ଘର ସହ ଜିଅନ୍ତା ଜଳିଗଲେ ମହିଳା, ୭ ବଖରା ପାଉଁଶ, ୩ ଗୋରୁ ମୃତ

ହତ୍ୟା ଅଭିଯୋଗ ଆଣିଲେ ବାପା, ସ୍ବାମୀ, ଦିଅର ଥାନାରେ ଅଟକ

ଦଶରଥପୁର : ଶନିବାର ବିଳମ୍ବିତ ରାତିରେ ଘରେ ନିଆଁ ଲାଗି ଜଣେ ମହିଳାଙ୍କ ସମେତ ୩ ଗୋରୁ ଜିଅନ୍ତା ଜଳିଗଲେ। ୭ ବଖରା ଘର ସମେତ ମୂଲ୍ୟବାନ ଆସବାବପତ୍ର ପୋଡ଼ି ପାଉଁଶ ହୋଇଗଲା। ଏଭଳି ଅଘଟଣ ଘଟିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ବିରୁହାଁ ପଞ୍ଚାୟତ ଅନ୍ତର୍ଗତ ପୁବସାହି ଗ୍ରାମରେ। ଗ୍ରାମର ଅକ୍ଷୟ ପରମାଣିକଙ୍କ ୭ ବଖରା ଛଣ ଛପର ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ପତ୍ନୀ ପ୍ରିୟତମା ପରମାଣିକ(୨୩)ଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣା ପରେ ପ୍ରିୟତମାଙ୍କ ବାପା ସୁଦାମ ପାତ୍ର ତାଙ୍କ ଝିଅକୁ ପୋଡ଼ି ମାରି ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ମଂଗଳପୁର ପୁଲିସ ସ୍ବାମୀ ଅକ୍ଷୟ ଏବଂ ଦିଅର ଅଜୟଙ୍କୁ ଥାନାରେ ଅଟକ ରଖିଛି ।

ଶନିବାର ବିଳମ୍ବିତ ରାତି ପ୍ରାୟ ୧୨.୪୫ ମିନିଟ ସମୟରେ ପୁବସାହି ଗ୍ରାମର ଅକ୍ଷୟ ପରମାଣିକଙ୍କ ଘରେ ହଠାତ୍‌ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଭୟଙ୍କର ଭାବେ ଲାଗିଥିଲା ଯେ ମାତ୍ର କିଛି ସମୟରେ ସବୁ କିଛି ଜଳି ପାଉଁଶ ହୋଇଯାଇଥିଲା। ନିକଟରେ ଥିବା ୩ଟି ନଡ଼ିଆ ଗଛ ମଧ୍ୟ ପୋଡିଯାଇଥିବା ଦେଖିବାକୁ ମିଳିଛି। ଏହାସହ ଏକ ନୂଆ ଗ୍ଲାମର୍‌ ବାଇକ, ୨ଟି ପାଣି କଳ, ନଗଦ ୩୫ ହଜାର ଟଙ୍କା, ସୁନା ମୁଦି, ବାହୁଟି, ମଂଗଳସୂତ୍ର, ପାଉଁଜି, ଜମିବାଡି ପଟା, ଧାନ, ଚାଉଳ, ଫ୍ୟାନ, ଲୁଗା ସହ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହାରି ଭିତରେ ପ୍ରିୟତମାକୁ ନ ପାଇ ପରିବାରବର୍ଗ ଖୋଜାଖୋଜି କରିବା ବେଳେ ବାଡିପଟ ଘରେ ତାଙ୍କ ପୋଡା ଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା। ଦିଅର ଅଜୟ ପେଟ୍ରୋଲ ଟାଙ୍କିରେ କାର୍ଯ୍ୟ କରୁଥିବାରୁ ସେହି ଘରେ ପେଟ୍ରୋଲ ରଖି ବିକ୍ରି କରୁଥିଲେ। ଏହାସହ ସେହି ଘରେ ଏକ ଟ୍ରଙ୍କରେ କିଛି ସୁନା ଏବଂ ଟଙ୍କା ରହିଥିଲା।

ତେବେ ଏହି ଘଟଣାକୁ ନେଇ ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି। କିଛି ଲୋକଙ୍କ କହିବା ହେଲା ଶନିବାର ଦିନ କୌଣସି କାରଣରୁ ଘରେ ଝଗଡ଼ା ହୋଇଥିଲା। ଏହି କାରଣରୁ ପ୍ରିୟତମା ରାତିରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥାଇ ପାରନ୍ତି। ଆଉ କିଛି ଗ୍ରାମବାସୀଙ୍କ ମତରେ ନିଆଁ ଲାଗିବା ବେଳେ ପ୍ରିୟତମା ଟ୍ରଙ୍କରୁ ତାଙ୍କ ସୁନା, ଟଙ୍କା ବାହାର କରିବାକୁ ଯାଇ ପୋଡ଼ି ଯାଇଛନ୍ତି। ଏହି କାରଣରୁ ସୁନା, ଟଙ୍କା ଥିବା ଟ୍ରଙ୍କଟି ଚାବି ଖୋଲା ରହିଥିବା ସେମାନେ କହିଛନ୍ତି। ତେବେ ବାପ ସୁଦାମଙ୍କ କହିବା ଅନୁଯାୟୀ ପୂର୍ବରୁ ପରିବାର ଲୋକଙ୍କ ସହ ପାଟିତୁଣ୍ତ ହୋଇ ସମାଧାନ ହୋଇଥିଲା। ପୂର୍ବ ରାତିରେ ମଧ୍ୟ ଝଗଡ଼ା ହୋଇଥିଲା। ଏଣୁ ମୋ ଝିଅକୁ ଶାଶୂଘର ଲୋକେ ପୋଡି ମାରି ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ ଯେ ଅକ୍ଷୟ ୪ ବର୍ଷ ପୂର୍ବେ ବିଂଝାରପୁର ଥାନା ଅନ୍ତର୍ଗତ ପ୍ରୀତିପୁର ଗାଁର ସୁଦାମ ପାତ୍ରଙ୍କ ଝିଅ ପ୍ରିୟତମାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଅଢେଇ ବର୍ଷର ଝିଅ ରହିଛି। ଆଇଆଇସି ଅସିତ ମହାନ୍ତି କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, ସତ ପଦାକୁ ଆସିବ। ଏ ନେଇ ମଙ୍ଗଳପୁର ଥାନାରେ କେସ ନମ୍ବର ୧୫୦/୧୯ରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର