ଶ୍ରୀମନ୍ଦିର ରୋଷଘର ଦାୟିତ୍ବରେ କେଉଁମାନେ ରହିଥାନ୍ତି, ଜାଣନ୍ତୁ ସେମାନେ କିଏ?

ପୁରୀ: ଶ୍ରୀମନ୍ଦିର ରୋଷଘର ଦାୟିତ୍ବରେ କେଉଁମାନେ ରହିଥାନ୍ତି, ଆଜି ବି ଭକ୍ତମାନେ ଏଥିନେଇ ଦ୍ବନ୍ଦ୍ବରେ ରହିଛନ୍ତି। ରୋଷଘରର ସୁରକ୍ଷା, ସଫାସୁତରା ୫ ଭିନ୍ନ ସେବକଙ୍କ ହାତରେ ନ୍ୟସ୍ତ ଥାଏ। ରୋଷ ଦୁଆରି, ରୋଷ ପାଇକ, ଧୋପଖାଳିଆ, ଅଙ୍ଗାରୁଆ ଓ ରବାଡ଼ିଆ। ରୋଷଘରକୁ କିଏ ଗଲା ତାଙ୍କ ଉପରେ ନଜର ରଖିବା ସହ ସଫାସୁତରା ରଖିବାର ପ୍ରମୁଖ ଦାୟିତ୍ବ ବହନ କରିଥାନ୍ତି। କିନ୍ତୁ ପ୍ରମୁଖ ଦାୟିତ୍ବ ହେଉଛି ରୋଷ ଦୁଆରିଙ୍କର। ରୋଷଶାଳକୁ ଅନୁପ୍ରବେଶ ଉପରେ ଏମାନେ ନଜର ରଖିଥାନ୍ତି।

କେଉଁମାନେ ରୋଷଶାଳାକୁ ଯାଉଛନ୍ତି, ତା’ର ସବିଶେଷ ବିବରଣୀ ଏମାନେ ରଖିଥାନ୍ତି। କେଉଁ ସେବକ ଯାଉଛନ୍ତି, ସେମାନଙ୍କୁ ଚିହ୍ନଟ କରିଥାନ୍ତି। ଏମାନେ ରୋଷଘର ପ୍ରବେଶ ଦୁଆର ପାଖରେ ରହିଥାନ୍ତି। ରୋଷ ପାଇକଙ୍କ କାମ ହେଉଛି, ରୋଷଶାଳ ବ୍ୟବସ୍ଥା ଠିକ୍‌ ଅଛି କି ନାହିଁ ଯାଞ୍ଚ କରିବେ। ଅସୁବିଧା ଥିଲେ ତୁରନ୍ତ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ। ଧୋପଖାଳିଆଙ୍କ କାମ ହେଉଛି, ସେମାନେ ରୋଷଶାଳା ଧୁଆଧୋଇ, ସଫାସୁତରା କରିବେ। ରବାଡ଼ିଆ ବି ସଫାସୁତରା ଓ ଅନ୍ୟାନ୍ୟ କାମ କରନ୍ତି। ରନ୍ଧା ଆରମ୍ଭ ପୂର୍ବରୁ ବଳି ପଡ଼ିଥିବା ଜିନିଷକୁ ବାହାରେ ଫିଙ୍ଗିଥାନ୍ତି। ଅଙ୍ଗାରୁଆ ଶ୍ରୀମନ୍ଦିର ରୋଷଚୁଲାରୁ ବାହାରୁଥିବା ଅଙ୍ଗାର ବାହାର କରିଥାନ୍ତି। ଏହି ଅଙ୍ଗାର ସେମାନଙ୍କ ମାଲିକାନାରେ ରହିଥାଏ। ୫ ସେବକଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପାଳିଆ ପୁରସ୍କାର ଦେଇଥାଏ। ଏବେ ସମସ୍ତଙ୍କୁ ଡବଲ ପାଳିଆ ପୁରସ୍କାର ପ୍ରଦାନ କରାଯାଉଛି। ଏମାନେ ସବୁ ବ୍ୟବସ୍ଥା ଯାଞ୍ଚ କରିବା ପରେ ରନ୍ଧା କାର୍ଯ୍ୟ ଆରମ୍ଭ ହୋଇଥାଏ।

ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ

ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗାରୁଜା ଘଟଣା ପ୍ରଥମ ହୋଇଥିବାବେଳେ ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେବାୟତ। ଯେଉଁମାନେ ବି ଏଭଳି ଦୁଃସାହସ କରିଛନ୍ତି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସୁଆର ମହାସୁଆର ନିଯୋଗରୁ ପ୍ରତିନିଧିତ୍ବ କରୁଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି, ଯାହାବି ଘଟିଲା ଅତି ନିନ୍ଦୀନୟ। ଶ୍ରୀମନ୍ଦିର ରୋଷଘରକୁ କେବଳ ନିର୍ଦ୍ଦିଷ୍ଟ ଶ୍ରେଣୀର ଲୋକ ଯାଇପାରନ୍ତି। ପ୍ରବେଶ ପୂର୍ବରୁ ରୋଷ ଦୁଆରି ଯାଞ୍ଚ କରିବାର ବ୍ୟବସ୍ଥା ରହିଛି। ଏହାସତ୍ତ୍ବେ ଆଜି ଚୁଲି ଭାଙ୍ଗି ଦିଆଯିବା ଦୁର୍ଭାଗ୍ୟଜନକ। ଆଗକୁ ବି ଏହାଠାରୁ ବଡ଼ ଘଟଣା ବି ଘଟିପାରେ। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଅନ୍ୟପଟେ ଆଜିର ଘଟଣା ପରେ ଶ୍ରୀମନ୍ଦିର କାର୍ଯ୍ୟାଳୟ କଣ୍ଟ୍ରୋଲ ରୁମ୍‌ ସହ ରୋଷଘର ସିସିଟିଭି ଯୋଡ଼ିବାକୁ ପରିଚାଳନା କମିଟି ପକ୍ଷରୁ ମତ ଦିଆଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର