ସମାଜ ଗ୍ରହଣ କଲାନି; ପରିବାର ଦେଲା ନିର୍ଯାତନା: ମାଓ ସଂଗଠନରୁ ମୁଖ୍ୟସ୍ରୋତକୁ ଫେରିଥିବା ରୀନା ପୁଣି ସ୍ୱାଧାରଗୃହରେ

ଭଞ୍ଜନଗର : ମାଓ ସଂଗଠନ ଛାଡ଼ି ୪ ବର୍ଷ ପୂର୍ବେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସମାଜରେ ଏକ ନୂଆ ପରିଚୟ ତିଆରି କରି ଜୀବନଯାତ୍ରା ଆରମ୍ଭ କରିବାକୁ ମନରେ ଆଶା ସଞ୍ଚାର ହେଲା। ହେଲେ ‌ଆଜି ସେ ନିଜେ ସମାଜ ଓ ପରିବାର ପାଇଁ ଘୃଣ୍ୟ ପାଲଟି ଯାଇଛନ୍ତି। ପୁଲିସ ନିକଟରେ ଆତ୍ମସମର୍ପଣ ପରେ ସ୍ବଧାର ଗୃହରୁ ବାହାରିବା ପରେ ପରିବାରର ଲୋକେ ଗ୍ରହଣ କରୁନାହାନ୍ତି। ଫଳରେ ଦୀର୍ଘ ୧୧ ବର୍ଷ ଧରି ମାଓ ସଂଗଠନ ସହ ପୂର୍ବରୁ ଜଡ଼ିତ ଥିବା ରୀନା ଏବେ ନିଜର ଓ ୪ ବର୍ଷର ଝିଅର ଭବିଷ୍ୟତକୁ ନେଇ ସନ୍ଦିହାନରେ ରହିଛନ୍ତି। ବାସ୍ତବରେ ମାଓ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ନିଷ୍ପତ୍ତି ପ୍ରକୃତରେ ଠିକ୍ ନା ଭୁଲ୍ ଥିଲା, ଏହି ଦ୍ବନ୍ଦ୍ବରେ ରୀନା ପଡ଼ିଛନ୍ତି। ଆଉ ପରିସ୍ଥିତିର ଚକ୍ରରେ ରୀନା ପୁଲିସ ସହାୟତାରେ ପୁଣି ବ୍ରହ୍ମପୁର ସ୍ବଧାରଗୃହକୁ ଫେରିଛନ୍ତି।

New Indian Express

ତାରସିଂ ଥାନା ବ୍ରାହ୍ମଣପଦର ପଞ୍ଚାୟତ ଦୁର୍ଗମ ଇଲାକା ପେଟାକିଆରି ଗ୍ରାମର ମୂଳବାସିନ୍ଦା ରୀନା ମଲ୍ଲିକ (୨୫)। ପରିବାରର ୫ ଭଉଣୀ ଓ ୨ ଭାଇ। ଭଉଣୀଙ୍କ ମଧ୍ୟରେ ବଡ଼। ୧୧ ବର୍ଷ ବୟସରେ ରୀନା ତାଙ୍କ ମାମୁ ଘର ବାଲିକିଆରି ଗ୍ରାମରେ ଥିବା ସମୟରେ ମାଓ ସଂଗଠନ ପ୍ରତି ଆକର୍ଷିତ ହୋଇଥିଲେ। ନିଜ ଅଞ୍ଚଳରେ ବିକାଶକୁ କେବେ ଅନୁଭବ ନକରି ନଥିବା ଏବଂ ସ୍ବାଧୀନ ଚିନ୍ତାଧାରା ତାଙ୍କୁ ମାଓ ସଂଗଠନରେ ସାମିଲ ହେବାକୁ ବାଧ୍ୟ କରିଥିଲା। ୨୦୦୭ ମସିହାରେ ମାଓ ସଂଗଠନରେ ମିଶି ଗରିବ ଓ ନିଷ୍ପେସିତଙ୍କ ପାଇଁ ରୀନା ସ୍ବର ଉଠାଇବା ଆରମ୍ଭ କରିଥିଲେ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଓ ନିୟମଗିରି ଇଲାକାରେ ମାଓ କାର୍ଯ୍ୟକଳାପ ଜାରି ରଖିଥିଲେ। ଏହାମଧ୍ୟରେ ସଂଗଠନରେ ଥିବା ଛତିଶଗଡ଼ ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ସଂଗଠନ ମୁଖିଆଙ୍କ ଅନୁମତି କ୍ରମେ ଉଭୟଙ୍କ ବିବାହ ହୋଇଥିଲା। ତେବେ ଗର୍ଭବତୀ ହେବା ପରେ ମାଓ କାର୍ଯ୍ୟକଳାପରୁ ନିଜକୁ ନିବୃ୍ତ୍ତ ରଖିଥିଲେ। ରୀନାଙ୍କୁ ତାଙ୍କ ସ୍ବାମୀ ରାୟଗଡ଼ା ଜିଲ୍ଲା କାମ୍ବେସି ଗ୍ରାମରେ ଛାଡ଼ି ପଳାଇଥିଲେ।

