ମୋବାଇଲ୍‌ ଲୁଟିବାରେ ବିଫଳ ହେବାରୁ ଝିଅକୁ ଉଠାଇ ନେଉଥିଲେ, ବିରୋଧ କରିବାରୁ ମା’ଙ୍କୁ ଗୁଳିମାଡ଼

ବାସୁଦେବପୁର: ଆଜି ସନ୍ଧ୍ୟାରେ ବାସୁଦେବପୁର ଥାନା ଚଉରା ଛକ ନିକଟରେ ଜଣେ ମହିଳାଙ୍କ ଠାରୁ ମୋବାଇଲ ଲୁଟିବାରେ ବିଫଳ ହେବାରୁ ଲୁଟେରାମାନେ ମହିଳାଙ୍କ ୬ ବର୍ଷର ଝିଅକୁ ଉଠାଇ ନେଉଥିଲେ। ମହିଳା ଜଣକ ପ୍ରତିବାଦ କରିବାରୁ ଲୁଟେରାମାନେ ମହିଳାଙ୍କୁ ଗୁଳିମାଡ କରି ଚମ୍ପଟ ମାରିବା ଚର୍ଚ୍ଚାର ବିଷୟ ହୋଇଛି।

ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଲବଗା ଗ୍ରାମର ପ୍ରଫୁଲ୍ଲ ସାହୁଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ (୪୦) ନିଜର ନାବାଳିକା ଝିଅକୁ ନେଇ ନିକଟସ୍ଥ ଗଗନବାବୁ ଛକକୁ ଔଷଧ ନେବାକୁ ଆସି ଘରକୁ ଫେରୁଥିଲେ। ବାଟରେ ଏକ ବାଇକରେ ଆସି ଲୁଟେରାମାନେ ତାଙ୍କୁ ଅନୁସରଣ କରିଥିଲେ। ଚଉରା ଛକ ନିକଟରେ ଲୁଟେରାମାନେ ମହିଳାଙ୍କ ମୋବାଇଲକୁ ଲୁଟିନେବାକୁ ଉଦ୍ୟମ କରିଥିଲେ। ମାତ୍ର ବିଫଳ ହେବାରୁ ସାଥିରେ ଥିବା ନାବାଳିକା ଝିଅକୁ ଘୋଷାରି ନେଇଥିଲେ। ମହିଳା ଜଣକ ପାଟି କରିବା ସହ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିବା ବେଳେ ଲୁଟେରାମାନେ ମହିଳାଙ୍କୁ ଗୁଳି କରି ଭଦ୍ରକ ରାସ୍ତାରେ ଫେରାର ହୋଇଯାଇଥିଲେ। ମହିଳାଙ୍କ ଡାହାଣ ହାତ ପାପୁଲିରେ ଗୁଳି ବାଜି ଗୁରୁତର ହୋଇ ପଡିଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଖବର ପାଇ ପୁଲିସ ପହଞ୍ଚି ଲୁଟେରାମାନଙ୍କର ପତ୍ତା ଲଗାଇଥିବା ବେଳେ ବିଭିନ୍ନ ଥାନାକୁ ସୂଚନା ଦିଆଯାଇ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର