, ସେ ଉପରେ ବିଚାରବିମର୍ଶ ଚାଲିଛି।

ସପ୍ତାହକୁ ଗୋଟିଏଦିନ ଅର୍ଥାତ୍‌ ରବିବାର ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ। ଅନ୍ୟ ଦିନମାନଙ୍କରେ ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରି ଫେରିବେ, ତା’ର ବ୍ୟବସ୍ଥା କରାଯାଇଛି। ନୀତିକାନ୍ତି ସଂପର୍କରେ ବିଭିନ୍ନ ନିଯୋଗ ସହ ଆଲୋଚନା ହୋଇଛି। ପ୍ରତିଦିନ ଭୋର ୫ ଟା ୪୫ ସୁଦ୍ଧା ମଙ୍ଗଳ ଆଳତି ସରିବା ପରେ ସକାଳ ୬ଟାରୁ ଦର୍ଶନ ଆରମ୍ଭ ହେବ। ସକାଳ ୬ଟାରୁ ୭ଟା ପର୍ଯ୍ୟନ୍ତ ପୁରୀ ସହରବାସୀଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। ସହରବାସୀ ଧାଡ଼ିରେ ଆସି ପରିଚୟପତ୍ର ଦେଖାଇ ସିଂହଦ୍ବାର ଦେଇ ଦର୍ଶନ ପରେ ଅନ୍ୟଦ୍ବାରରେ ପ୍ରସ୍ଥାନ କରିବେ। ସକାଳ ୭ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏହି ସମୟରେ ବିନା ପରିଚୟପତ୍ରରେ ବାହାର ଭକ୍ତଙ୍କ ସହ ପୁରୀ ସହରବାସୀ ବି ଦର୍ଶନ କରିପାରିବେ। କିନ୍ତୁ ସର୍ବସାଧାରଣ ଧାଡ଼ିରେ ଆସି ଦର୍ଶନ କରିବାକୁ ପଡ଼ିବ।

ପୂର୍ବରୁ ୬୫ ବର୍ଷରୁ ଅଧିକ ବୟସ୍କ ତଥା ବରିଷ୍ଠ ନାଗରିକଙ୍କ ଦର୍ଶନରେ ଲାଗିଥିବା କଟକଣାକୁ ହଟାଇ ଦିଆଯାଇଛି।

ବରିଷ୍ଠ ନାଗରିକ, ବିଦ୍ୟାଙ୍ଗଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ଧାଡ଼ି କରାଯାଇଛି। ଖରା ବଢ଼ୁଥିବାରୁ ବାରିକେଡ୍‌କୁ କନା ଆଚ୍ଛାଦିତ କରାଯିବା ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି। ପିଇବା ପାଣିର ବ୍ୟାପକ ବନ୍ଦୋବସ୍ତ କରାଯାଇଛି। କିନ୍ତୁ ଆନନ୍ଦ ବଜାର କଟକଣା ବଳବତ୍ତର ରହିଛି। ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କିଣି ଶ୍ରୀମନ୍ଦିର ବାହାରେ ସେବନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୯ ମାସର କୋଭିଡ୍ କଟକଣା ପରେ ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିଥିଲା। ଡିସେମ୍ବର ୨୩ ରୁ ୨୬ ପର୍ଯ୍ୟନ୍ତ ସେବାୟତ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଡିସେମ୍ବର ୨୬ ରୁ ୩୧ ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ ସୁଯୋଗ ପାଇଥିଲେ। ଜାନୁଆରି ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲେ ବି କୋଭିଡ୍ ରିପୋର୍ଟର କଟକଣା ପାଇଁ ଅନେକ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଥିଲେ। ବିଶେଷ କରି ଗରିବ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରୁନଥିଲେ। କୋଭିଡ୍ ରିପୋର୍ଟକୁ ନେଇ ଦୃଢ଼ ବିରୋଧ ପରେ ଶେଷରେ ଏହି କଟକଣାକୁ ହଟାଇ ଦିଆଯାଇଛି। ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ ସ୍ବାଭାବିକ ଦର୍ଶନ ଆରମ୍ଭ ହେବାକୁ ଯାଉଛି।

ସମ୍ବନ୍ଧିତ ଖବର