The Tribune

୨୦୧୬ ମସିହାରେ ରୀନା ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେଠାରେ ତାଙ୍କୁ ସ୍ବଧାରଗୃହରେ ରଖାଯିବା ପରେ ରୀନା ଏକ କନ୍ୟାସନ୍ତାନକୁ ଜନ୍ମ ଦେଇଥିଲେ। ସ୍ବଧାରଗୃହରେ ୪ ବର୍ଷ ରହିବା ଝିଅକୁ ଧରି ନିଜ ଗାଁ ପେଟାକିଆରିକୁ ଫେରିଥିଲେ। ଏହାସହ ସରକାରଙ୍କ ଦ୍ବାରା ଘୋଷିତ ସହାୟତା ରାଶି ମିଳିଥିଲା। ହେଲେ ବାପାଙ୍କ ସମେତ ପରିବାର ଲୋକେ ତାଙ୍କୁ ଗ୍ରହଣ ନକରି ଘରେ ପୂରାଇ ଦେଲେନି। ସେଠାରୁ ନିଜ ଭାଇର ଶ୍ବଶୁର ଘରେ ପ୍ରାୟ ଦେଢ଼ ମାସ ରହି ପୁଣି ନିଜ ଘରକୁ ଫେରିଥିଲେ। ରହିବାକୁ ଘରେ ଅନୁମତି ମିଳିଲା ସତ, କିନ୍ତୁ ଭଉଣୀ ଓ ବାପାଙ୍କ ଅକଥନୀୟ ଅତ୍ୟାଚାର ଅସହ୍ୟ ହେଲା। ସ୍ଥିତି ଏମିତି ହେଲା ‌ଯେ ୪ ବର୍ଷର ଛୁଆ ବି ଭୋକରେ ରହୁଥିଲା। ଫଳରେ ରୀନା ପୁଣି ରାୟଗଡ଼ା ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।

୨୦ ଦିନ ତଳେ ଏକ ଅଟୋରେ ଭଞ୍ଜନଗରରେ ପହଞ୍ଚି ଅସହାୟ ଅବସ୍ଥାରେ ବୁଲୁଥିବା ସମୟରେ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା। ଥାନାରେ ରୀନା ସମସ୍ତ କଥା କହିବା ପରେ ତାଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରାଯାଇଥିଲା। ୧୫ ଦିନ ଧରି କ୍ବାରାଣ୍ଟିନ୍‌ ହୋମ୍‌ରେ ରହିବା ପରେ ଏସ୍‌ଆଇ ଲିତାରାଣୀ ପରିଡ଼ା ଉଭୟ ରୀନା ଓ ତାଙ୍କ ଝିଅକୁ ନେଇ ବ୍ରହ୍ମପୁରସ୍ଥିତ ସ୍ବଧାରଗୃହରେ ଛାଡ଼ିଥିଲେ। ଏନେଇ ଥାନାଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ନିଜ ଭବିଷ୍ୟତକୁ ନେଇ ରୀନା ଏବେ ସନ୍ଦିହାନରେ ଅଛନ୍ତି। ଅନ୍ୟପକ୍ଷରେ ରୀନାଙ୍କ ସ୍ବାମୀ ଏବେବି ମାଓ ସଂଗଠନରେ ସକ୍ରିୟ ଅଛନ୍ତି।

ସମ୍ବନ୍ଧିତ ଖବର