ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଓଡ଼ିଶା ସରକାର ଜଳସେଚନ ପାଇଁ ଅଧିକ ଅର୍ଥ ବ୍ୟୟ ବରାଦ କରିବା ସହ ଅନେକ ସେଚ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି। ଧାର୍ଯ୍ୟ ସମୟ ଭିତରେ ପ୍ରକଳ୍ପଗୁଡ଼ିକ ଶେଷ ନ ହେବାରୁ ସେସବୁର ଖର୍ଚ୍ଚ ପରିମାଣ ବୃଦ୍ଧି ପାଉଛି। ନିର୍ମାଣାଧୀନ ଥିବା ଜଳସେଚନ ପ୍ରକଳ୍ପଗୁଡ଼ିକର କାମ ଏଣିକି ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବାକୁ ଜଳସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ୫’ଟି’ ଆଧାରରେ ସବୁକାମକୁ ଠିକ୍ ଭାବରେ ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବ ଦେଇଛନ୍ତି। ମଙ୍ଗଳବାର ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ ବିଭାଗୀୟ ସମୀକ୍ଷା କରିବା ଅବସରରେ ବିଭିନ୍ନ ବୃହତ, ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। ସୁବର୍ଣ୍ଣରେଖା, ଲୋୟର ଇନ୍ଦ୍ରାବତୀ, ରେଙ୍ଗାଲି ଦକ୍ଷିଣ ପାର୍ଶ୍ବ କେନାଲ, ରେଙ୍ଗାଲି ବାମ ପାର୍ଶ୍ବ କେନାଲ, ଆନନ୍ଦପୁର, କାନପୁର, ଲୋୟର ସୁକତେଲ ଆଦି ବୃହତ ଜଳସେଚନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ସଚିବ ଓ ଯନ୍ତ୍ରୀମାନଙ୍କଠାରୁ ପଚାରି ବୁଝିଥିଲେ। ଏହିସବୁ ପ୍ରକଳ୍ପଗୁଡ଼ିକ ମଧ୍ୟରୁ କେତେକ ୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଥିବାବେଳେ ଆଉ କେତେକ ୨ରୁ ୩ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ବାକିଗୁଡ଼ିକ ୨୦୨୪ ସୁଦ୍ଧା ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସବୁପ୍ରକାର ଆହ୍ବାନକୁ ସାମନା କରି ଚାଷୀ ଓ ଜନସାଧାରଣଙ୍କ ସାମୁହିକ ସ୍ବାର୍ଥ ଦୃଷ୍ଟିରୁ ଯନ୍ତ୍ରୀମାନେ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ଗୁରୁତ୍ବାରୋପ କରିଥିଲେ। ବୈଠକରେ ପାର୍ବତୀଗିରି ଉଠାଜଳସେଚନ ପ୍ରକଳ୍ପ, ବରଗଡ଼ ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ସମୀକ୍ଷା ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ସ୍ବତନ୍ତ୍ର ଶାସନ ସଚିବ ବିଶାଳ ଗଗନ, ସର୍ବୋଚ୍ଚ ଯନ୍ତ୍ରୀ ଏ.କେ ବାନାର୍ଜୀଙ୍କ ସମେତ ବହୁ ଉଚ୍ଚପଦସ୍ଥ ଅଧିକାରୀ ଓ ଯନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର