ଗତିପଥ ବଦଳାଉଛି ମଙ୍ଗଳା ମୁହାଣ

କୂଳ ଲଂଘି ବେଳାଭୂମି ଖାଇଗଲାଣି, ପ୍ରସ୍ତାବରେ ଅଟକିଛି ଜିଓ ସିନ୍ଥେଟିକ୍‌ ସୁରକ୍ଷା ପାଚେରି

ପୁରୀ : ବାରମ୍ବାର ଗତିପଥ ବଦଳାଉଛି ମଙ୍ଗଳା ମୁହାଣ। ଯେଉଁଠି ମୁହାଣ ରହିଥିଲା, ତାହା କ୍ରମେ ବେଳାମାର୍ଗ ଆଡ଼କୁ ମୁହାଁଇଲାଣି। ସମୁଦ୍ର ଜୁଆର ସହ ମଙ୍ଗଳା ନଦୀର ଉଦ୍ଦାମ ଜଳରାଶି ବେଳାଭୂମିର ବାଲିକୁ ସମୁଦ୍ର ଗର୍ଭକୁ ଟାଣି ନେଲାଣି। ତଥାପି ଚେତୁନି ଜଳସେଚନ ବିଭାଗ। ବଦଳା ଗତିପଥକୁ ପ୍ରତିରୋଧ କରିବାକୁ ଉଦ୍ୟମ ଆରମ୍ଭ ହେଉନି। ଯାହା ବିପଦର ଆଭାସ ଦେଉଛି। ‘ଫନି’ ଭଳି ଯଦି କିଛି ବଡ଼ ଝଡ଼ବାତ୍ୟା ଦେଖାଦିଏ, ତେବେ ସ୍ଥିତି ଆହୁରି ଭୟଙ୍କର ହେବା ଆଶଙ୍କା ରହିଛି। ସେପଟେ କିନ୍ତୁ ଏହାର ସ୍ଥାୟୀ ପ୍ରତିକାର ବଦଳରେ ବାର୍ଷିକ ମୁହାଣ ସଫା ଆଳରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରାଯାଉଥିବା ଅଭିଯୋଗ ହେଉଛି।

ପୂର୍ବରୁ ମଙ୍ଗଳା ନଦୀର ଏହି ପ୍ରାକୃତିକ ଗତିପଥ ଅବରୋଧ ପରେ ମଙ୍ଗଳାନଦୀ ସହ ମିଶି ସମୁଦ୍ର ଜଳରାଶି ସ୍ଥଳଭାଗ ଆଡ଼କୁ ମାଡ଼ି ଆସିଥିଲା। ବେଳାମାର୍ଗ ସଂଲଗ୍ନ ରାସ୍ତାକୁ ଧୋଇନେବା ସହ ସହର ପାଇଁ ବିପଦ ସୃଷ୍ଟି କରିଥିଲା। ଏହାକୁ ନେଇ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ପ୍ରତିନିଧି ଦଳ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଆଲୋଚନା ପରେ ବାଲି ହଟାଯାଇ ପ୍ରାକୃତିକ ଗତିପଥକୁ ପ୍ରଶସ୍ତ କରାଯିବା ସହ ସୃଷ୍ଟି ହୋଇଥିବା ଅନ୍ୟ ଗତିପଥକୁ ବନ୍ଦ କରାଯାଇଥିଲା। ବାଲିବସ୍ତା ସାଙ୍ଗକୁ ବଲ୍ଲା ବାଡ଼େଇ ବନ୍ଧ ନିର୍ମାଣ କରାଯାଇଥିଲା। ବହୁବର୍ଷ ତଳର ଏହି ବନ୍ଧ ଏବେ ନଷ୍ଟ ହୋଇଗଲାଣି। ଯେଉଁଥିପାଇଁ ମଙ୍ଗଳା ନଦୀର ଜଳ ସହ ସମୁଦ୍ରର ଉଛୁଳା ଜଳରାଶି ଏହି ବନ୍ଧ‌ ଡେଇଁ ବେଳାମାର୍ଗ ଆଡ଼କୁ ମାଡ଼ି ଆସିଲାଣି। ଯେଉଁଠି ସମୁଦ୍ର ଜଳରାଶି ଓ ମଙ୍ଗଳା ନଦୀର ଜଳରାଶି ମିଶୁଥିଲା, ମଙ୍ଗଳା ମୁହାଁଣ ସେଠୁ ଗତିପଥ ବଦଳାଇ ବାମପାର୍ଶ୍ବକୁ ମାଡ଼ି ଆସିଲାଣି। ଯେଉଁଥିପାଇଁ ମଙ୍ଗଳା ନଦୀର ଜଳ କ୍ରମେ ବାମପାର୍ଶ୍ବକୁ ମାଡ଼ି ଆସିଲାଣି। ମଙ୍ଗଳା ନଦୀର ଜଳ ସହ ସମୁଦ୍ର ଜୁଆର ବି ବାମ ପାର୍ଶ୍ବକୁ ମାଡ଼ି ଆସି ବାଲି ଧୋଇ ନେଲାଣି। ଯଦି ଏବେଠୁ ଏହାକୁ ନ ନିୟନ୍ତ୍ରଣ କରା ନଯାଏ, ଆଗକୁ ଏହା ବିପଦ ସୃଷ୍ଟି କରିବା ଆଶଙ୍କା ରହିଛି। ଯେଉଁ ପରିମାଣରେ ଏହା କୂଳ ଖାଉଛି, ତାହା ଉଦ୍‌ବେଗର ବିଷୟ ପାଲଟିଛି।

ମଙ୍ଗଳା ମୁହାଣ ବାରମ୍ବାର ଗତିପଥ ବଦଳାଇବା ଓ ଅସ୍ଥାୟୀ ବନ୍ଧ ନଷ୍ଟ ହେବା ଆଶଙ୍କା ରହିଥିବାରୁ ୨୦୧୮ ମସିହାରେ ଜଳସେଚନ ବିଭାଗ ଏଠାରେ ଜିଓ ସିନ୍ଥେ‌ଟିକ୍‌ ପାଚେରି କରିବ ବୋଲି ଯୋଜନା ପ୍ରସ୍ତୁତ କରିଥିଲା। ପ୍ରାୟ ୧୦ କୋଟି ଟଙ୍କାର ଡିପିଆର୍‌ ବି ପ୍ରସ୍ତୁତ ହୋଇଥିଲା। ଉଚ୍ଚସ୍ତରୀୟ ଅଧିକାରୀମାନେ ବି ଆସି ସ୍ଥିତି ଅନୁଧ୍ୟାନ କରି ଫେରିଥିଲେ। ଇତିମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲେ ବି ଏ ଦିଗରେ ଜଳସେଚନ ବିଭାଗ ଆଉ କୌଣସି ପଦକ୍ଷେପ ନେଇନାହିଁ। ଯେଉଁଥିପାଇଁ ମଙ୍ଗଳା ନଦୀର ଏହି ବିପଦ ଦିନକୁ ଦିନ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର