ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସର କାମ ସରିବ କେବେ?

ଜୟପୁର: ୩ବର୍ଷ ତଳେ ଜୟପୁରର ଫୁଲବାଡ଼ ଠାରେ ୧୨ଏକର ଜମି ପରିମିତ ଅଂଚଳରେ ୨୬କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ। ତେବେ ଏହା ସରିବ କେବେ ବୋଲି ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏପ୍ରିଲ ୨୦୧୯ରେ ଆରମ୍ଭ ହୋଇଥିବା ଏହି କଂପ୍ଲେକ୍ସ ଯୁଦ୍ଧକାଳୀନ ଭିତ୍ତିରେ ବର୍ଷକ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରହିଥିଲା। ତେବେ କାହିଁକି ଓ କେଉଁ ପରିସ୍ଥିତିରେ କାମ ଧିମେଇ ଯାଇଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏଠାକାର କ୍ରୀଡ଼ାବିତ୍ ମାନେ ଦୈଡକୁଦ୍ ଓ ଅନ୍ୟ କ୍ରୀଡା ପ୍ରତି ଆକୃଷ୍ଠ ‌ହେଲେ ମଧ୍ୟ ଭିତ୍ତିଭୁମି ନଥିବାରୁ ସେହି ମାନ୍ଧାତାକାଳର ପଦ୍ଧତିରେ ହିଁ ଅଭ୍ୟାସ କରୁଛନ୍ତି।

ପ୍ରକାଶ ଯୋଗ୍ୟ, ରାଜ୍ୟ ସରକାରଙ୍କ  କ୍ରୀଡା ଓଯୁବ ବ୍ୟାପର ବିଭାଗ ପକ୍ଷରୁ  ପଛୁଆ କୋରାପୁଟଜିଲ୍ଲାର କ୍ରୀଡାବିତ୍ ମାନଙ୍କୁ ଉନ୍ନତମାନର କୋଚିଂ ସହ ଅତ୍ୟାଧୁନିକ ଭିତ୍ତିଭୁମି,  ବୈଷୟିକ ପ୍ରଣାଳୀ ସହ ଉନ୍ନତମ ମାନର ତାଲିମ ଦେଇ ସେମାନଙ୍କ ଲକ୍ଷ୍ୟରେ ପ୍ରମୁଖ ମାଧ୍ୟମ ସାଜିବାକୁ ଲକ୍ଷ୍ୟରେ ଏହି ସ୍ପୋର୍ଟସ୍ କଂପ୍ଲେକ୍ସର ନିର୍ମାଣ କରାଯାଉଛି। ଏହାରି ପରିସରରେ ଫୁଟବଲ ପଡ଼ିଆ, ଚାରି ପଟେ ସିନ୍ଥେଟିକ୍ ଟ୍ରାକ, ଇଣ୍ଡୋର ଷ୍ଟାଡିୟମ, ଅତ୍ୟାଧୁନିକ ଜିମ୍ , ସୁଇମିଂ ଫୁଲ, ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଓ ପ୍ରଶାସନିକ ଭବନ ନିର୍ମାଣ କରାଯିବା ଯୋଜନା ରହିଛି।

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯେଭଳି ସିନ୍ଥେଟିକ୍ ଟ୍ରାକ ରହିଛି ଠିକ ସେଭଳି ଏଠାରେ ବି କରାଯିବ। ସିନ୍ଥେଟିକ୍ ଟ୍ରାକ୍ , ସୁଇମିଂ ଫୁଲ ଓ ଜିମ୍ ଆଥଲେଟିକଙ୍କୁ ବିଶେଷ ସହଯୋଗ ହେବ ବୋଲି ଚିନ୍ତା କରାଯାଇଥିଲା ତାହା କେବେ କାର୍ଯ୍ୟକାରୀ ହେବ ଏବଂ କ୍ରୀଡ଼ାବିତ୍ ମାନେ ଏହାର ଲାଭ ଉଠାଇବେ ବୋଲି ବହୁ ବରିଷ୍ଠ କ୍ରୀଡ଼ାବିତ୍ ମାନେ ମତ ପ୍ରକାଶ କରିଛନ୍ତି। ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବହୁ ଯୁବ କ୍ରୀଡ଼ାବିତ୍ ସହରରେ ଥିବା ବହୁ ଜିମ୍ କୁ ଯାଇ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ଏହି ସମନ୍ବିତ କ୍ରୀଡ଼ା କଂପ୍ଲେକ୍ସ ଆରମ୍ଭ ହେଲେ ବହୁ ଗରିବ କ୍ରୀଡ଼ାବିତ୍ ଲାଭ ପାଇବେ। ଅର୍ଥଅଭାବ, ଅନୁସଙ୍ଗିକ ଭିତ୍ତିଭୁମି, ବୈଷୟିକ ଞାନକୌଶଳ, କୋଚିଂ ଅଭାବରୁ  ଲୁକ୍କାୟିତ ହୋଇ ରହି ଯାଉଥିବା କ୍ରୀଡ଼ାବିତ୍ ମାନେ ମଧ୍ୟ ଭଲ କ୍ରୀଡ଼ା ନୈପୁଣ୍ୟତା ପ୍ରଦର୍ଶନ କରିବାକୁ ସୁଯୋଗ ପାଇ ପାରିବେ ବୋଲି ବହୁ ବରିଷ୍ଠ କ୍ରୀଡ଼ାବିତ୍ ମାନେ ମତ ଦେଇଛନ୍ତି। ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବରିଷ୍ଠ କ୍ରୀଡ଼ାବିତ୍ ମାନେ ଦାବି କରିଛନ୍ତି।

 

 

 

ସମ୍ବନ୍ଧିତ ଖବର