ଶୁଖିଲା ପଡ଼ିଛି ଚମ୍ପିକୋଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ; ରକ୍ଷଣାବେକ୍ଷଣର ଅଭାବ, ଶହ ଶହ ହେକ୍ଟର ଜମିକୁ ମାଡ଼ୁନି ପାଣି

ଚାଷ ଛାଡ଼ି ୪ ଗାଁର ଚାଷୀ ପାଲଟିଛନ୍ତି ଦାଦନ ଶ୍ରମିକ, ୮୫୪ ବଦଳରେ ୪୦୦ ହେକ୍ଟର ଜମିକୁ ମାଡ଼ୁଛି ପାଣି

ରାୟଗଡ଼ା: ଭାଙ୍ଗିରୁଜି ପଡ଼ିଛି କେନାଲ୍। ପୁନରୁଦ୍ଧାର ଅଭାବରୁ କମୁଛି ଡ୍ୟାମର ଜଳଧାରଣ କ୍ଷମତା। ଫଳରେ ତଳମୁଣ୍ଡରେ ଥିବା ଶହ ଶହ ଏକର ଜମିକୁ ମାଡ଼ୁପାରୁନି ପାଣି। ଜଳସେଚନ ଅଭାବରୁ ଚାଷୀ ଦୁଇ ଫସଲ କରିବାରୁ ବଞ୍ଚିତ ହେଉଥିବା ବେଳେ ବହୁ ଦାବି ସତ୍ତ୍ବେ ପ୍ରକଳ୍ପର ମରାମତି ଓ ପୁନରୁଦ୍ଧାର ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।

ରାୟଗଡ଼ା ବ୍ଲକ୍ ଗାଜିଗାଁ ପଞ୍ଚାୟତର ଚମ୍ପିକୋଟା ଗାଁରେ ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଚମ୍ପିକୋଟା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ୧୯୬୪ ମସିହାରେ ୩ ଲକ୍ଷ ୫୪ ହଜାର ୩୦୦ ଟଙ୍କା ବ୍ୟୟରେ ଗାଁ ନିକଟରେ ଥିବା ଦୁଇଟି ପାହାଡ଼ରୁ ବହି ଆସୁଥିବା ଝରଣା ଓ ବର୍ଷା ପାଣିକୁ ଅଟକାଇ ଚାଷ ଜମିକୁ ଛାଡ଼ିବାକୁ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲା। ଖରିଫରେ ୮୫୪ ହେକ୍ଟର, ରବି ଋତୁରେ ୨୦୨ ହେକ୍ଟର ଜମିକୁ ପ୍ରକଳ୍ପ ଦ୍ବାରା ଜଳସେଚିତ କରିବାର ଲକ୍ଷ୍ୟ ଥିଲା। ଏଥି ପାଇଁ ୭.୩୧ କିମି ମୁଖ୍ୟ କେନାଲ ଓ ୨.୫୩ କିମି ଶାଖା କେନାଲ ନିର୍ମାଣ ହୋଇଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ପରେ ଚମ୍ପିକୋଟା ସମେତ ଗାଜିଗାଁ, ବିଲେସୁ, ଆଚବା ଅଞ୍ଚଳର ଚାଷୀ ଉପକୃତ ହେଉଥିଲେ। ପ୍ରକଳ୍ପ ଦ୍ବାରା ଏହି ଅଞ୍ଚଳର ଶହ ଶହ ଏକର ଜମିରେ ଦୁଇ ଫସଲ କରି ଚାଷୀ ଲାଭବାନ୍ ହେବା ପରେ ସମୟକ୍ରମେ ଚାଷ ଜମି ବଢ଼ିବା ସହ ଅଧିକାଂଶ ଲୋକ ଚାଷ ପ୍ରତି ଆକୃଷ୍ଟ ହୋଇଥିଲେ।

