ବିଧାନସଭାରେ ସ୍ବୀକାର କଲେ ଜଳସଂପଦ ମନ୍ତ୍ରୀ : ମହାନଦୀରେ ପାଣି କମୁଛି, ଆହୁରି କମିବ
ବିବାଦ ବାହାନାରେ ଓଡ଼ିଶା ପ୍ରକଳ୍ପକୁ ଅଟକାଇ ଦେଲା ଜଳ ଆୟୋଗ
ହାତ ବାନ୍ଧି ବସିଛନ୍ତି ସରକାର, ଅଧା ଓଡ଼ିଶା ପ୍ରତି ବିପଦ ବଢ଼ିଲା
ଛତିଶଗଡ଼, ଆନ୍ଧ୍ର, ପଶ୍ଚିମବଙ୍ଗରୁ ମାଡ଼ିଆସୁଛି ସମସ୍ୟା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ବର : ଛତିଶଗଡ଼ ସରକାର ମହାନଦୀ ଜଳକୁ ଅଟକାଇ ଓଡ଼ିଶାକୁ ସର୍ବସ୍ବାନ୍ତ କରିବା ଲାଗି ଯେଉଁ ଚକ୍ରାନ୍ତ ଚଳାଇଛନ୍ତି, ସେ କ୍ଷେତ୍ରରେ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ଏକ ବଡ଼ ମତ ରଖିଛନ୍ତି। ଆଜି ନିଜେ ଜଳସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ଅଣମୌସୁମୀ କାଳରେ ମହାନଦୀରେ ଚଳିତବର୍ଷ ଜଳପ୍ରବାହ ହ୍ରାସ ପାଇଛି। ଆଗାମୀ ବର୍ଷମାନଙ୍କରେ ଏହା ଆହୁରି କମିବାର ଆଶଙ୍କା ରହିଛି। କେବଳ ସେତିକି ନୁହେଁ, ବିଧାୟକ ଭୂପିନ୍ଦର ସିଂହଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆହୁରି କହିଛନ୍ତି ଯେ ମହାନଦୀ ଜଳ ବିବାଦ ଚୂଡାନ୍ତ ନିଷ୍ପତ୍ତି ନ ହେବା ପର୍ଯ୍ୟନ୍ତ ତେଲ ଇଣ୍ଟିଗ୍ରେଟେଡ୍, ଲକ୍ଷ୍ମୀପଥର, ତେଲିଜୋର, ଖଡ଼ଗୋ ଓ ସତିଘାଟ ପ୍ରକଳ୍ପର ଅନୁମୋଦନକୁ କେନ୍ଦ୍ରୀୟ ଜଳଆୟୋଗ ସ୍ଥଗିତ ରଖିଛି। କଟାଙ୍ଗୀ, ଲୋୟର ଉଦନ୍ତୀ ଏବଂ ଅପର ଉଦନ୍ତୀ ପ୍ରକଳ୍ପର ଅନୁମୋଦନ ପ୍ରକ୍ରିୟାକୁ ବି ସ୍ଥଗିତ ରଖାଯାଇଛି। ଏହି ବିବାଦ ତୁଟିବା ପରେ ଏସବୁ ପ୍ରକଳ୍ପକୁ ଆୟୋଗଙ୍କ ନିକଟକୁ ଆଉଥରେ ପଠାଇବାକୁ କୁହାଯାଇଛି।
ଛତିଶଗଡ଼ ପ୍ରକଳ୍ପ ଅନୁମୋଦନ ବେଳେ ଆଖିବୁଜି ଦେଇଥିବା କେନ୍ଦ୍ରୀୟ ଜଳ ଆୟୋଗ ଏବେ ଜାରି କରିଥିବା କଟକଣା ସବୁ ମହଲରେ ଭ୍ରୂକୁଞ୍ଚନ ସୃଷ୍ଟି କଲାଣି। ଆହୁରି ଆଶ୍ଚର୍ଯ୍ୟ କଥା ହେଲା, ରାଜ୍ୟ ସରକାର ସୁନା ପିଲା ଭଳି ଆୟୋଗଙ୍କ ନିର୍ଦେଶକୁ ମାନି ନେଇ ହାତ ବାନ୍ଧି ବସିବା ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଏଇଥିପାଇଁ ଯେ କେବେ ବିବାଦ ତୁଟିବ, ତାହା କାହାକୁ ଜଣାନାହିଁ। ଟ୍ରିବ୍ୟୁନାଲରୁ କ’ଣ ନିଷ୍କର୍ଶ ବାହାରିବ, ତାହା ବି କେହି ଅନୁମାନ ଲଗାଇପାରିବେ ନାହିଁ। ରାଜ୍ୟ ସରକାର ଯେତେସବୁ ମଧ୍ୟବର୍ତ୍ତିକାଳୀନ ସହଯୋଗ ମାଗିଛନ୍ତି, କୌଣସିଥିରେ ଓଡ଼ିଶାକୁ ଆଶ୍ବସ୍ତି ମିଳିନାହିଁ। ଏବେ ଯଦି ଓଡ଼ିଶାର ପ୍ରକଳ୍ପକୁ ବନ୍ଦ କରିଦିଆଯାଏ, ତେବେ ମହାନଦୀ ଉପରେ ନିର୍ଭର କରୁଥିବା ୧୬ଟି ଜିଲ୍ଲାର ଲୋକଙ୍କ ସ୍ଥିତି କ’ଣ ହେବ, ତାହା ବଡ଼ ପ୍ରଶ୍ନ। ଚଳିତବର୍ଷ ଫେବ୍ରୁଆରିରୁ ତାପମାତ୍ରା ୪୦ ଡିଗ୍ରି ପାଖାପାଖି ଛୁଇଁବା ବେଳେ ଏବର୍ଷ ଆଗକୁ ସ୍ଥିତି କେତେ ଗମ୍ଭୀର ହେବ, ତାହା ଏବେଠାରୁ ପଶ୍ଚିମରୁ ଉପକୂଳ ଯାଏ ଅଧା ଓଡ଼ିଶାକୁ ଆନ୍ଦୋଳିତ କଲାଣି।
ଆଜି ଭୂପିନ୍ଦର ସିଂହଙ୍କ ପ୍ରଶ୍ନ ଆଲୋଚନା ବେଳେ ବିଧାୟକ ପ୍ରଦୀପ କୁମାର ଅମାତ ଗୃହର ଦୃଷ୍ଟି ଆକର୍ଷଣ କରି ଅନୁରୂପ ଉଦ୍ବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଛତିଶଗଡ଼ ସରକାର ଓଡ଼ିଶା ପାଇଁ ଏବେ ବିପଦ ବଢ଼ାଇ ଦେଲେଣି। ଅଣମୌସୁମୀ ସମୟରେ, ବିଶେଷକରି ଏବେ ଗ୍ରୀଷ୍ମକାଳରେ ଲୋକେ ପାଣି ପାଇଁ ଡହଳବିକଳ ହେବେ। ମହାନଦୀ ଶୁଖିଗଲାଣି। ମହାନଦୀ ଉପରେ ନିର୍ଭର କରି ବଞ୍ଚୁଥିବା ଅଞ୍ଚଳ ଓ ଜିଲ୍ଲା ଏବେ କଣ କରିବେ? ଛତିଶଗଡ଼ ସରକାର ତାଙ୍କ ପ୍ରତିଶ୍ରୁତି ରଖୁନାହାନ୍ତି।
ଭୂପିନ୍ଦର ଜାଣିବାକୁ ଚାହିଁଥିଲେ ଯେ କେଉଁ କେଉଁ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ସିଡବ୍ଲୁସିରେ ପଡ଼ିରହିଛି। ମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରୀୟ ଜଳ ଆୟୋଗକୁ ୮ଟି ପ୍ରକଳ୍ପର ଯଥା ଅପର ଉଦନ୍ତୀ, ମିଡ଼ିଲ େକାଲାବ, ଖଇରିବନ୍ଧନ, ଅପର ବଶଂଧାରା, ଲୋୟର ବଂଶଧାରା, ତେଲ ଇଣ୍ଟିଗ୍ରେଟେଡ୍, ଲକ୍ଷ୍ମୀପଥର ଓ ନବରଙ୍ଗପୁର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପଠାଯାଇଥିଲା। ସେହିଭଳି ୭ଟି ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ବି ଅନୁମୋଦନ ପାଇଁ ଦିଆଯାଇଥିଲା। ସେ ମଧ୍ୟରେ ସମାକୋଇ, ଚନ୍ଦ୍ରିନଳା, କଟାଙ୍ଗୀ, ତେଲିଜୋର, ଖଡ଼ାଗୋ, ଲୋୟର ଉଦନ୍ତୀ ଏବଂ ସତୀଘାଟ ଥିଲା।
ସେହିଭଳି ବିଧାୟକ ଶ୍ରୀ ବାହିନୀପତି ଏକ ଅଣତାରକା ପ୍ରଶ୍ନରେ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅଟକାଇ ରଖିବା ସହିତ ବହୁ ବ୍ୟାରେଜ ନିର୍ମାଣ କରିବାର ପ୍ରଭାବ ଏବେ ଦେଖିବାକୁ ମିଳୁଛି କି? ଓଡ଼ିଶାରେ ମହାନଦୀ ଶୁଖିଲା ପ୍ରାୟ ଥିବା ବେଳେ ଛତିଶଗଡ଼ରେ ମହାନଦୀ ଭରପୂର ଅଛି କି? ବାସ୍ତବପକ୍ଷେ ଅଣମୌସୁମୀ କାଳରେ ଚଳିତବର୍ଷ କେତେ ଜଳ ପ୍ରବାହ ଓଡ଼ିଶାରେ ହ୍ରାସ ପାଇଛି; ଆଗାମୀ ବର୍ଷ ଏହା ଆହୁରି କମିବ? ସରକାର କି ଭୂମିକା ନେବେ?
ଏହାର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀ ଦାସ ସ୍ବୀକାର କହିଛନ୍ତି ଯେ ଛତିଶଗଡ଼ ସରକାର ମହାନଦୀ ପାଣିକୁ ଅଟକାଇବା ପାଇଁ ବହୁ ବ୍ୟାରେଜ କରିଛନ୍ତି। ଏହାର ପ୍ରଭାବରେ ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳ ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି। କିନ୍ତୁ ସେ ରାଜ୍ୟରେ ମହାନଦୀ ଶଯ୍ୟାରେ ଜଳ ଭରପୂର ରହୁଛି।
ମନ୍ତ୍ରୀ ଏହି ଅବସରରେ ସରକାରଙ୍କ ପଦକ୍ଷେପ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ସମାଧାନ ନିମନ୍ତେ ଏକ ବୈଧାନିକ ଅଭିଯୋଗ ଦାଖଲ କରିଥିଲେ। ଏହା ଆଧାରରେ କେନ୍ଦ୍ର ସରକାର ୨୦୧୮ ମସିହାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି। ରାଜ୍ୟ ସରକାର ଏସବୁକୁ ସଂପର୍କରେ ଟ୍ରିବ୍ୟୁନାଲକୁ ଜଣାଇଛନ୍ତି, ଯାହା ବିଚାରାଧୀନ ରହିଛି।
ଉଲ୍ଲେଖଯୋଗ୍ୟ ଯେ ପଡ଼ୋଶୀ ରାଜ୍ୟର ଦାଦାଗିରି ଏବେ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କଲାଣି। ଗୋଟିଏ ପଟେ କୋରାପୁଟର କୋଟିଆ ପଞ୍ଚାୟତକୁ ଆନ୍ଧ୍ରପ୍ରଦେଶ ମାଡ଼ିବସି ନିକଟରେ ସେଠାରେ ପୁଲିସ ଫୋର୍ସ ପୂରାଇ ନିର୍ବାଚନ କରିଛି। ରାଜ୍ୟ ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ଓଡ଼ିଶାରେ ନିଜ ଯୋଜନା କାର୍ଯ୍ୟକାରୀ କରି ନିଜର ଦୁଃସାହସ ପ୍ରଦର୍ଶନ କରିବାକୁ ଭୁଲିନାହିଁ। ଠିକ୍ ଏମିତି ସମୟରେ ଓଡ଼ିଶା ସୀମାନ୍ତରେ ମନମାନି ଚଳାଇଛି ପଶ୍ଚିମବଙ୍ଗ। ଏସବୁକୁ ନେଇ ସମଗ୍ର ରାଜ୍ୟରେ ଅସନ୍ତୋଷ ବଢି଼ବାରେ ଲାଗିଲାଣି।