ମହିଳା ଜିପିଟିଏଙ୍କ ଆତ୍ମହତ୍ୟା : ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ଚିକିଟି : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ ଅନ୍ତର୍ଗତ ପିତାତଳି ପଞ୍ଚାୟତ ଟେକ୍‌ନିସିଆନ୍‌ (ଜିପିଟିଏ) ଭାବେ କାମ କରୁଥିବା ମଣିମାଳା ବେଉରା (୩୪) ଆତ୍ମହତ୍ୟା କରିଛନ୍ତି। ତେବେ, ମଣିମାଳାଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି।

ମଣିମାଳାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ଦୁମୁକା। ତାଙ୍କ ସ୍ୱାମୀ ଦେବାଶିଷ ନନ୍ଦଙ୍କ ଘର ଭଦ୍ରକ ଜିଲ୍ଲା ତିହିଡ଼ି। ଦେବାଶିଷ ଚିକିଟି ଏନ୍‌ଏସିରେ କିରାଣି ଭାବେ କାମକରନ୍ତି। ୩ ବର୍ଷ ପୂର୍ବେ ଉଭୟେ ପ୍ରେମ ବିବାହ କରିଥିଲେ। ଗତ ଦୁଇ ବର୍ଷ ପୂର୍ବେ ଉଭୟେ ଚିକିଟି ପେଣ୍ଠସ୍ଥିତ ଏକ ଘରେ ଭଡ଼ାରେ ରହୁଥିଲେ। ତାଙ୍କର ଏକ ୬ ମାସର ଝିଅ ଅଛି। ଆଜି ସକାଳେ ଦେବାଶିଷ ପ୍ରାତଃଭ୍ରମଣରୁ ଫେରି ପତ୍ନୀ ମଣିମାଳା ଆତ୍ମହତ୍ୟା ହତ୍ୟା କରିଥିବା ଦେଖିବାକୁ ପାଇଥିଲେ। ମଣିମାଳା ଲୁଗା ସାହାଯ୍ୟରେ ଫ୍ୟାନ୍‌ରେ ଝୁଲିପଡ଼ିଥିଲେ। ପୁଲିସ୍‌ ଶବ ବ୍ୟବଚ୍ଛେଦ କରି ତଦନ୍ତ ଚଳାଇଥିବାବେଳେ ମଣିମାଳାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ସ୍ୱାମୀଙ୍କ ପରକୀୟା ପ୍ରୀତି କାରଣରୁ ଏପରି ଘଟଣା ଘଟିଥିବା କିଛି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର