ଅନ୍ୟ ଜାତିର ଝିଅକୁ ବିବାହ କଲେ ବୋଲି ପରିବାରକୁ ନିଆଁପାଣି ବାସନ୍ଦ

ଜଳେଶ୍ବର : ପୁଅ ଅନ୍ୟଜାତିର ଝିଅକୁ ବିବାହ କରିଥିବାରୁ ସଂପର୍କୀୟମାନେ ଗୋଟିଏ ପରିବାର ପାଇଁ ନିଆଁ ପାଣି ବନ୍ଦ କରିଛନ୍ତି। ଏନେଇ ସଂପୃକ୍ତ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅଧୀନ ଆରୁହା ଗ୍ରାମରେ।

ସୂଚନା ଅନୁସାରେ; ଗ୍ରାମର ଗୌରହରି ମହାପାତ୍ରଙ୍କ ସାନପୁଅ ତାପସ ସ୍ଥାନୀୟ ଖରିଦା ଗ୍ରାମର ଅଜୟ ଜେନାଙ୍କ ଝିଅ କ୍ରିଷ୍ଣାରାଣୀକୁ ୬ ମାସ ତଳେ ପ୍ରେମ ବିବାହ କରିଥିଲେ। ପରିବାରର ଇଚ୍ଛା ବିରୋଧରେ ତାପସ ବାହାଘର କରିଥିଲେ। ତେବେ ବିବାହର ଦୁଇମାସ ପରେ ଦିନେ ରାତିଅଧରେ ପୁଅ ଓ ବୋହୂ ଘରେ ପହଞ୍ଚିଥିଲେ। ଫଳରେ ଗୌରହରି ସେମାନଙ୍କୁ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ। ତେବେ ଗୌରହରିଙ୍କ ଭାଇ ନିମାଇଁ ଓ ବସନ୍ତ, ପୁତୁରା ଶଶାଙ୍କ, ବଡ଼ବାପା ପୁଅ ଭାଇ ସନ୍ତୋଷ ଓ ରବୀନ୍ଦ୍ର ପ୍ରମୁଖ ବୋହୂ କ୍ରିଷ୍ଣାରାଣୀଙ୍କୁ ଘରେ ନ ରଖିବାକୁ କହିଥିଲେ। ହେଲେ ତାହା ସମ୍ଭବ ନହେବାରୁ ସଂପର୍କୀୟମାନେ ଗୌରହରିଙ୍କ ପରିବାର ପାଇଁ ନିଆଁ ଓ ପାଣି ବନ୍ଦ କରିବା ସହ ପରିବାର ଲୋକଙ୍କୁ ସାମାଜିକ ବାସନ୍ଦ କରିଥିଲେ।

ତେବେ ସମସ୍ୟାର ସମାଧାନ ପାଇଁ କୁଳପୁରୋହିତଙ୍କ ମଧ୍ୟସ୍ଥତାରେ ଗୌରହରିଙ୍କ ପରିବାର ସଦସ୍ୟ, ସଂପର୍କୀୟ ଓ ଅନ୍ୟ ଜାତିଭାଇମାନଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଏକ ସମାଧାନର ପନ୍ଥା ବାହାରିଥିଲା। ଏଥିପାଇଁ ଆସନ୍ତା ୯ ତାରିଖ ଗୌରହରିଙ୍କ ଘରେ ନୂତନ ଗୃହ ପ୍ରବେଶ କାର୍ଯ୍ୟକ୍ରମ ସହ ଜାତିଭାଇଙ୍କ ଉଦ୍ଦେଶ୍ୟରେ ଏକ ପ୍ରସାଦ ସେବନର ବ୍ୟବସ୍ଥା ହେବା ନେଇ ଦିବସ ମଧ୍ୟ ଧାର୍ଯ୍ୟ ହୋଇଥିଲା। ଏଥିପାଇଁ ଗୌରହରି ସମସ୍ତ ପ୍ରସ୍ତୁତି ସାରିଥିଲେ। ହେଲେ କାର୍ଯ୍ୟକ୍ରମକୁ ବନ୍ଦ ପାଇଁ ସଂପର୍କୀୟମାନେ ପୁଣି ଗୌରହରିଙ୍କ ଉପରେ ଚାପ ପକାଉଛନ୍ତି। ଏପରି କି କାର୍ଯ୍ୟକ୍ରମରେ ଯେପରି ପୂଜକ ଓ ବାରିକ ଯୋଗ ନ ଦିଅନ୍ତି, ସେଥିପାଇଁ ଧମକ ଦିଆଯାଉଛି। ଫଳରେ ଗୌରହରି ନ୍ୟାୟ ପାଇବା ପାଇଁ ଜଳେଶ୍ବର ଥାନାର ଦ୍ବାରସ୍ଥ ହେବା ସହ ଏତଲା ଦେଇଛନ୍ତି।

ଗୋଟିଏ ପଟେ ପୁଲିସ ଏନେଇ ଉଭୟ ପକ୍ଷକୁ ଡାକି ଥାନାରେ ବୁଝାମଣା ପାଇଁ ଉଦ୍ୟମ କରୁଛି। ଅନ୍ୟପଟେ ଘଟଣା ବାବଦରେ ପଚାରିବାରୁ ନିମାଇଁ କିନ୍ତୁ ଅଭିଯୋଗ ସଂପୂର୍ଣ୍ଣ ନିରାଧାର ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର