ଦୁଇ ଶିଶୁଙ୍କୁ ବିଷ ଦେଇ ମା’ର ଆତ୍ମହତ୍ୟା : ମା’ ଓ ସାନ ପୁଅର ମୃତ୍ୟୁ, ମୃତ୍ୟୁ ସହ ସଂଘର୍ଷ କରୁଛି ୮ବର୍ଷର ପୁଅ

ନିର୍ଯାତନା ନା’ ଦାରିଦ୍ର୍ୟ, କାରଣ ଅସ୍ପଷ୍ଟ

କାଲିମେଳା : ଅସହ୍ୟ ନିର୍ଯାତନା ସାଙ୍ଗକୁ ଭୋକର ଜ୍ବାଳାକୁ ସମ୍ଭାଳି ପାରୁ ନ ଥିଲେ। ଜୀବନ ହାରିବାକୁ ବହୁ ଦିନ ହେଲା ନିଷ୍ପତ୍ତି ନେଇଥିଲେ। କିନ୍ତୁ ଦୁଇ କଅଁଳା ଶିଶୁଙ୍କ ପାଇଁ ସବୁ ଯନ୍ତ୍ରଣାକୁ ସହି ଚାଲିଥିଲେ। ହେଲେ ଗତକାଲି ରାତିରେ ଏମିତି କିଛି ହେଲା ଯେ, ନେଇଗଲେ ଚରମ ନିଷ୍ପତ୍ତି। ଦୁଇ ଶିଶୁଙ୍କୁ ଥଣ୍ଡା ପାନୀୟରେ ବିଷ ମିଶାଇ ଦେଇଦେଲେ। ନିଜେ ମଦରେ ବିଷ ମିଶାଇ ପିଇଦେଲେ। ବିଷକ୍ରିୟାରେ ମା’ ଓ ସାନ ପୁଅର ମୃତ୍ୟୁ ହୋଇ ଯାଇଥିବାବେଳେ ୮ବର୍ଷର ପୁଅ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ତଥା ଏମଭି-୭୯ଥାନା ଅନ୍ତର୍ଗତ ତେଲରାଇ ଗାଁରେ। ଏହି ଖବର ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ସ୍ଥାନୀୟ ସରପଞ୍ଚଙ୍କ ଏତଲା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ସ୍ବାମୀ, ୩ପୁଅ ଏବଂ ଝିଅଙ୍କୁ ନେଇ ବେଶ୍ ହସଖୁସିରେ ବିତୁଥିଲା ମୁକେ ପଡ଼ିଆମୀ (୩୨)ଙ୍କ ଜୀବନ। ତେବେ ସ୍ବାମୀ ସିଂଗା ପଡ଼ିଆମୀ କୁଷ୍ଠ ରୋଗରେ ଆକ୍ରାନ୍ତ ହେବାପରେ ସବୁକିଛି ବଦଳିଗଲା। ହଠାତ୍ ଏହି ହସିଲା ପୂରିଲା ପରିବାରକୁ ମାଡ଼ି ଆସିଥିଲା ଦୁଃଖ ଓ ଯନ୍ତ୍ରଣା। ବଞ୍ଚିବା ପାଇଁ ସଂଘର୍ଷ କରିବା ସତ୍ତ୍ବେ ୩ବର୍ଷ ତଳେ ପତ୍ନୀ ଏବଂ ୪ସନ୍ତାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ସିଂଗା। ଏହାପରେ ଅଭାବ ଅନଟନ ମଧ୍ୟରେ ଶାଶୂ, ଶ୍ବଶୁର ଏବଂ ଦିଅରଙ୍କ ସହ ଦୁଇ ପୁଅଙ୍କୁ ନେଇ ରହିଥିଲେ ମୁକେ। ବଡ଼ ପୁଅ ମହେନ୍ଦ୍ର କାଙ୍ଗୁରକୋଣ୍ଡା ସେବାଶ୍ରମ ଏବଂ ଝିଅ ଆରତିକୁ ଭେଙ୍କଟପଲମ ଆଶ୍ରମ ବିଦ୍ୟାଳୟକୁ ପଠାଇ ଦେଇଥିଲେ। କିନ୍ତୁ ଶାଶୂ, ଶ୍ବଶୁରଙ୍କ ସହ ରହିବା ପରେ ପାରିବାରିକ କଳହ ଲାଗି ରହିଥିଲା। ଏପରିକି ଦିନେ ଦିନେ ଦୁଇ ନାତି ଏବଂ ବୋହୂଙ୍କୁ ଖାଇବାକୁ ବି ଦିଆଯାଉ ନଥିଲା। ମଝିରେ ମଝିରେ ମୁକେ ମାଗିଯାଚି ଦୁଇ ପୁଅଙ୍କ ପେଟ ଭର୍ତି କରୁଥିଲେ ବୋଲି ଗ୍ରାମବାସୀ କହିଛନ୍ତି।

ଦୀର୍ଘଦିନ ଧରି ଏମିତି ମାନସିକ ଅଶାନ୍ତି ମଧ୍ୟରେ ରହି ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ ମୁକେ। ତେଣୁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଦୁଇ ପିଲାଙ୍କୁ କିଏ ଦେଖିବ ସେଥିପାଇଁ ଭାରାକ୍ରାନ୍ତ ହୋଇ ସବୁ ଯନ୍ତ୍ରଣାକୁ ସହି ନେଉଥିଲେ। ତେବେ ଗତକାଲି ରାତିରେ କୌଣସି କାରଣରୁ ଶାଶୂ, ଶ୍ବଶୁରଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିବା ଗ୍ରାମବାସୀ କହିଛନ୍ତି। ଏହାପରେ ଆଜି ସକାଳେ ମୁକେ ଜଣେ ସଂପର୍କୀୟଙ୍କ ଘରକୁ ଯାଇ ଆଉ ବଞ୍ଚିବାକୁ ଚାହୁଁ ନଥିବା କହିଥିଲେ। ସେ ଘରକୁ ଫେରିବାର କିଛି ସମୟ ମଧ୍ୟରେ ମୁକେ, ୮ବର୍ଷର ପୁଅ ଦେବେନ୍ଦ୍ର ଏବଂ ସାନ ପୁଅ ମୁନା (୬) ଛଟାଣରେ ପଡ଼ି ଛଟପଟ ହେଉଥିବା ସ୍ଥାନୀୟ ଲୋକ ଦେଖିଥିଲେ। ସେହି ସମୟରେ ଶାଶୂ, ଶ୍ବଶୁର ଜମିକୁ ଯାଇଥିଲେ। ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ମେଡିକାଲ ନେବା ପୂର୍ବରୁ ମୁକେ ଏବଂ ମୁନାର ମୃତ୍ୟୁ ହୋଇ ଯାଇଥିଲା। ଦେବେନ୍ଦ୍ରର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଥିବାରୁ କାଲିମେଳା ମେଡିକାଲକୁ ନିଆଯାଇଛି। ସେଠାରେ ସେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ମୃଦୁ ପାନୀୟରେ ଫେରାଡନ ନାମକ ବିଷ ମିଶାଇ ଦୁଇ ଶିଶୁଙ୍କୁ ଦିଆଯାଇଥିଲା ଏବଂ ଏହି ବିଷକୁ ମଦରେ ମିଶାଇ ମୁକେ ପିଇ ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତ ପରେ ସୂଚନା ମିଳିଛି।

ଏ ନେଇ ସ୍ଥାନୀୟ ସରପଞ୍ଚ ମୁତା ସୋଡି ଏମିଭି-୭୯ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆଇପିସି ୩୦୨, ୩୦୭ ଏବଂ ୩୨୮ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେଉଁ କାରଣରୁ ମୁକେ ଏଭଳି ନିଷ୍ପତ୍ତି ନେଲେ ତାହା ସ୍ପଷ୍ଟ ହୋଇପାରି ନ ଥିବା ବେଳେ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ଥାନା ଅଧିକାରୀ ମମତା ପାଣିଗ୍ରାହୀ ପ୍ରକାଶ କରିଛନ୍ତି। କିନ୍ତୁ ପାରିବାରିକ କଳହ ଅସହ୍ୟ ହେବାରୁ ସଂପୂର୍ଣ୍ଣ ଅସହାୟ ଅବସ୍ଥାରେ ରହିଥିଲେ। ତେଣୁ ଦୁଇ ଶୁଶୁଙ୍କୁ ବିଷ ଦେଇ ନିଜେ ମୁକେ ବିଷ ପିଇ ଦେଇଥିବା ସ୍ଥାନୀୟ ସରପଞ୍ଚଙ୍କ ସହ ୱାର୍ଡ ସଭ୍ୟ ପ୍ରକାଶ କରିଛନ୍ତି। ତାଙ୍କୁ ପିଡିଏସ୍‌ ଚାଉଳ ପ୍ରତିମାସରେ ମିଳୁଥିଲେ ମଧ୍ୟ ଆବାସ ଯୋଜନାରେ ଘର କିମ୍ବା ବିଧବା ଭତ୍ତା ମିଳୁ ନଥିଲା ବୋଲି ଗ୍ରାମବାସୀ କହିଛନ୍ତି। ଘଟଣା ସଂପର୍କରେ କାଲିମେଳା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର