କୋରେଇ ଷ୍ଟେସନରେ କାହିଁକି ଘଟିଲା ମାଲଗାଡ଼ି ଦୁର୍ଘଟଣା?

ଯାଜପୁର / କୋରେଇ : କୋରେଇ ଷ୍ଟେସନରେ ସୋମବାର ଦିନ ମାଲଗାଡ଼ି ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ର ବେଗ କେତେ ଥିଲା? ରେଳ ଧାରଣାରେ ସମସ୍ୟା ରହିଥିଲା କି? ଚାଳକ ହଠାତ୍‌ ବ୍ରେକ୍‌ ଦେବାରୁ ୱାଗନ ଗୁଡ଼ିକ ଗୋଟିଏ ଉପରେ ଅନ୍ୟଟି ଚଢ଼ିଗଲା କି?

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁଯାୟୀ, ଏହି ମାଲବାହୀ ଟ୍ରେନ୍‌ଟି ପୂର୍ବତଟ ରେଳପଥର ବୈତରଣୀରୋଡ ଷ୍ଟେସନ ଛାଡ଼ିବା ପରେ ଗୋଟିଏ ୱାଗନର ଡୋର୍‌ ଖୋଲି ଯାଇଥିଲା। ଏହି ଡୋର୍‌ଟି ରେଳଧାରଣା କଡ଼ରେ ଥିବା ଖୁଣ୍ଟ ଗୁଡ଼ିକରେ ପିଟି ହୋଇହୋଇ କୋରେଇ ଷ୍ଟେସନ ପର୍ଯ୍ୟନ୍ତ ଆସିଥିଲା। ଏହି କାରଣରୁ କମ୍ପନ ସୃଷ୍ଟି ହେବାସହ କୋରେଇ ଷ୍ଟେସନ ନିକଟରେ ଡ୍ରାଇଭର ବ୍ରେକ୍‌ ଲଗାଇବାରୁ ଧାରଣାରୁ ବାହାରି ଯାଇଥିଲା। ଫଳରେ ଟ୍ରେନ୍‌ ଇଞ୍ଜିନରେ ୧୬ଟି ୱାଗନ ଲାଗିଥିବା ବେଳେ ଅନ୍ୟଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା। ଇଞ୍ଜିନ୍‌ଟି ଷ୍ଟେସନ୍‌ରୁ ପ୍ରାୟ ୨ଶହ ମିଟର ଆଗକୁ ଯାଇ ଅଟକି ରହିଥିଲା। ହେଲେ, ବିଚ୍ଛିନ୍ନ ହୋଇଯାଇଥିବା ୱାଗନଗୁଡ଼ିକରୁ ୧୪ଟି ଲାଇନ୍‌ଚ୍ୟୁତ ହୋଇ ପ୍ଲାଟ୍‌ଫର୍ମ ଉପରକୁ ମାଡ଼ିଯାଇଥିଲା। ଦୁର୍ଘଟଣାର ସମ୍ଭାବ୍ୟ କାରଣ ନେଇ କେତେକ ଟ୍ରାକ୍‌କୁ ଦୋଷ ଦେଇଥିବା ବେଳେ ଆଉ କେତେକ ଡ୍ରାଇଭରଙ୍କୁ ଦୋଷ ଦେଉଛନ୍ତି।

ତେବେ ଦାୟିତ୍ବରେ ଥିବା ଷ୍ଟେସନ୍‌ ମାଷ୍ଟର କୃଷ୍ଣଚନ୍ଦ୍ର ମହାନ୍ତି କହନ୍ତି, ଟ୍ରେନ୍‌ଟି ବୈତରଣୀରୋଡ ଛାଡ଼ିବା ପରେ ଗ୍ରିନ୍‌ ସିଗନାଲ୍‌ ମିଳିଥିଲା। ତଦନୁଯାୟୀ ଆମେ ମଧ୍ୟ ଗ୍ରିନ୍‌ ସିଗନାଲ ଦେଇ ଟ୍ରେନ୍‌ଟି ପାସ୍‌ କରିବାକୁ ଅନୁମତି ଦେଇଥିଲୁ। ହେଲେ ଟ୍ରାକ୍‌ କିମ୍ବା ଡୋରରେ କଣ ଅସୁବିଧା ଥିଲା ସେ ସମ୍ପର୍କରେ ପୂର୍ବ ସୂଚନା କିଛି ମିଳିପାରିନଥିଲା। ଇତିମଧ୍ୟରେ ପୂବତଟ ରେଳପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ଘଟଣାର ତଦନ୍ତ କମିସନର୍ ଅଫ୍ ରେଲୱେ ସେଫ୍‌ଟି ସ୍ତରରେ ହେବ।

ସମ୍ବନ୍ଧିତ ଖବର