ଇନ୍ଦ୍ରାବତୀ ଡ୍ୟାମ୍‌ରେ ଜଳସ୍ତର କମୁଛି: ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବ

ତେନ୍ତୁଳିଖୁଣ୍ଟି : ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଷକାମ ବାଧାପ୍ରାପ୍ତ ହୋଇଛି। ଅସ୍ବାଭାବିକ ବର୍ଷା ଯୋଗୁ ନବରଙ୍ଗପୁର ଜିଲ୍ଲାର ମକା ଓ ଧାନ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପଟେ ବର୍ଷା ଅଭାବରୁ ଚଳିତ ବର୍ଷ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ମଧ୍ୟ ଆଶାତୀତ ଭାବେ ହ୍ରାସ ପାଇଥିବାରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଦେଖା ଦେଇଛି।

୧୯୭୮ ମସିହାରୁ କପୁର, ମୁରାନ, ପୋଡ଼ଗଡ଼ ଏବଂ ଇନ୍ଦ୍ରାବତୀ ନଦୀରେ ବନ୍ଧ ବାନ୍ଧି ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ଆରମ୍ଭ ହୋଇ ୧୯୯୯ ମସିହାରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ୧୧୦ ବର୍ଗ କିଲୋମିଟର ପରିବ୍ୟାପ୍ତ ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୪୨.୫ ମିଟର ରହିଥିବା ବେଳେ ଚଳିତବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଜଳଭଣ୍ଡାରର ଜଳସ୍ତର ବହୁ ମାତ୍ରାରେ ହ୍ରାସ ପାଇଛି। ଗତବର୍ଷ ଅଗଷ୍ଟ ୧୫ ତାରିଖରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୯୪୧ ମିଟରରେ ପହଞ୍ଚିବାରୁ ଜଳଭଣ୍ଡାରର ୨ଟି ଫାଟକ ଖୋଲା ଯାଇଥିଲା। ତେବେ ଚଳିତ ବର୍ଷ ଅଗଷ୍ଟ ମାସ ୨୯ ତାରିଖ ତଥାା ଆଜି ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୩୧.୪୯ ମିଟର ରହିଛି। ଗତବର୍ଷ ଅପେକ୍ଷା ଜଳସ୍ତର ୧୦ମିଟର କମ୍‌ ଥିବାରୁ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିବା ନେଇ ଆଶଙ୍କା ଦେଖାଦେଇଛି। ଯଦି ଜଳଭଣ୍ଡାରର ଜଳସ୍ତର ୬୨୫ ମିଟର ତଳକୁ ଆସେ ତେ‌ବେ ବିଦ୍ୟୁତ ଉତ୍ପାଦନ ସମ୍ପୂର୍ଣ ବନ୍ଦ ହୋଇଯିବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଜଳସ୍ତର ୬୪୧ ମିଟରରେ ପହଞ୍ଚି ନପାରିଲେ ବର୍ଷ ତମାମ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ବାଧା ସୃଷ୍ଟି ହେବ ବୋଲି ମଧ୍ୟ ଆଶଙ୍କା କରାଯାଉଛି।

ବର୍ତ୍ତମାନ ଇନ୍ଦ୍ରାବତୀ ଡ୍ୟାମ୍‌ର ଜଳକୁ ବିନିଯୋଗ କରି କଳାହାଣ୍ଡି ଜିଲ୍ଲାର ମୁଖିଗୁଡ଼ା ସ୍ଥିତ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ୪ଟି ଟରବାଇନ୍‌ ମାଧ୍ୟମରେ ଦୈନିକ ୬୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି। କିନ୍ତୁ ବର୍ଷା ଅଭାବ ଯୋଗୁ ଚଳିତ ବର୍ଷ ଜଳଭଣ୍ଡାରରେ ଜଳସ୍ତର ହ୍ରାସ ପାଇଥିବାରୁ ବର୍ଷ ତମାମ ବିଦ୍ୟୁତ ଉତ୍ପାଦନ କ୍ଷେତ୍ରରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର