ଆଉ ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପାଇଁ ନୋଟିସ୍ ହେବନାହିଁ

କଟକ : ଆଉ ଆଇନଜୀବୀଙ୍କୁ ସର୍ଭିସ୍ ଟ୍ୟାକ୍ସ ପଇଠ ପାଇଁ ଅଯଥା ନୋଟିସ୍ ଜାରି କରାଯିବ ନାହିଁ। ହାଇକୋର୍ଟଙ୍କ ମାର୍ଚ୍ଚ ୩୧ର ନିର୍ଦ୍ଦେଶ ପାଳନ କରି ଓଡ଼ିଶା ଜିଏସ୍‌ଟି କମିସନରେଟର ସମସ୍ତ ଅଧିକାରୀଙ୍କୁ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଇନଜୀବୀମାନଙ୍କୁ ସର୍ଭିସ୍ ଟ୍ୟାକ୍ସ/ଜିଏସ୍‌ଟିରୁ ଆଇନ ଅନୁସାରେ ମୁକ୍ତ କରାଯାଇଥିବା ବେଳେ ଏଥିପାଇଁ ଆଉ ନୋଟିସ୍ ଜାରି କରାଯିବ ନାହିଁ। ଏ ନେଇ ହାଇକୋର୍ଟରେ ଭୁବନେଶ୍ବର ଜିଏସ୍‌ଟି ଆଣ୍ଡ୍‌ ସେଣ୍ଟ୍ରାଲ ଏକ୍ସାଇଜ୍‌ କମିସନରେଟ୍‌ର ପ୍ରମୁଖ କମିସନର ବି.କେ. କର ସତ୍ୟପାଠ ଦାଖଲ କରିଛନ୍ତି।

ସତ୍ୟପାଠରେ ଦର୍ଶାଯାଇଛି ଯେ, ଓଡ଼ିଶା ରାଜ୍ୟରେ ଭୁବନେଶ୍ବର ଓ ରାଉରକେଲାରେ ଦୁଇଟି ଜିଏସ୍‌ଟି କମିସନରେଟ୍ ରହିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ଦୁଇ କମିସନରେଟ୍‌ର ସବୁ ଡିଭିଜନର ସମସ୍ତ ଆସିଷ୍ଟାଣ୍ଟ କମିସନର, ଡେପୁଟି କମିସନରଙ୍କୁ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସଂପର୍କିତ ନିର୍ଦ୍ଦେଶନାମାର କପି ସତ୍ୟପ‌ାଠ ସହିତ ହାଇକୋର୍ଟରେ ଦାଖଲ କରାଯାଇଥିଲା। ଏଥିସହିତ ଆବେଦନକାରୀ ଆଇନଜୀବୀ ଡି.ପି. ତ୍ରିପାଠୀଙ୍କ ପ୍ରସଂଗରେ ଜାରି କରାଯାଇଥିବା ନୋଟିସ୍ ଓ ଅନ୍ୟାନ୍ୟ ପ୍ରକ୍ରିୟା ବନ୍ଦ କରାଯାଇଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟପାଠରେ ରହିଥବା ତଥ୍ୟକୁ ବିଚାରକୁ ନେଇ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ସଲିସିଟର ଜେନେରାଲ ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର