କେବେ ହେବ ମାଟ୍ରିକ୍ ପରୀକ୍ଷା?
ଆରମ୍ଭ ହୋଇନି ପ୍ରଶ୍ନପତ୍ର ପ୍ରସ୍ତୁତି, ଅତି କମ୍ରେ ଆବଶ୍ୟକ ୫ ମାସ
ଫର୍ମ ପୂରଣ ହୋଇନି କି ପରୀକ୍ଷା ଢାଞ୍ଚାର ସୂଚନା ନାହିଁ
Sambad is now on WhatsApp
Join and get latest news updates delivered to you via WhatsApp
କଟକ, (ସୁଶାନ୍ତ କୁମାର ସ୍ବାଇଁ) : କେବେ ହେବ ମାଟ୍ରିକ୍ ପରୀକ୍ଷା? କେଉଁ ଢ଼ାଞ୍ଚାରେ ପଡ଼ିବ ପ୍ରଶ୍ନ? ଓଏମ୍ଆର୍ ବ୍ୟବସ୍ଥା ରହିବ ନା ସବୁ ପ୍ରଶ୍ନର ଉତ୍ତର ଲେଖିବାକୁ ପଡ଼ିବ? ରେଗୁଲାର ଓ ଏକ୍ସରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପ୍ରଶ୍ନପତ୍ର ହେବ ନା ଭିନ୍ନ ରହିବ? ପୂର୍ବବର୍ଷ ଭଳି ଶହେ ନମ୍ବର ହେବ ନା ଚଳିତବର୍ଷ ସପ୍ଲିମେଣ୍ଟାରି ପରୀକ୍ଷା ଭଳି ୮୦ ନମ୍ବର ପରୀକ୍ଷା ହେବ? ପରୀକ୍ଷାର ସମୟ କେତେ ହେବ ? ଶିକ୍ଷାବର୍ଷ ସରିବାକୁ ବସିଥିଲେ ମଧ୍ୟ ଏହି ଭଳି ଅନେକ ପ୍ରଶ୍ନର ଉତ୍ତର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀଙ୍କ ପାଖରେ ନାହିଁ। ମାଟ୍ରିକ୍ ପରୀକ୍ଷାକୁ ନେଇ ସମସ୍ତେ ଅନ୍ଧାରରେ। ଏସବୁ ବିଷୟରେ ଶିକ୍ଷାବର୍ଷ ଆରମ୍ଭରୁ ବୋର୍ଡ ସୂଚନା ଦେବାର ବିଧି ରହିଥିଲେ ମଧ୍ୟ ଶିକ୍ଷାବର୍ଷ ଶେଷରେ ବି ବୋର୍ଡ ପକ୍ଷରୁ ଏ ବିଷୟରେ କିଛି ସୂଚନା ଦିଆଯାଇନାହିଁ। ସେହିପରି ମାଟ୍ରିକ୍ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତି କାର୍ଯ୍ୟ ଯାହା ସେପ୍ଟେମ୍ବରରୁ ଆରମ୍ଭ ହୋଇ ଜାନୁଆରି ପର୍ଯ୍ୟନ୍ତ ଚାଲେ ସେ କାର୍ଯ୍ୟ ଏଯାଏ ଆରମ୍ଭ ହୋଇ ନାହିଁ। ଫର୍ମପୂରଣ ବି ଆରମ୍ଭ ହୋଇପାରି ନାହିଁ। କରୋନା ଆଳ ଦେଖାଇ ମାଧ୍ୟମିକ ଶିକ୍ଷା ପରିଷଦ( ବୋର୍ଡ) କର୍ତ୍ତୃପକ୍ଷ ସମସ୍ତଙ୍କୁ ଅନ୍ଧାରରେ ରଖୁଥିବା ଅଭିଯୋଗ ହୋଇଛି। କେବେଳ ପାଠ୍ୟକ୍ରମରୁ ୩୦ପ୍ରତିଶତ ପାଠ କାଟିଦେଇ ବୋର୍ଡ ଚୁପ୍ ହୋଇ ବସିଛି। ଅନ୍ୟପକ୍ଷରେ କିନ୍ତୁ ସିବିଏସ୍ଇ ପକ୍ଷରୁ ଚଳିତ ବର୍ଷର ନୂତନ ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର ବିଷୟରେ ସଂପୂର୍ଣ୍ଣ ସୂଚନା ଦେଇ ଦିଆଯାଇଛି। ପ୍ରତ୍ୟେକ ବର୍ଷ ମାଟ୍ରିକ ପରୀକ୍ଷାର ୫ ମାସ ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହେଉଥିବା ବେଳେ ଯଦି ଏହା ଜାନୁଆରିରୁ ଆରମ୍ଭ ହୁଏ ତେବେ ମେ ପୂର୍ବରୁ ପରୀକ୍ଷା ହେବା କଷ୍ଟ।
ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଦୁର୍ଗାପୂଜା ପୂର୍ବରୁ ପ୍ରଶ୍ନପତ୍ର ପ୍ରସ୍ତୁତି କରନ୍ତି। ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଅକ୍ଟୋବର ଦ୍ବିତୀୟ ସପ୍ତାହ ମଧ୍ୟରେ କୋଶ୍ଚିନ୍ ସେଟର୍ମାନଙ୍କ ଠାରୁ ପ୍ରଶ୍ନପତ୍ର ସଂଗ୍ରହ କରାଯାଏ। ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଦେଢ଼ ମାସ ମଧ୍ୟରେ ସଂଗୃହୀତ ପ୍ରଶ୍ନପତ୍ରକୁ ମଡରେସନ କରାଯାଏ। ଏହି ପର୍ଯ୍ୟାୟରେ ପ୍ରଶ୍ନପତ୍ର ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କି ନାହିଁ, ୩୦ ପ୍ରତିଶତ ସରଳ ପ୍ରଶ୍ନ ଅଛି ନା ନାହିଁ, ୫ ପ୍ରତିଶତ ଜଟିଳ ପ୍ରଶ୍ନ ରହିଛି କି ନାହିଁ, ପ୍ରତ୍ୟେକ ସଂକ୍ଷିପ୍ତ ପ୍ରଶ୍ନର ନିର୍ଦ୍ଦିଷ୍ଟ ଗୋଟିଏ ଉତ୍ତର ରହିଛି କି ନାହିଁ… ଏସବୁ ଦିଗର ଯାଞ୍ଚ କରାଯାଏ। ମଡରେସନ୍ ପରେ ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରିଣ୍ଟିଂ ଅର୍ଡର ଦିଆଯାଏ। ଜାନୁଆରି ପ୍ରଥମ ଦ୍ବିତୀୟ ସପ୍ତାହ ବେଳକୁ ପ୍ରଶ୍ନପତ୍ର ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚେ। ଜାନୁଆରି ଶେଷ ସପ୍ତାହରୁ ଫେବ୍ରୁଆରି ପ୍ରଥମ ସପ୍ତାହ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ନୋଡାଲ ସେଣ୍ଟରକୁ ପଠାଯାଏ। ପରୀକ୍ଷା ପାଇଁ ଆଦର୍ଶ ପ୍ରଶ୍ନପତ୍ର ପ୍ରସ୍ତୁତି କରିବାକୁ ଅନ୍ୟୁନ ୫ମାସରୁ ଅଧିକ ସମୟ ଲାଗେ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଶ୍ନପତ୍ର ବିଷୟରେ ଶିକ୍ଷାବର୍ଷ ଆରମ୍ଭରୁ ପରୀକ୍ଷାର୍ଥୀଙ୍କ ସମେତ ଶିକ୍ଷକ, ଜନସାଧାରଣଙ୍କୁ ଅବଗତ କରାଯାଇଥାଏ। ଗତ ବର୍ଷ (୨୦୨୦ ମାଟ୍ରିକ୍ ପରୀକ୍ଷା)ରେ ପ୍ରତି ବିଷୟରେ ୫୦ ନମ୍ବର ଦୀର୍ଘ ଉତ୍ତରମୂଳକ ଓ ୫୦ ନମ୍ବର ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ(ଲିଖିତ) ପଡ଼ିଥିଲା। କିନ୍ତୁ ୨୦୨୦ ସପ୍ଲିମେଣ୍ଟାରି ପରୀକ୍ଷାରେ ମୋଟ ୮୦ନମ୍ବର ପରୀକ୍ଷା(୫୦ ସଂକ୍ଷିପ୍ତ ଓଏମ୍ଆର୍ ଓ ୩୦ ନମ୍ବର ଦୀର୍ଘ ଉତ୍ତର ଲିଖିତ) ପ୍ରଶ୍ନ ଆସିଥିଲା। କିନ୍ତୁ ଏବର୍ଷ ମାଟ୍ରିକ୍ ପରୀକ୍ଷା ବିଷୟରେ ବୋର୍ଡ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।
କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ସଂପର୍କିତ ଏକ ପୁସ୍ତିକା ପ୍ରସ୍ତୁତି ଚାଲିଛି। ଏଥିରେ ଚଳିତ ବର୍ଷ ପ୍ରତି ବିଷୟରେ ୮୦ ନମ୍ବର ପ୍ରଶ୍ନ ପଡ଼ିବ ଯେଉଁଥିରେ କି ୫୦ ନମ୍ବର ଅବ୍ଜେକ୍ଟିଭ୍ (ଓଏମ୍ଆର୍ ଜରିଆରେ ଦିଆଯିବ) ଓ ଅବଶିଷ୍ଟ ୩୦ନମ୍ବର ଲିଖିତ ପ୍ରଶ୍ନ ପଡ଼ିବ ବୋଲି ଜଣାପଡ଼ିଛି। ଏହି ପୁସ୍ତିକା ଛାତ୍ରଛାତ୍ରୀଙ୍କୁ ଦିଆଯିବ। କିନ୍ତୁ ଦୁଃଖର ବିଷୟ ଏଯାଏ ଏହି ପୁସ୍ତିକା ପ୍ରକାଶ ପାଇନଥିବା ସୂଚନା ମିଳିଛି। ଯଦି ଏବେଠାରୁ ପ୍ରଶ୍ନପତ୍ର ପ୍ରସ୍ତୁତି ଆରମ୍ଭ ହୁଏ, ତେବେ ଆସନ୍ତା ମେ ମାସରେ ମାଟ୍ରିକ୍-୨୦୨୦ ପରୀକ୍ଷା କରିବା ସମ୍ଭବ ହେବ କି ନାହିଁ ତାହା ମଧ୍ୟ ସନ୍ଦେହ। ପୁଣି ଚଳିତ ଶିକ୍ଷାବର୍ଷରେ ନୂଆ ପାଠ୍ୟକ୍ରମ ହୋଇଛି। ଗତବର୍ଷ ଯେଉଁ ପରୀକ୍ଷାର୍ଥୀମାନେ ଫେଲ ହୋଇଥିଲେ ସେମାନେ ଚଳିତ ବର୍ଷ କେଉଁ କୋର୍ସରେ ପରୀକ୍ଷା ଦେବେ, ତାହା ଏଯାଏ ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏ ସଂକ୍ରାନ୍ତରେ ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଫର୍ମପୂରଣ କରିବା କାର୍ଯ୍ୟ ଆରମ୍ଭ କରିଥିଲୁ, କିନ୍ତୁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ନକରିବା ପାଇଁ ପରାମର୍ଶ ଦିଆଗଲା। ଏଥିପାଇଁ ଆମେ ଆସନ୍ତା ମାଟ୍ରିକ୍ ପରୀକ୍ଷା ପାଇଁ କିଛି ପ୍ରସ୍ତୁତି ଆରମ୍ଭ କରିନାହୁଁ ବୋଲି ସଂପୃକ୍ତ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।