ଅଶୀଏ ଦଶକ ପର୍ଯ୍ୟନ୍ତ ପ୍ରକଳ୍ପ ଦ୍ବାରା ଚାଷୀ ଉପକୃତ ହେଉଥିବା ବେଳେ ଏହା ପରଠାରୁ ପ୍ରକଳ୍ପ ଓ କେନାଲର ମରାମତି କାମ ନ ହେବାରୁ ଧୀରେ ଧୀରେ ଜଳସେଚନ କ୍ଷମତା କମିଥିଲା। ଖରିଫରେ ୮୫୪ ହେକ୍ଟରକୁ ଜଳସେଚିତ କରୁଥିବା ଏହି ପ୍ରକଳ୍ପ ଏବେ ମାତ୍ର ୪୦୦ ହେକ୍ଟର ଜମିକୁ ପାଣି ଯୋଗାଉଥିବା ସ୍ଥାନୀୟ ଚାଷୀ ଅଭିଯୋଗ କରିଛନ୍ତି। ବିଗତ ୧୦ ବର୍ଷ ହେଲା ପ୍ରକଳ୍ପ ଅଞ୍ଚଳକୁ କ୍ଷୁଦ୍ରଜଳସେଚନ ବିଭାଗର କୌଣସି ଅଧିକାରୀ ପରିଦର୍ଶନରେ ଯାଇନାହାନ୍ତି। ସେହିପରି ଗତ ୫ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ବାବଦକୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇନଥିବା ବିଭାଗୀୟ ସୂତ୍ରରୁ ଜଣା ପଡିଛି। ଯେଉଁଥି ପାଇଁ ପ୍ରକଳ୍ପର ମୁଖ୍ୟ ଗେଟ୍ ସମେତ କେନାଲ୍ ଭାଙ୍ଗିରୁଜି ମାଟିରେ ମିଶିଲାଣି। ବହୁ ଗାଁର ଜମି ପାଖ ଦେଇ କେନାଲ ଯାଇଥିଲେ ମଧ୍ୟ ପାଣି ପହଞ୍ଚୁନଥିବାରୁ ଚାଷୀ ଚାଷ କାର୍ଯ୍ୟ ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଅଞ୍ଚଳରେ କେନାଲ ଉପରେ ଗଛ ଉଠିବା ସହ କ୍ୟାଚମେଣ୍ଟ୍ ଅଞ୍ଚଳରେ ଜଙ୍ଗଲ ସୃଷ୍ଟି ହୋଇଥିବାରୁ ବିଭାଗକୁ ନୂଆ କରି ଆସୁଥିବା ଅଧିକାରୀ ପ୍ରକଳ୍ପ ଓ କେନାଲ ଅଞ୍ଚଳକୁ ଠାବ କରିବାରେ ସକ୍ଷମ ହେଉନାହାନ୍ତି।

ପ୍ରକଳ୍ପର ପୁନରୁଦ୍ଧାର କରି ଜମିକୁ ପାଣି ଯୋଗାଇବାକୁ ଏହି ଅଞ୍ଚଳର ଚାଷୀ ବହୁବାର ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିଛନ୍ତି। ହେଲେ କିଛି ସୁଫଳ ମିଳିନଥିବା ଚମ୍ପିକୋଟା ଗ୍ରାମର ଚାଷୀ ଚିନା ପାଲକା ଅଭିଯୋଗ କରିଛନ୍ତି। ପ୍ରକଳ୍ପ କାର୍ଯ୍ୟକ୍ଷମ ସମୟରେ ଧାନ ସହିତ ପନିପରିବା ଚାଷ କରି ବେଶ୍ ଲାଭବାନ୍ ହେଉଥିବା ଚାଷୀ ଜଳସେଚନ ଅଭାବରୁ ଏବେ ଚାଷ ପ୍ରତି ବିମ୍ମୁଖ ହୋଇ ଦାଦନ ଖଟିବାକୁ ଚାଲି ଯାଇଥିବା ଚାଷୀ ନାରାୟଣ ବାଚେଲି କହିଛନ୍ତି।

ପ୍ରକଳ୍ପର ମରାମତି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ରାଜ୍ୟ ସରକାର ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିକଟକୁ ପ୍ଲାନ୍ ଓ ଏଷ୍ଟିମେଟ୍ ପଠାଇଥିଲେ। ବହୁ ଯୋଜନାରେ ଏହି ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର ପାଇଁ ପ୍ରସ୍ତାବ ଦିଆଯିବା ପରେ ମଧ୍ୟ କୌଣସି ସବୁଜ ସଙ୍କେତ ବିଭାଗ ପକ୍ଷରୁ ନ ମିଳିବା ଯୋଗୁ ପ୍ରକଳ୍ପର ପୁନରୁଦ୍ଧାର କ୍ଷେତ୍ରରେ ବିଳମ୍ବ ହୋଇଛି ବୋଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ବାହୀ ଯନ୍ତ୍ରୀ ଶାନ୍ତୁନୁ କୁମାର ବିଶ୍ବାଳ କହିଛନ୍ତି। ଚଳିତ ବର୍ଷ ପୁଣି ଥରେ ଏହି ପ୍ରକଳ୍ପର ପୁନରୁଦ୍ଧାର ସହ କେନାଲ ମରାମତି ପାଇଁ ୩ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କୁ ଦିଆଯାଇଛି। ପ୍ରସ୍ତାବ ଅନୁମୋଦନ ହୋଇ ଆସିବା ପରେ କାମ ଆରମ୍ଭ ହେବ ବୋଲି କହିଛନ୍ତି ବିଭାଗୀୟ ଏସଡିଓ ମୁରଲୀଧର ମହାଲିକ୍।

ସମ୍ବନ୍ଧିତ ଖବର